ରାୟଗଡ(ଗଜପତି)୨୭/୧୦: ସମ୍ଭାଵ୍ୟ ବାତ୍ୟା ମନ୍ଥାକୁ ନେଇ ଗଜପତି ଜିଲ୍ଲାର ରାୟଗଡ ବ୍ଲକବାସୀ ପୁରା ଭୟଭୀତ୍ତ ହୋଇ ରହିଥିବା ଜଣାପଡିଛି l ବିଭିନ୍ନ ସ୍ଥାନରେ ଆଜି ସକାଳୁ ହାଲକା ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଏହାର ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ଜଣାପଡିଛି।

ବ୍ଲକର ସମସ୍ତ ୩୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବାବେଳେ ବର୍ତମାନ ସୁଦ୍ଧା ପ୍ରାୟ ୧୫୦୦ ଜଣଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଶୁଖିଲା ଖାଦ୍ୟ ମହଜୁଦ ରଖିବା ସହ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଜିଲ୍ଲାପାଳ କହିଛନ୍ତି l ବ୍ଲକରେ ୨୦ଟି ଭୂଷ୍କଳନ ପ୍ରବଣ ଅଞ୍ଚଳ ଚି଼ହ୍ନଟ କରାଯାଇଥିବବେଳେ ସେଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଡକାଵାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ତେବେ ଆହୁରି କେତେକ ଗ୍ରାମର ବିପଦସଂକୁଳ ପରିସ୍ଥିତିରେ ରହିଥିବା ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣି ରଖାଯିବାର ଉଦ୍ୟମ ଜାରି ରହିଥିବା ଦେଖିବାକୁ ମିଳିଛି।

ସେହିପରି ସାନତୁଣ୍ଡି ପଂଚାୟତ ଅନ୍ତର୍ଗତ ବାହାଡାପଦା ଗ୍ରାମ ମହେନ୍ଦ୍ରତନୟା ନଦୀ ପାର୍ଶ୍ୱକୁ ଲାଗି ରହିଥିବା ବେଳେ ଗ୍ରାମରେ ବସବାସ କରୁଥିବା ପ୍ରାୟ ୬୦ ଜଣଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳକୁ ଆଣିବାରେ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ  ଫେଲ ମାରଛି। ଖବର ଲେଖାହେବା ପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର କରାଯାଇନାହିଁ l ଏନେଇ ବିଡ଼ିଓ ସନ୍ତୋଷ କୁମାର ବାରିକଙ୍କ ସହ ଯାଗାଯୋଗ କରାଯଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବା ପାଇଁ ଇଚ୍ଛା ପ୍ରକାଶ କରିନଥିଲେ।

ରାୟଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ସବୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଜରୁରକାଳୀନ ପରିସ୍ଥିତିରେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଆସନ୍ତା ନଭେମ୍ବର ୧୦ ତାରିଖ ମଧ୍ୟରେ ପ୍ରସବ ହେବାକୁ ଚି଼ହ୍ନଟ ହୋଇଥିବା ସମସ୍ତ 26 ଜଣ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ମେଡିକାଲ ଓ ମାଆ ଗୃହକୁ ଅଣାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଯୋଗାଇ ଦିଆଯାଉଥିବା ରାୟଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସବୀର କୁମାର ବଳ କହିଛନ୍ତି l ଏଥି ସହିତ ଅଗ୍ନିଶମ ବାହିନୀ ଦ୍ୱାରା ବିଭିନ୍ନ ସ୍ଥାନରେ ବିପଦ ସଂକୁଳ ଅବସ୍ଥାରେ ଥିବା ବଡ଼ ବଡ଼ ଗଛକୁ  ଚିହ୍ନଟ କରି ପବନରେ ଭାଙ୍ଗିଯିବା ଆଶଙ୍କାରେ ସେଗୁଡିକୁ କାଟି ଦିଆଯାଇଥିବା ଜଣାପଡିଛି l ସେହିପରି ବାତ୍ୟାର ମୁକାବିଲା କରିବାକୁ ସମସ୍ତ ସରଞ୍ଜାମ ସହିତ ବିଭାଗୀୟ କର୍ମଚାରୀମାନେ ପ୍ରସ୍ତୁତ ରହିଥିବା ବିଭାଗୀୟ ଅଧିକାରୀ କହିଛନ୍ତି l

