ଭୁବନେଶ୍ୱର,୦୧/୧୦: ଆସନ୍ତା ୩ରେ ମା’ଙ୍କୁ ମେଲାଣି ଦିଆଯିବ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ୪ଟି ରାସ୍ତାରେ ୪ଟି ଭସାଣି କମିଟି ପକ୍ଷରୁ ଶୋଭାଯାତ୍ରା ପାଇଁ କମିଶନରେଟ୍‌ ପୁଲିସ ଅନୁମତି ପ୍ରଦାନ କରିଛି । କମିଟି ମଧ୍ୟରେ ଭୁବନେଶ୍ୱର ଭସାଣି ଉତ୍ସବ କମିଟି-ସହିଦନଗର, ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟି-ନୂଆପଲ୍ଲୀ, ଉତ୍ତର ଭୁବନେଶ୍ୱର ଭସାଣି କମିଟି-ଚନ୍ଦ୍ରଶେଖରପୁର ଏବଂ ଓଲ୍ଡଟାଉନ ଭସାଣି କମିଟି ଆଦି ରହିଛନ୍ତି । ଭସାଣିକୁ ଦୃଷ୍ଟିରେ ରଖି ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ୩ ତାରିଖ ଅପରାହ୍ଣ ୨ଟାରୁ ରାତି ୧ଟା ପର୍ଯ୍ୟନ୍ତ କଟକଣା କରାଯାଇଛି ।

ପୁଲିସ ପକ୍ଷରୁ କୁହାଯାଇଛି, ସହିଦନଗର ଭସାଣି କମିଟିର ସମସ୍ତ ମେଢ଼ ସହିଦନଗରରେ ଏକତ୍ରିତ ହୋଇ ସେଠାରୁ ରାଜମହଲ ଛକ ଭାୟା ରାମମନ୍ଦିର ଓ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଦେଇ ଯିବେ । ଶୋଭଯାତ୍ରା ସମୟରେ ଜନପଥ ରାସ୍ତାରେ ଯାନବାହନ କଟକଣା ରହିବ । ଗାଡିଗୁଡ଼ିକ ସଚିବାଳୟ ମାର୍ଗ ଓ ଏହା ସଂଲଗ୍ନ ରାସ୍ତା ଦେଇ ଯିବେ । ନୂଆପଲ୍ଲୀ ଭସାଣି କମିଟିର ସମସ୍ତ ମେଢ଼ ନୂଆପଲ୍ଲୀ ଦୁର୍ଗାପଡ଼ିଆରେ ଏକତ୍ରିତ ହେବେ । ସେଠାରୁ ସୁରକମ୍ପାନୀ ଛକ ପର୍ଯ୍ୟନ୍ତ ଭାୟା ନୂଆପଲ୍ଲୀ ଅଣ୍ଡରପାସ, ସିଆରପି ଛକ, ଡିଏଭି ଛକ ଡାହାଣ ମୋଡ଼ ନେଇ ଗୋପବନ୍ଧୁ ଛକ ଓ ଶିରିପୁର ଛକ ଦେଇ ଯିବେ । ଶୋଭାଯାତ୍ରା ସମୟରେ ସିଆରପି ଛକ ପାଶ୍ୱର୍ରୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଗାଡ଼ି ସିଆରପି ଛକରୁ ଏକାମ୍ର ପାର୍କ ରାସ୍ତା ଦେଇ ଯିବେ । ଚନ୍ଦ୍ରଶେଖରପୁର ଭସାଣି କମିଟିର ସମସ୍ତ ମେଢ କ୍ଲବ୍‌ ଟାଉନ ଆପାର୍ଟମେଣ୍ଟ ପଡ଼ିଆରେ ଏକତ୍ର ହୋଇ ନାଲକୋ ଛକ ହୋଇଯିବେ । ଶୋଭାଯାତ୍ରା ବେଳେ ନନ୍ଦନକାନନ ପଟୁ ଜୟଦେବ ବିହାର ଛକ ଆଡକୁ ଆସୁଥିବା ଯାନବାହନ କିଟ୍‌ ଛକ କିମ୍ବା କଳାରାହାଙ୍ଗ ଛକରେ ଥିବା ସଂଲଗ୍ନ ରାସ୍ତାରେ ଯାଇପାରିବେ । ବଡ଼କଥା, ଶୋଭାଯାତ୍ରା ସମୟରେ ଖୋର୍ଦ୍ଧା ପାଶ୍ୱର୍ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଭାରୀଯାନ/ବସ୍‌ ସର୍ଭିସ ରୋଡ୍‌ ପରିବର୍ତ୍ତେ ଏନ୍‌ଏଚ୍‌ରେ ଯିବେ । କଟକଣା ଲାଗୁ ସମୟରେ ପୁଲିସ, ଅଗ୍ନିଶମ୍‌, ଏକ୍ସସାଇଜ, ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡ଼ି ପାଇଁ ଲାଗୁ ହେବନି ବୋଲି ପୁଲିସ କମିଶନର୍‌ ସୁରେଶ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି ।