ମୁମ୍ବାଇ,୦୧/୧୧:ଆଜିକାଲି ନିଜ ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରଶ୍ମିକା ମନ୍ଦାନା । ଗୋଟିଏ ପରେ ଗୋଟିଏ ଫିଲ୍ମ ହିଟ୍ ହେବା ପରେ ଏବେ ବେଶ ଲୋକପ୍ରିୟତା ସାଉଁଟୁଛନ୍ତି । ସେଥିମଧ୍ୟରେ 'ମାଇସା' ଅନ୍ୟତମ । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସେ ଆକ୍ସନ କରୁଥିବା ବି ନଜର ଆସିବେ ।
ନିକଟରେ ମାଇସା ନିର୍ମାତାମାନେ ଫିଲ୍ମ ପାଇଁ ଏକ ନୂତନ ମୋସନ୍ ପୋଷ୍ଟର ରିଲିଜ୍ କରିଥିଲେ, ଯେଉଁଥିରେ ରଶ୍ମିକାଙ୍କୁ ଏକ ଶକ୍ତିଶାଳୀ ଲୁକରେ ନଜର ଆସିଛନ୍ତି । ଯାହାକୁ ନେଇ ଏକ ସାକ୍ଷାତକାରରେ ରଶ୍ମିକା ନିଜ ଚରିତ୍ର ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ , "ମୁଁ ଆକ୍ସନ ସିନେମା କରିବାକୁ ଭଲ ପାଏ ଏବଂ ମୁଁ ବର୍ତ୍ତମାନ ମାଇସା ଉପରେ କାମ କରୁଛି । ଏହା ମୋ ପାଇଁ ଏକ ସ୍ୱପ୍ନ ସତ ହେବା ଭଳି । ଏହି ଚରିତ୍ରରେ ବହୁତ ଗଭୀରତା ଏବଂ ଚ୍ୟାଲେଞ୍ଜ ଅଛି । ଏହି ଚଳଚ୍ଚିତ୍ର ତାଙ୍କୁ ଅଭିନୟର ନୂତନ ଦିଗ ଅନୁସନ୍ଧାନ କରିବାର ସୁଯୋଗ ଦେଇଥିଲା ।"ନିର୍ମାତାମାନେ ପ୍ରକାଶ କରିଛନ୍ତି ଯେ , ଫିଲ୍ମର ଏକ ସ୍ୱତନ୍ତ୍ର ଝଲକ ଖୁବ୍ ଶୀଘ୍ର ପ୍ରଶଂସକମାନଙ୍କ ପାଇଁ ମୁକ୍ତିଲାଭ କରିବ । ମାଇସା ବର୍ଷର ସବୁଠାରୁ ରୋମାଞ୍ଚକର ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହେବାକୁ ଯାଉଛି ।ଅନଫର୍ମୁଲା ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏବଂ ରବିନ୍ଦ୍ର ପୁଲେଙ୍କ ନିର୍ଦ୍ଦେଶିତ, ମାଇସା ହେଉଛି ଜଙ୍ଗଲରେ ରହୁଥିବା ଲୋକଙ୍କ କାହାଣୀ ଉପରେ ଆଧାରିତ ଏକ ଭାବପ୍ରବଣ ଆକ୍ସନ୍ ଫିଲ୍ମ । ଏହି ଫିଲ୍ମରେ ସୁନ୍ଦର ଦୃଶ୍ୟ, ଏକ ହୃଦୟସ୍ପର୍ଶୀ କାହାଣୀ ଏବଂ ରଶ୍ମିକାଙ୍କ ଚମତ୍କାର ଅଭିନୟ ରହିଛି । ଏହି ଫିଲ୍ମଟି ୨୦୨୬ ରେ ତାମିଲ, ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟଲମରେ ରିଲିଜ୍ ହେବ।