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଅକ୍ଟୋବର ୧୦ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ତିତିଲି ତାଣ୍ଡବରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ସବୁଠୁ ଅଧିକ କ୍ଷତି ସହିଥିବାବେଳେ ଗଙ୍ଗାବାଡ, କେରାଣ୍ଡି, କଇଁପୁର, ଲକ୍ଷ୍ମୀପୁର, ଗଣ୍ଡାହାତୀ, ଲାଇଲାଇ, ଏଙ୍ଗାରସିଂ ଆଦି ପଞ୍ଚାୟତର ସ୍ଥିତି ସମ୍ପୂର୍ଣ୍ଣ ବେହାଲ ହୋଇପଡ଼ିଥିଲାଏଥିରେ ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଘରଦ୍ୱାର ଭାଙ୍ଗିଯାଇଥିଲାଅନେକ ସ୍ଥାନରେ ଭୂଷ୍କଳନ ଘଟି ଯୋଗାଯୋଗ  ବିଛିନ୍ନ ହୋଇପଡିଥିଲା l ତେବେ ଦୀର୍ଘ ସାତ ବର୍ଷର ପୁରୁଣା ଭୟ ଏବେ ମଧ୍ୟ ଲୋକଙ୍କ ମନରେ ତାଜା ରହିଥିବା ବେଳେ ଚଳିତ ମାସ ଦଶହରା ଦିନ ହୋଇଥିବା ଲଗାଣ ବର୍ଷାରେ ମାର୍ଲବା ପଞ୍ଚାୟତ ଅନ୍ତର୍ଗତ ପେକଟ ଗ୍ରାମ ନିକଟ ବାଘମରା ପାହାଡ଼ରେ ଭୂସ୍ଖଳନ ହେବାରୁ ନିକଟସ୍ଥ ପାହାଡ଼ ତଳେ ନିଜ ଚାଷ ଜମିରେ କାମ କରୁଥିବା ସେହି ଗ୍ରାମର ବାପାପୁଅ ଏହାର ଶିକାର ହୋଇ ନିଖୋଜ ହୋଇଯାଇଥିଲେ l

ପ୍ରଶାସନ ପକ୍ଷରୁ କରାଯାଇଥିବା ଉଦ୍ଧାର କାର୍ଯ୍ୟ ପ୍ରଶଂସନୀୟ ହୋଇଥିଲେ ମଧ୍ୟ ଆଜି ଯାଏଁ ନିଖୋଜ ବାପା ପୁଅଙ୍କ ଖୋଜ ଖବର ମିଳିପାରିଲା ନାହିଁତେବେ ପ୍ରତ୍ୟେକ ସମୟରେ ରାୟଗଡ ବ୍ଲକ ସାମୁଦ୍ରିକ ଝଡ଼, ବାତ୍ୟା କିମ୍ବା ଲଘୁଚାପ ଜନିତ ବର୍ଷାର ଶିକାର ହେଉଥିବାରୁ ଚଳିତ ବାତ୍ୟା ମନ୍ଥା ଲୋକଙ୍କ ନିଦ ହଜେଇ ଦେଇଛିତେବେ ବାତ୍ୟା ମନ୍ଥାକୁ ନେଇ ଲୋକେ ଯେତିକି ଆତଙ୍କିତ, ପ୍ରଶାସନ ମଧ୍ୟ ଏହାକୁ ମୁକାବିଲା କରିବା ପାଇଁ ତତ୍ପରତା ଦେଖାଉଥିବା ଦେଖିବାକୁ ମିଳିଛି