ମାଲକାନଗିରି, ୨୧/୯ (ଆପ୍ର ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଚିତାପାରି -୧ ଗ୍ରାମ ଛକରେ ଏକ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଥିଲା । କିନ୍ତୁ ରକ୍ଷାଣବେକ୍ଷଣ ଅଭାବରୁ ଯାତ୍ରୀ ପ୍ରତୀକ୍ଷାଳୟ ଅବସ୍ଥା ଶୋଚନୀୟ ହୋଇପଡିଛି। ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି।
ଯାତ୍ରୀ ପ୍ରତୀକ୍ଷାଳୟରେ ଲୋକେ ବସକୁ ଅପେକ୍ଷା କରି ସେଠାରେ ବସିବା ପାଇଁ ଷ୍ଟିଲ ଚେୟାର, ଚତୁଃପାର୍ଶ୍ଵରେ ରେଲିଙ୍ଗ ସହ ଟିଣ ଛାତ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ବିଶ୍ରାମଗାରାରେ ଲାଗିଥିବା ଷ୍ଟିଲ ଚେୟାର ଗୁଡିକ ଭାଙ୍ଗିରୁଜି ଯିବା ସହ ଜରାଜୀର୍ଣ ଅବସ୍ଥାରେ ପଡିରହିଛି। ପ୍ରତୀକ୍ଷାଳୟର ପରିସରରେ ଅଳିଆ ଆବର୍ଜନା ପୂର୍ଣ୍ଣ ହୋଇ ବଣଜଙ୍ଗଲ ହୋଇଗଲାଣି। ଯାତ୍ରୀଙ୍କ ପାଇଁ ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ବସ ଗୁଡିକର ରୁଟ ଚାଟ୍ ଏବଂ ସମୟ ସାରଣୀ ଓ ମାନଚିତ୍ରର ସୂଚନା ଫଳକ ଲଗାଇବା କଥା କିନ୍ତୁ ଏହି ଯାତ୍ରୀ ପ୍ରତୀକ୍ଷାଳୟରେ ଏଭଳି କୌଣସି ସୂଚନା ଫଳକ ଲଗାଯାଇନାହଁ। ଯାହା ଫଳରେ କେଉଁ ବସ କେଉଁ ସମୟରେ ଏହି ରାସ୍ତା ଦେଇ କେଉଁ ଅଞ୍ଚଳକୁ ଯାତାୟତ କରୁଛି ସେ ସମ୍ପର୍କରେ ଯାତ୍ରୀମାନେ ସୂଚନା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କିଛି ଯାତ୍ରୀ କହିଛନ୍ତି । ବର୍ଷ ତମାମ ବର୍ଷା, ଖରା ଓ ଶୀତ ଦିନରେ ଯାତ୍ରୀଙ୍କୁ ଆଶ୍ରୟ ଦେଉଥୁବା ଏହି ଯାତ୍ରୀ ପ୍ରତୀକ୍ଷାଳୟର ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।