ନୂଆଦିଲ୍ଲୀ, ୧୫/୯: ରାସ୍ତା କଡ଼ରେ ଠିଆ ହୋଇ ଚା' ସହ ପକୁଡ଼ିର ମଜା ନେଇଥିବେ ନିଶ୍ଚୟ। ଖାଲି ଚା' ପକୁଡ଼ି ନୁହେଁ ବାଦାମ ପକୋଡ଼ା, ଚିକେନ ପକୋଡ଼ା, ଏମିତି ଆହୁରି ଷ୍ଟ୍ରିଟ୍ ଫୁଡ୍ ଖାଇଥିବେ ନିଶ୍ଚୟ। ହେଲେ କେବେ କୋବ୍ରା ପକୋଡ଼ା ଖାଇଛନ୍ତି କି ? ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା... ହେଲେ ଏହା ସତ। କିଲୋ ପିଛା ୨ ହଜାର ଟଙ୍କାରେ ବିକ୍ରି ହେଉଛି କିଙ୍ଗ୍ କୋବ୍ରା। ଏବେ ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖିଲେ ଆପଣଙ୍କର ବି ଲୋମ ସିହରି ଉଠିବ। ଏହି ଭିଡିଓଟି ଇଣ୍ଡୋନେସିଆର ବୋଲି ଜଣାପଡ଼ିଛି। କାଶ୍ ଚୌଧୁରୀ ନାମକ ଜଣେ ଟ୍ରାଭେଲ୍ ବ୍ଲଗର ଏହି ଭିଡିଓକୁ ଅପଲୋଡ୍ କରିଛନ୍ତି । 

ଟ୍ରାଭେଲ୍ ବ୍ଲଗର କାଶ୍ ଚୌଧୁରୀ ଇଣ୍ଡୋନେସିଆ ବୁଲିବାକୁ ଯାଇଥିଲେ । ଏଠାରେ ରାସ୍ତା କଡ଼ରେ କୋବ୍ରା ସାପ ଗୁଡ଼ିକୁ ଜନ୍ତାରେ ରଖାଯାଇଥିବା ଦେଖିଥିଲେ। ଦୋକାନ ପାଖକୁ ଯାଇ ବ୍ଲଗର ଦୋକାନୀକୁ ସାପ ବିଷୟରେ ପଚାରିଥିଲେ। କୋବ୍ରା ସାପରୁ ପକୋଡ଼ା ତିଆରି ହୋଇଥିବା ଦୋକାନୀ ଜଣଙ୍କ କହିଥିଲେ। କୌତୁହଳବଶତଃ କାଶ ଏହାର ଦାମ୍ ଜାଣିବାକୁ ଚାହିଁଥିଲେ। ଏହାପରେ ଦୋକାନୀ ଜଣଙ୍କ ଏକ ସାପକୁ ଓଜନ କରି କିଲୋ ପିଛା ୨ ହଜାର ଟଙ୍କାରେ ବିକ୍ରି ହେଉଛି ବୋଲି କହିଥିଲେ। 

ଇଣ୍ଡିଆନ ବ୍ଲଗର ଏହି ସବୁ ଭିଡିଓ ରେକର୍ଡ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ବହୁ ଲୋକ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆଉ କିଛି ଲୋକ ଏହାକୁ ସେଠାକାର ଲୋକଙ୍କ ଖାଦ୍ୟପେୟ ବୋଲି କହିଛନ୍ତି। ତେବେ ଭାରତରେ ସାପକୁ ଖାଇବା ତ ଦୂରର କଥା ସାପ ଦେଖିଲେ ଲୋକେ ଡରନ୍ତି। ହେଲେ ଇଣ୍ଡୋନେସିଆରେ ଏହା ସାଧାରଣ କଥା।