ଭୁବନେଶ୍ୱର,୧୮/୯ : ରାଜ୍ୟର ସବୁଠୁ ସମ୍ଭ୍ରାନ୍ତ କ୍ଲବ୍ ଭୁବନେଶ୍ୱର କ୍ଲବ୍ ପାଇଁ ଆରମ୍ଭ ହୋଇଛି ମହାଲଢ଼େଇ । କ୍ଲବ୍ ସଭାପତି ପାଇଁ ଏଥର ମୁହାଁମୁହିଁ ହୋଇଛନ୍ତି ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଅସିତ୍ ତ୍ରିପାଠୀ । ରାଜ୍ୟର ଶୀର୍ଷ ପ୍ରଶାସନିକ ପଦବିରେ ରହିଥିବା ଏହି ଦୁଇ ଆଇଏଏସ୍ଙ୍କ ମଧ୍ୟରେ ହେଉଥିବା ଲଢ଼େଇକୁ ନେଇ ରାଜ୍ୟର ପାୱାର କରିଡରରେ ବେଶ୍ ଚର୍ଚ୍ଚା । ଛୋଟ ଭୋଟ୍ ହେଲେ ବି ରାଜ୍ୟର ବହୁ ପ୍ରତିଷ୍ଠିତ ଶିଳ୍ପପତି, ଆଇଏଏସ୍, ଆଇପିଏସ୍, ରାଜନେତା, ନାମୀ ଓକିଲ ଓ ଅନ୍ୟ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏହି ନିର୍ବାଚନ ସହ ଜଡ଼ିତ । ଏଥିପାଇଁ ଏହାର ଗୁରୁତ୍ୱ ବହୁତ ।
ଆସନ୍ତା ୨୦ ଓ ୨୧ ତାରିଖରେ କ୍ଲବ୍ର ନିର୍ବାଚନ ହେବ । ପ୍ରଦୀପ କୁମାର ଜେନାଙ୍କ ପ୍ୟାନେଲ୍ରେ ପୂର୍ବତନ ଆଇପିଏସ୍ ଅଧିକାରୀ ଲଲିତ ଦାସ, ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା.ପିଭି ମୋହନ ପ୍ରମୁଖ ରହିଛନ୍ତି । ଡା. ପିଭି ମୋହନ ଉପସଭାପତି ପଦ ପାଇଁ ଲଢୁଥିବାବେଳେ ଲଲିତ ଦାସ ସମ୍ପାଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରଶାନ୍ତ ନାଥ ଯୁଗ୍ମ ସଚିବ ପାଇଁ ଲଢୁଛନ୍ତି । ପ୍ରଦୀପଙ୍କ ପ୍ୟାନେଲରେ ଅଶୋକ ଚିଞ୍ଚେଲା, ରାଜଦୀପ ମହାନ୍ତି, ପ୍ରକାଶ ମହାନ୍ତି, ଡ. ମନୋଜ ଲାଠ୍, ଅକ୍ଷୟ ଖଣ୍ଡେଲୱାଲ ଓ ପି.ଦାସ ମହାପାତ୍ର ଅଛନ୍ତି । ଏମାନେ ସମସ୍ତେ କାର୍ଯ୍ୟନିର୍ବାହୀ କମିଟି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଅସିତ୍ ତ୍ରିପାଠୀଙ୍କ ପ୍ୟାନେଲରେ ଥିବା ପ୍ରଗତି କୁମାର ମହାନ୍ତି ଉପସଭାପତି ପାଇଁ ଲଢୁଛନ୍ତି । ଟୁଟୁଲ କିଶୋର ଦାସ ସମ୍ପାଦକ ଓ ସମ୍ବିତ ମହାନ୍ତି ଯୁଗ୍ମ ସଚିବ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ପ୍ୟାନେଲରେ ଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ଅନିଲ କୁମାର ସାମଲ, ଡ. ଦେବବ୍ରତ ବିଶ୍ୱାଳ, କଲ୍ୟାଣ ସୁନ୍ଦର ଛୋଟରାୟ, ମାନସ ରଞ୍ଜନ ଦାସ, ଓମପ୍ରକାଶ ରାୟ ଓ ସଞ୍ଜୟ ଲାଠ୍ କାର୍ଯ୍ୟନିର୍ବାହୀ କମିଟି ପାଇଁ ଲଢୁଛନ୍ତି । ଏକମାତ୍ର ମହିଳା ପ୍ରାର୍ଥୀ ଭାବେ ଅଂଶୁ ତ୍ରିପାଠୀ ସ୍ୱାଧୀନ ଭାବେ କାର୍ଯ୍ୟନିର୍ବାହୀ କମିଟି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ଅସିତ୍ ତ୍ରିପାଠୀ ଗତ ଦୁଇ ପାଳି ନିର୍ବାଚନରେ ବାଜିମାତ୍ କରି ସଭାପତି ପଦରେ ରହିଛନ୍ତି । ଏଥର ଜିତିଲେ ସେ ହ୍ୟାଟ୍ରିକ୍ ବିଜୟ ପାଇବେ । ନିର୍ବାଚନ ପାଇଁ ତାଙ୍କର ସ୍ଲୋଗାନ୍ ରହିଛି ବିକାଶ ଏକ ଯାତ୍ରା । ଏହାର ଗତିକୁ ସାଥ୍ ଦିଅନ୍ତୁ । ସେପଟେ ପ୍ରଶାସନିକ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରି ସଦ୍ୟ ଅବସର ପରେ ଓଇଆରସି ଅଧ୍ୟକ୍ଷ ହୋଇଛନ୍ତି ପ୍ରଦୀପ କୁମାର ଜେନା । ପ୍ରଥମଥର ପାଇଁ ସେ କ୍ଲବ୍ ନିର୍ବାଚନକୁ ଓହ୍ଲାଇଛନ୍ତି । ତାଙ୍କର ସ୍ଲୋଗାନ୍ ରହିଛି ଭୋଟ୍ ଫର୍ ଚେଞ୍ଜ୍ । ସମସ୍ତେ ଏକାଠି ହେବା । ଆମ କ୍ଲବ୍ ଆମ ଗୌରବ । ସତ୍ୟନିଷ୍ଠ, ସ୍ୱଚ୍ଛତା ଓ ପ୍ରଗତିର ସ୍ଲୋଗାନ୍ ଦେଇ ସେ ଭୋଟ୍ ମାଗୁଛନ୍ତି ।
ରାଜ୍ୟର ଏହି ପ୍ରତିଷ୍ଠିତ କ୍ଲବ୍ରେ ମୋଟ ୨୩୨୧ଜଣ ବୈଧ ଭୋଟର ଅଛନ୍ତି । ୧୯୨୨ଜଣ ବ୍ୟକ୍ତିଗତ ଭୋଟର ସହ ୩୯୯ଜଣ କର୍ପୋରେଟ୍ ଭୋଟର ଅଛନ୍ତି । ଏଥର ପ୍ରଥମଥର ପାଇଁ ଅନଲାଇନ୍ ଭୋଟିଂ ସୁବିଧା କରାଯାଇଛି । ୨୦ ତାରିଖରେ ଅନଲାଇନ୍ ମାଧ୍ୟମରେ ଭୋଟ୍ ଦେଇ ହେବ । ଜରୁରି କାମରେ ଭୁବନେଶ୍ୱର ବାହାରେ ଥିବା ଲୋକେ କ୍ଲବ୍କୁ ନ ଆସି ଅନଲାଇନ୍ରେ ଭୋଟ୍ ଦେଇପାରିବେ । ୨୧ତାରିଖ ବା ରବିବାର ଦିନ ୧୧ଟାରୁ ଅପରାହ୍ଣ ୫ଟା ଯାଏ କ୍ଲବ୍କୁ ଯାଇ ସଦସ୍ୟମାନେ ଭୋଟ୍ ଦେବେ । ସେହିଦିନ ସନ୍ଧ୍ୟା ୬ଟା ପରେ ଭୋଟ୍ ଗଣତି କରି ଫଳ ଘୋଷଣା କରାଯିବ । ନିଜ ସପକ୍ଷରେ ଭୋଟ୍ ପାଇଁ କ୍ଲବ୍ ସଦସ୍ୟଙ୍କୁ ଏକାଠି କରି ରାଜଧାନୀର ତାରକା ହୋଟେଲରେ ଆସର ଜମୁଛି । ସନ୍ଧ୍ୟା ହେଲେ ପ୍ୟାନେଲର ଆଶାୟୀମାନେ ତାରକା ହୋଟେଲରେ ସମସ୍ତଙ୍କୁ ଏକାଠି କରି ପ୍ରଚାର ଜୋରଦାର କରୁଛନ୍ତି ।