ନୂଆଦିଲ୍ଲୀ: ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମ ୟୁପିଆଇ, କେବଳ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ବିଦେଶରେ ମଧ୍ୟ ଏହା ବେଶ୍ ଲୋକପ୍ରିୟ ହୋଇଛି। ୟୁଏଇ, ଫ୍ରାନ୍ସ, ସିଙ୍ଗାପୁର ଭଳି ଦେଶରେ ଏହାଦ୍ବାରା ଭାରତୀୟମାନେ ନେଣଦେଣ କରିପାରୁଥିବାବେଳେ, ଏବେ ଏହିକ୍ରମରେ ଆଉ ଏକ ଦେଶର ନାଁ ଯୋଡ଼ି ହୋଇଛି। ଭାରତୀୟଙ୍କ ଜୀବନର ଏକ ଅଂଶ ହୋଇସାରିଥିବା ୟୁପିଆଇ ଏବେ କତାରରେ ମଧ୍ୟ ବ୍ୟବହାର ହୋଇପାରିବ। କତାରରେ ୟୁପିଆଇ ସେବା ପାଇଁ ଏନପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟ୍ସ ଲିମିଟେଡ (NIPL) ଏବଂ କତାର ନ୍ୟାସନାଲ ବ୍ୟାଙ୍କ୍ (QNB) ସହଭାଗିତାରେ କତାରରେ ୟୁପିଆଇ ସେବାର ଆରମ୍ଭ ହୋଇଛି।

ତେବେ ଡିଲ୍ ଅନୁସାରେ ବର୍ତ୍ତମାନ ଭାରତୀୟ ଯାତ୍ରୀ କତାରର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଏବଂ କତାର ଡ୍ୟୁଟି ଫ୍ରି ଆଉଟଲେଟ୍ ମାନଙ୍କରେ ସହଜରେ ୟୁପିଆଇ ଦ୍ବାରା ପେମେଣ୍ଟ କରିପାରିବେ। ପୂର୍ବରୁ ଭାରତୀୟ ଯାତ୍ରୀଙ୍କୁ କତାରରେ କିଣାକିଣା କିମ୍ବା କୌଣସି ସେବାର ଲାଭ ନେବା ପାଇଁ ନଗଦ କିମ୍ବା କ୍ରେଡିଟ୍ ଏବଂ ଡେବିଟ୍ କାର୍ଡର ସାହାଯ୍ୟ ନେବାକୁ ପଡ଼ିଥିଲା। ହେଲେ ଏବେ ୟୁପିଆଇ ଯୋଗୁ ଏହା ସହଜ ହୋଇପାରିବ। ଭାରତୀୟ ଯାତ୍ରୀ ନିଜ ମୋବାଇଲରୁ ସିଧାସଳଖ ସ୍କାନ କରି ପେମେଣ୍ଟ କରିପାରିବେ। କତାରର ଡ୍ୟୁଟି ଫ୍ରି ଷ୍ଟୋରକୁ ପ୍ରତିଦିନି ହଜାର ହଜାର ଭାରତୀୟ ଯାଉଥିବାରୁ ଏହା ସେମାନଙ୍କୁ ପାଇଁ ବେଶ୍ ଆଶ୍ବସ୍ତିକର ହେବ।

ସୂଚନାଥାଉକି, କତାରକୁ ଆସୁଥିବା ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ଭାରତ ଦ୍ବିତୀୟ ନମ୍ବରରେ ରହିଛି। ଏମିତିରେ ଏହି ପଦକ୍ଷେପ ଦ୍ବାରା ଭାରତୀୟ ଯାତ୍ରୀଙ୍କୁ ସବୁଠୁ ଅଧିକ ଉପକୃତ ହେବେ।

ଏହି ପଦକ୍ଷେପ କେବଳ ଭାରତୀୟ ଯାତ୍ରୀଙ୍କୁ ଆଶ୍ବସ୍ତି ଦେବ ତାହା ନୁହେଁ ବରଂ କତାରର ବିଜନେସ ଏବଂ ଟୁରିଜିମ ସେକ୍ଟରକୁ ମଧ୍ୟ ନୂଆ ଦିଗ ଦେବ। ୟୁପିଆଇ ପେମେଣ୍ଟ ଆରମ୍ଭ ହେବା ଦ୍ବାରା QNB ସହ ଜଡ଼ିତ ବ୍ୟବସାୟୀଙ୍କ ଟ୍ରାଞ୍ଜାକ୍ସନ ଭଲ୍ୟୁମ ବଢ଼ିବ। ଫଳରେ କତାରରେ ଦୋକାନୀ ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ସହ ଅଧିକ ଗ୍ରାହକ ସିଧାସଳଖ ଯୋଡ଼ିହୋଇପାରିବେ। ସେମାନଙ୍କ ଆମଦାନୀ ମଧ୍ୟ ବଢ଼ିବ ଏବଂ ଦେଶର ଅର୍ଥନୀତି ମଧ୍ୟ ମଜଭୁତ ହେବ।

ଏହି ସହଭାଗୀତା ପୁଣିଥରେ ଭାରତର ଡିଜିଟାଲ୍ ଶକ୍ତି ଏବଂ UPIର ବିଶ୍ୱ ଲୋକପ୍ରିୟତାକୁ ପ୍ରଦର୍ଶନ କରୁଛି। ପୂର୍ବରୁ ୟୁଏଇ, ଫ୍ରାନ୍ସ, ସିଙ୍ଗାପୁର, ଭୁଟାନ, ନେପାଳ, ମରିସସ ଏବଂ ଶ୍ରୀଲଙ୍କା ଭଳି ଦେଶରେ UPI ଗ୍ରହଣ କରାଯାଇଥିଲା। ଆଉ ବର୍ତ୍ତମାନ କତାର ଏହି ତାଲିକାରେ ସାମିଲ ହୋଇଛି। ତେଣୁ ଏହା ସ୍ପଷ୍ଟ ଯେ ଭବିଷ୍ୟତରେ ଅଧିକ ଦେଶରେ UPI ଆରମ୍ଭ ହେବ। ଯାହା ଭାରତୀୟ ଯାତ୍ରୀମାନଙ୍କୁ ସବୁଠି ନଗଦବିହୀନ, ସୁରକ୍ଷିତ ଏବଂ ସହଜ ପେମେଣ୍ଟର ସୁବିଧା ପ୍ରଦାନ କରିବ।