ଭୁବନେଶ୍ୱର, ୮/୧୦ : ପୁଲିସ୍ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ଦିନ ଗଡ଼ୁଛି ସତ, ହେଲେ ଘଟଣା ଉପରୁ ପରଦା ହଟି ପାରୁନି । ଜାଲିଆତିର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଅଟକି ଯାଇଛି ଦଲାଲଙ୍କ ପାଖରେ । ଏଥିରେ ସାମିଲ ଥିବା ବଡ଼ ମୁଣ୍ଡକୁ ଅଘୋଷିତ ସୁରକ୍ଷା ଦେଉଛି କିଛି ଅଦୃଶ୍ୟ ଶକ୍ତି । ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ(ଓପିଆରବି) ଠାରୁ ପଞ୍ଚସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ଅଧିକାରୀଙ୍କ ପର୍ଯ୍ୟନ୍ତ କାହାକୁ ଜେରା କରୁନି କ୍ରାଇମ୍ବ୍ରାଞ୍ଚ । ଏସ୍ଆଇ ପରୀକ୍ଷା କରିବା ପାଇଁ ଟେଣ୍ଡର ପାଇଥିଲା ଆଇଟିଆଇ । ନିଜେ ପରୀକ୍ଷା ନ କରି ପ୍ରଥମେ ରିଚ୍ ନାମକ ଏକ ସଂସ୍ଥାକୁ ଦେଇଥିଲେ । କ’ଣ ହେଲା କେଜାଣି ଆଇଟିଆଇ ହଠାତ୍ ରିଚ୍କୁ ବାହାର କରି ଦେଇଥିଲା । ଆଇଟିଆଇ ପରେ ଏହାକୁ ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍କୁ ହସ୍ତାନ୍ତର କରିଥିଲା । ସିଲିକନ୍ ଏହି ଦାୟିତ୍ୱ ପଞ୍ଚସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ୍କୁ ଦେଇଥିଲା । ଆନ୍ଧ୍ରପ୍ରଦେଶରୁ ୧୧୪ ପରୀକ୍ଷାର୍ଥୀ ଧରାପଡ଼ିବା ପରେ ପୁଲିସ୍ ଘଟଣାର ମାଣ୍ଟରମାଇଣ୍ଡକୁ ଖୋଜୁଛି । ଯେଉଁ ଦଲାଲମାନେ ଗିରଫ ହୋଇଥିଲେ ସେମାନେ ଜାମିନ ଆବେଦନ କଲେଣି । କ୍ରାଇମ୍ବ୍ରାଞ୍ଚର ତଦନ୍ତ ଆଉ ଆଗକୁ ବଢ଼ିପାରୁନି । ଏପର୍ଯ୍ୟନ୍ତ ଓପିଆରବିର କୌଣସି ଅଧିକାରୀଙ୍କୁ କ୍ରାଇମ୍ବ୍ରାଞ୍ଚ ଜେରା କରିନାହିଁ କି ନୋଟିସ୍ କରିନାହିଁ ।
ସରକାରୀ ପରୀକ୍ଷା କେମିତି ହେବ ସେ ନେଇ ଥିବା ଏସଓପିର ଉଲ୍ଲଂଘନ ହୋଇଛି । ସେ ବିଷୟରେ ମଧ୍ୟ କ୍ରାଇମ୍ବ୍ରାଞ୍ଚ କିଛି ଖୋଳତାଡ଼ କରିନାହିଁ । ସବୁଠାରୁ ବଡ଼ କଥା ଆଇଟିଆଇ, ସିଲିକନ୍ ଓ ପଞ୍ଚସଫ୍ଟର କୌଣସି ଅଧିକାରୀଙ୍କ ପାଖକୁ ଏଯାଏଁ ଯାଇନି ତଦନ୍ତକାରୀ ସଂସ୍ଥା । ରାକେଟ୍ର ମାଷ୍ଟରମାଇଣ୍ଡ କୁହାଯାଉଥିବା ହିଞ୍ଜିଳି ଅଞ୍ଚଳର ଶଙ୍କର ପୃଷ୍ଟି ଦୁଇଟି ସପ୍ଟୱେର କମ୍ପାନି ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଓ କେଦାରନାଥ ଟେକ୍ନୋଲୋଜିସ୍ର ମୁଖ୍ୟ ଥିଲା । ଶଙ୍କର ବହୁ ବରିଷ୍ଠ ସରକାରୀ ଅଧିକାରୀ, ନେତା, ମନ୍ତ୍ରୀ ଓ ପୁଲିସ ଅଧିକାରୀଙ୍କ ସହ ସଂପର୍କରେ ଥିବା ପ୍ରମାଣ କ୍ରାଇମ୍ବ୍ରାଞ୍ଚ ପାଇଛି । ଶଙ୍କରକୁ ଗିରଫ କରିବା ଦୂରେ ଥାଉ ତା ବିଷୟରେ କିଛି ଟେର ପାଇନାହିଁ ପୁଲିସ୍ । ଭୁବନେଶ୍ୱର ଭରତପୁର ଥାନାରେ ଏକ ହତ୍ୟା ମାମଲାରେ ଶଙ୍କର କମିଶନରେଟ୍ ପୁଲିସ୍କୁ ୪ ବର୍ଷ ଚକମା ଦେଇଥିଲା । ପୁଲିସ୍ ତାକୁ ଗିରଫ କରି ପାରିନଥିଲା । ଶେଷରେ ଶଙ୍କର ଆଗୁଆ ଜାମିନ୍ ପାଇଥିଲା । କେବଳ ଶଙ୍କର ନୁହେଁ ଏହି ଜାଲିଆତି ଘଟଣାରେ ବଡ଼ ବଡ଼ ବ୍ୟକ୍ତିଙ୍କ ଲିଙ୍କ୍ ଥିବା ଜଳଜଳ ଦେଖାଯାଉଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସିଲିକନ୍ ସଂସ୍ଥାରେ ଥିବା ଜଣେ ପ୍ରଫେସର ୫ଟି ପ୍ରଶ୍ନପତ୍ର ସେଟ୍ ନେଇ ଓପିଆରବି ଅଧିକାରୀଙ୍କ ପାଖରେ ପହଞ୍ଚିଥିଲେ । ଗୋଟିଏ ପ୍ରଶ୍ନପତ୍ର ସେଟ୍ ବାଛିଥିଲେ ଓପିଆରବି ଅଧିକାରୀ । ପ୍ରଫେସରଙ୍କ ସହ ଓପିଆରବିର ଦୁଇ ଅଧିକାରୀ ରାଜ୍ୟ ବାହାରର ଏକ ପ୍ରିଣ୍ଟିଂପ୍ରେସ୍ରେ ପ୍ରଶ୍ନପତ୍ର ଛାପିଥିଲେ । ଏଥିରୁ କ୍ରାଇମ୍ବ୍ରାଞ୍ଚ ଅନୁମାନ କରୁଛି ପ୍ରଶ୍ନପତ୍ର ଲିକ୍ ହେବାର ୩ଟି ସ୍ଥାନ ରହିଛି । ଗୋଟିଏ ହେଲା ସିଲିକନ୍ ସଂସ୍ଥାରେ କାମ କରୁଥିବା ପ୍ରଫେସର୍, ଓପିଆରବି ବରିଷ୍ଠ ଅଧିକାରୀ ଓ ଅନ୍ୟଟି ହେଲା ପ୍ରିଣ୍ଟିଂପ୍ରେସ୍ ।