ଭୁବନେଶ୍ୱର, ୭/୧୧ : ରାଜଧାନୀକୁ ପୁଣି ଫେରିବ ପଥ ଉତ୍ସବ । ଆସନ୍ତା ଡିସେମ୍ବର ମାସରେ ପଥ ଉତ୍ସବ କରିବାକୁ ଯୋଜନା କରୁଛି ବିଏମ୍‌ସି । ତା ପୂର୍ବରୁ ଆସନ୍ତା ୧୬ ତାରିଖରେ ମାଷ୍ଟର କ୍ୟାଣ୍ଟିନ୍‌ରେ ଷ୍ଟ୍ରିଟ୍‌ କାର୍ନିଭାଲ ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍‌ (ଆଇଆଇଏ) ଏବଂ ବିଏମ୍‌ସିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ସକାଳ ୭ଟାରୁ ଷ୍ଟ୍ରିଟ୍‌ କାର୍ନିଭାଲ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ । ଏଥିରେ ୩ଡି ଆର୍ଟ, ଫ୍ୟାସନ ସୋ, ଜୁମ୍ବା ସେସନ୍ସ ଓ ବିଭିନ୍ନ ପ୍ରଦର୍ଶନୀ ରହିବ । ଏହି କାର୍ଯ୍ୟକ୍ରମ ସଫଳ ହେଲେ ଆଗକୁ ଭୁବନେଶ୍ୱରର ଅନ୍ୟ ସ୍ଥାନରେ ମଧ୍ୟ ଷ୍ଟ୍ରିଟ୍‌ କାର୍ନିଭାଲ ଆରମ୍ଭ କରିବାକୁ ଯୋଜନା କରାଯାଇଛି ।

ବିଏମ୍‌ସି ପକ୍ଷରୁ ଡିସେମ୍ବର ମାସ ଶେଷ ଏବଂ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ପଥ ଉତ୍ସବ ହେବ । ଭୁବନେଶ୍ୱରରେ ୩ ଜୋନ୍‌ରେ ପଥ ଉତ୍ସବ କରିବାକୁ ବିଏମ୍‌ସି ପକ୍ଷରୁ ଯୋଜନା ହୋଇଛି । ଏନେଇ ବିଏମ୍‌ସିରେ ହେବାକୁ ଥିବା ପ୍ରସ୍ତୁତି ବୈଠକରେ ଏଜେନ୍ସି ଚୟନ କରାଯିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଖାଲି ପଥ ଉତ୍ସବ ନୁହେଁ, ବିଡିଏ ପକ୍ଷରୁ ଆଜି ଠାରୁ ଏକାମ୍ର ୱାକ୍‌ ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଆନ୍‌ ରୋଡ୍‌ କଂଗ୍ରେସ (ଆଇଆରସି) ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଜ୍ୟ ବାହାରୁ ଆସୁଥିବା ଯନ୍ତ୍ରୀମାନେ ଏକାମ୍ର ୱାକ୍‌ରେ ଭାଗ ନେଇ ଓଡ଼ିଶା କଳା, ସଂସ୍କୃତି ଓ ଐତିହ୍ୟକୁ ବୁଲି ଦେଖିବେ । ଫୁଡ୍‌ ଫେଷ୍ଟିଭାଲ ଏବଂ ନାଇଟ ମାର୍କେଟ ଖୋଲିବା ନେଇ ମଧ୍ୟ ବିଡିଏ ପକ୍ଷରୁ ନିଷ୍ପତ୍ତି ନିଆଯାଉଛି ।