ପୁରୀ,୧୨/୦୯: ସୁସ୍ଥ କ୍ରାନ୍ତି ନେପାଳରୁ ସୃଷ୍ଟି ହେବ । ଭାରତ ଓ ସମଗ୍ର  ବିଶ୍ୱ ଏଥିରୁ ଶିକ୍ଷା ନେବ । ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ  ସରସ୍ୱତୀ ୨୦୧୮ରେ ଦେଇଥିବା ଏଭଳି ଏକ ବକ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ  ଭାଇରାଲ ହେଉଛି । ନେପାଳର  ରାଜଧାନୀ କାଠମାଣ୍ଡୁଠାରେ ଏକ ଧାର୍ମିକ ସଭାରେ ସେ  ରଖିଥିବା ସମ୍ବୋଧନରେ ଏଭଳି  ଚେତାବନୀପୂର୍ଣ୍ଣ ଭବିଷ୍ୟବାଣୀ  କରିଥିଲେ । ଶାସନ ଓ ଦଣ୍ଡ  କିପରି ହେବା ଉଚିତ୍‌ ସେ  ଉଲ୍ଲେଖ କରିଥିଲେ ।

ନେପାଳ ପ୍ରଧାନମନ୍ତ୍ରୀଙ୍କୁ  ସେ କହିଥିଲେ, ନେପାଳର ରାଜା ପଶୁପତିନାଥ । ଏଠାରେ ପଶୁପତିନାଥଙ୍କ ଶାସନ ଚାଲେ । ତେଣୁ ବେଦ ଅନୁଯାୟୀ ସଂସ୍କାର ଓ ସୁରକ୍ଷିତ ଶାସନ ହେବା ଉଚିତ୍‌ । ବିଶ୍ୱରେ ସନାତନ ବୈଦିକ ଶାସନତନ୍ତ୍ର ସ୍ଥାପିତ ହେଲେ ସମସ୍ତଙ୍କ ପୋଷକ ହେବ । କାହାରି ଶୋଷଣ ହେବନି । ଏହା ଅପେକ୍ଷାରେ  ମୁଁ ରହିଛି ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ ।

ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଓ  ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇ କହିଥିଲେ,  ବିଶ୍ୱରେ ସୁସ୍ଥ କ୍ରାନ୍ତିର ଆରମ୍ଭ ନେପାଳରୁ  ହେବ । ଏହା ସମସ୍ତଙ୍କ  ଉପଯୋଗରେ ଆସିବ । ସନାତନ ବୈଦିକ ଶାସନ ତନ୍ତ୍ର  ନିଜ ସ୍ୱରୂପରେ ପ୍ରତିଷ୍ଠା ହେଲେ  ଅନ୍ୟ ତନ୍ତ୍ରର ଶାସନ ଆବଶ୍ୟକ  ପଡ଼ିବନି । ସେହିପରି ଚୀନ୍‌,  ରୁଷ, ଆମେରିକା, ଇଂଲଣ୍ଡଙ୍କୁ  ଚେତାବନୀ ଦେଇ ଭାଗବତ ସପ୍ତମ ସ୍କନ୍ଦରେ  ବର୍ଣ୍ଣିତ ଯୁଧିଷ୍ଠିରଙ୍କୁ ନାରଦ ଦେଇଥିବା  ଉପଦେଶର ଉଦାହରଣ ଦେଇଥିଲେ ।  ଦେହ ଢାଙ୍କିବାକୁ ବସ୍ତ୍ର, ପେଟ ପୂରିବାକୁ  ଖାଦ୍ୟ, ବୈଦିକ କାର୍ଯ୍ୟ, ଋଷି ଓ ଅତିଥିଙ୍କ  କାର୍ଯ୍ୟ ନିମନ୍ତେ ଆବଶ୍ୟକ ଧନଠାରୁ ଅଧିକ  ଉପରେ କେହି ଅଧିକାର କଲେ ସେ ଚୋର ।  ସେ ଦଣ୍ଡର ପାତ୍ର । ସେହିପରି ଦୁଇ ଜଣ  ଦଣ୍ଡର ପାତ୍ର ବୋଲି ବିଦୂର ଧୃତରାଷ୍ଟ୍ରଙ୍କୁ  କହିଥିଲେ ।

ସେ କହିଥିଲେ, ଦଣ୍ଡଧାରୀର  କର୍ତ୍ତବ୍ୟ ଅନୁଯାୟୀ ଧନ ରଖିବ । କେହି ଧନୀ  ଥିଲେ ନିଜର ଧନର ସଦୁପଯୋଗ ଅନ୍ୟର  ହିତରେ କରିବ । ଧନକୁ ନିଜ ଉପଭୋଗ  ନିମନ୍ତେ ବ୍ୟବହାର କଲେ ସେ ଦଣ୍ଡର ପାତ୍ର ।  ସେହିପରି ସ୍ୱସ୍ଥ ଶରୀର ଥାଇ କେହି କାର୍ଯ୍ୟ ନ  କଲେ ବା ବିଳାସୀ ହେଲେ ସେ ଦଣ୍ଡର ପାତ୍ର  ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ ।  

ନିଜ ଧର୍ମ ପାଳନରେ ପ୍ରମାଦ ହେବାରୁ  କମ୍ୟୁନିଷ୍ଟଙ୍କ ପ୍ରାଦୁର୍ଭାବ ଦେଖାଦେଇଛି ।  ସନାତନ ବୈଦିକ ଆର୍ଯ୍ୟ ଧର୍ମ ପ୍ରତିଷ୍ଠାରେ  ଅବହେଳା ପାଇଁ ସେ ନିଜ ଗାଦିକୁ ଦୋଷ  ଦେଇଛନ୍ତି । ସନାତନ ବୈଦିକ ଆର୍ଯ୍ୟ ସିଦ୍ଧାନ୍ତ  ପ୍ରତିଷ୍ଠା ହୋଇଥିଲେ ସମଗ୍ର ବିଶ୍ୱ ଆମର ଓ  ଆମେ ସମସ୍ତଙ୍କର ହୋଇଥାଆନ୍ତେ ବୋଲି  ଶଙ୍କରାଚାର୍ଯ୍ୟ ସେତେବେଳେ କହିଥିଲେ ।