ଭୁବନେଶ୍ୱର ୧୩/୧୦ : ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ ମହିଳାଙ୍କୁ ନିରାଶ କରିଛି ମମତା ବାନାର୍ଜୀଙ୍କ ଭଳି ଜଣେ ମହିଳାଙ୍କ ନେତୃତ୍ୱ। ଦିଦି ନାମରେ ପରିଚୟ ପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁଁହରୁ -"ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ୍ ନୁହେଁ ମନ୍ତବ୍ୟ ଠିକ୍ ନୁହେଁ। କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳାରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଏହି ବୟାନ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି।
ମହିଳାଙ୍କୁ ନିରାଶ କରିଛି ମମତା ବାନାର୍ଜୀ ଙ୍କ ଭଳି ଜଣେ ମହିଳା ନେତୃତ୍ୱ ଓ ଦିଦି ନାମରେ ପରିଚୟ ପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଙ୍କ ମୁଁହରୁ -"ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ।କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳା ରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି। ପୀଡିତା କୁ…
— Pravati Parida (@PravatiPOdisha) October 13, 2025
ଉପମୁଖ୍ୟମନ୍ତ୍ରୀ ପୁଣି ଲେଖିଛନ୍ତି ଯେ, ପୀଡ଼ିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତ୍ତିକ ଅସମନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ। ଆଉ ଯଦି ଓଡ଼ିଆ ଝିଅ ପୀଡିତା ବୋଲି ଦରଦ ନାହିଁ ଓଡ଼ିଶା ସରକାରଙ୍କୁ ଲେଖି ଦିଅନ୍ତୁ। ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଝିପାରିବୁ। ଲଜ୍ଜାବୋଧ ନ ରହିବା ଅତ୍ୟନ୍ତ ନିନ୍ଦନୀୟ। ମହିଳା ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅମାନେ ଆଶା କରିବେନି ତାହାହେଲେ କରିବେ କାହାଠାରୁ ?
ସୂଚନା ଥାଉକି, ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଏମ୍ବିବିଏସ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ସାରା ଦେଶରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ମହିଳାମାନଙ୍କୁ ନିରାଶ କରିଛି। ‘ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ୍ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଦରକାର’ବୋଲି ମମତା କହିଛନ୍ତି । ଏଭଳି ବୟାନକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରାଯାଉଛି।
ଅପର ପକ୍ଷରେ ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରିଛି। ଆଉ ଜଣେ ଜହ୍ଲାଦ ଫେରାର୍ ଅଛି। ସମସ୍ତ ଅଭିଯୁକ୍ତ ନିକଟସ୍ଥ ଗାଁର ବାସିନ୍ଦା । ପୁଲିସ କହିଛି କି ଅଭିଯୁକ୍ତଙ୍କ ପାଖରେ ପୀଡ଼ିତାଙ୍କର ମୋବାଇଲ ଫୋନ୍ ଥିଲା । ସେଥିରୁ କଲ୍ କରାଯାଇଥିଲା । ଫଳରେ ଟାୱାର ଲୋକେସନ ଆଧାରରେ ସେମାନଙ୍କୁ ଧରାଯାଇଛି । ଅଭିଯୁକ୍ତଙ୍କୁ ୧୦ ଦିନିଆ ପୁଲିସ ରିମାଣ୍ଡରେ ନେଇଛି। ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ଅନ୍ୟ ଫେରାର ଅଭିଯୁକ୍ତକୁ ଧରିବା ଲାଗି ଉଦ୍ୟମ ଜାରି ରହିଥିବା ପୁଲିସ କହିଛି ।