ଲାଞ୍ଜିଗଡ,୧୧/୯ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ସଚେତନତା ଅଭାବ ଯୋଗୁଁ ଆଦିବାସୀଙ୍କ ସରଳତା ଦେଖି ଅନେକ ବ୍ୟବସାୟୀ ନିଜ ବ୍ୟବସାୟ ବଢେଇବା ପାଇଁ ଲୋକଙ୍କ ଅନ୍ଧ ବିଶ୍ୱାସରେ ବଶବର୍ତ୍ତି କରୁଛନ୍ତି। ନିଜ ବ୍ୟବସାୟ ମାନ୍ଦା ଅବସ୍ଥା ଦେଖି ସରଳ ନିରୀହ ଆଦିବାସୀଙ୍କୁ ମହୋରା ସଜେଇ କହୁଛନ୍ତି ନିଜ ଭାଇଙ୍କୁ ଗାମୁଛା ଦିଅ ନଚେତ ଗାମୁଛା ନ'ଦେଲେ ବିପଦ ପଡ଼ିବ ବୋଲି ଅପପ୍ରଚାର କରୁଥିବାବେଳେ ଲୋକେ ଅନ୍ଧ ବିଶ୍ୱାସରେ ବଶବର୍ତ୍ତି ହୋଇ ଅନ୍ଧ ବିଶ୍ୱାସକୁ ସହଜରେ ଗ୍ରହଣ କରୁଛନ୍ତି l
କଥାଟା ସେତିକି ନୁହେଁ ନିଜ ଭାଇ ସମେତ ଗାଁରେ ଯେତେବି ସମ୍ପର୍କୀୟ ଭାଇ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ଗାମୁଛା ଦେବାକୁ ପଡୁଛି l ଏହାସହ ଭାଇ ଘରକୁ ଭଉଣୀ ଆସିଲେ ଭଉଣୀଙ୍କୁ ଖଣ୍ଡେ ଶାଢ଼ୀ ଦେବା ସହ ତାଙ୍କୁ ସନ୍ତାନର ସହିତ ଅତିଥି ସତ୍କାର କରିବାକୁ ପଡୁଥିବାବେଳେ ଭାଇକୁ ମଧ୍ୟ ଅନେକ ଖର୍ଚ୍ଚ କରିବାକୁ ପଡୁଛି । ଏପରି ଭାବେ ଏହି ଅନ୍ଧବିଶ୍ୱାସରେ ବଶବର୍ତ୍ତି ହୋଇ ଉପାନ୍ତ ଅଞ୍ଚଳର ଅନେକ ଆଦିବାସୀ ଲୋକେ ବିଭିନ୍ନ ଖର୍ଚାନ୍ତରେ ପଡୁଥିବାବେଳେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅନେକ ଲୋକ ଖର୍ଚ୍ଚାନ୍ତରେ ପଡୁଥିବା ବେଳେ ଜଣେ ମହିଳାଙ୍କ ଜୀବନ ମଧ୍ୟ ଯାଇଥିବା ଚିତ୍ର ସାମ୍ନାକୁ ଆସିଛି।
ସୂଚନାଅନୁସାରେ ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କନ୍ଧସାର୍ଲି ଗାଁର ସୀତା ମାଝୀଙ୍କ ସ୍ତ୍ରୀ ସମ୍ବରୀ ମାଝୀ ଗତ ୩୧ ତାରିଖ ଦିନ ଦୁଇ ସ୍ୱାମୀ ସ୍ତ୍ରୀ ମିଶି ଲାଖବାହିଲି ପଞ୍ଚାୟତ ଭାଇ ଘର କମଲେଇ ଗାଁକୁ ଯାଇ ଗାମୁଛା ଦେଇଥିଲେ l ସେହିଠାରୁ ନିଜ ଭଣଜା ବାଇକ ଯୋଗେ ଦୁଇ ସ୍ୱାମୀ ସ୍ତ୍ରୀଙ୍କୁ କନ୍ଦସାର୍ଲି ଗାଁକୁ ଛାଡି ଆସୁଥିବାବେଳେ କୁମାର ଗୁଡା ଛକ ନିକଟରେ ବାଇକ ଉପରୁ ଖସି ପଡ଼ିଥିଲେ l ଖସି ପଡିବା ଦ୍ୱାରା ମୁଣ୍ଡ ପଛପଟେ ଗଭୀର ଆଘାତ ହୋଇଥିବାରୁ ପ୍ରଥମେ ବେନଗାଁ ଡାକ୍ତର ଖାନରେ ପ୍ରାଥମିକ ଚିକିତ୍ସା ପରେ ସାଙ୍ଘାତିକ ହେବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ସେଠାରେ ଅତ୍ୟଧିକ ଗୁରୁତର ହେବାରୁ ରାୟପୁର ଘରୋଇ ହସ୍ପିଟାଲକୁ ନେଇ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଗତ ରାତିରେ ତାଙ୍କ ମୃତ୍ୟୁ ଘଟିଛି l ତେବେ ଗାଁମାନଙ୍କରେ ସଚେତନତା ଅଭାବ ଯୋଗୁଁ କୁସଂସ୍କାର ଅନ୍ଧ ବିଶ୍ୱାସ ରହିଥିବାବେଳେ ଗତ ଏକ ମାସ ମଧ୍ୟରେ ଗୁଣିଗାରେଡି ସନ୍ଦେହ କରି ତିନି ଜଣଙ୍କୁ ହତ୍ୟା କରାଯାଇଥିଲା।ତେଣୁ ଅନ୍ଧବିଶ୍ୱାସକୁ ନେଇ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉ ବୋଲି ସାଧାରଣରେ ଦାବି ହେଉଛି l