ନୂଆଦିଲ୍ଲୀ ୦୫/୧୦: ବେଶ୍‌ କିଛି ବର୍ଷ ଧରି ଡେଟିଂ କରିବା ପରେ ଶେଷରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ସାଉଥ୍‌ ସୁପରଷ୍ଟାର ବିଜୟ ଦେବେରକୋଣ୍ଡାଙ୍କ ନିର୍ବନ୍ଧ ହୋଇଛି । ଶୁକ୍ରବାର ଉଭୟଙ୍କ ପରିବାର ଲୋକ ଏବଂ କିଛି ଘନିଷ୍ଠ ସଂପର୍କୀୟଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ବିଜୟଙ୍କ ଜନସଂପର୍କ ଟିମ୍‌ ଖବରକୁ ସ୍ପଷ୍ଟ କରିଛି । ଆସନ୍ତାବର୍ଷ ଫେବ୍ରୃଆରୀରେ ସେମାନେ ବିବାହ ପାଇଁ ଯୋଜନା କରୁଛନ୍ତି । ଖୁବ୍‌ ଶୀଘ୍ର ସେଥିନେଇ ଘୋଷଣା ହୋଇପାରେ ।

୨୦୧୮ରୁ ରଶ୍ମିକା ଓ ବିଜୟଙ୍କର ପ୍ରେମ ଆରମ୍ଭ ହୋଇଥିଲା । ସେହିବର୍ଷ ସେମାନଙ୍କୁ ଗୀତ ଗୋବିନ୍ଦମ୍‌ଫିଲ୍ମରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ସୁପରହିଟ୍‌ ହୋଇଥିଲା । ଏହାପରେ ୨୦୧୯ରେ ସେମାନେ ଆଉ ଏକ ସୁପରହିଟ୍‌ ଫିଲ୍ମ ଡିଅର କମ୍ବ୍ରେଡ୍‌ରେ ଯୋଡି଼ ବାନ୍ଧିଥିଲେ । ସେମାନଙ୍କର ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରି ଯେତିକି ହିଟ୍‌ ରହିଥିଲା ଅଫ୍‌ ସ୍କ୍ରିନ୍‌ ସଂପର୍କ ସେତିକି ଚର୍ଚ୍ଚାର ବିଷୟ ପାଲଟିଥିଲା । ଉଭୟଙ୍କୁ ଅନେକ ଅବସରରେ ଏକାଠି ଦେଖିବାକୁ ମିଳିଥିଲା ।

ତେବେ ରଶ୍ମିକା କିମ୍ବା ବିଜୟ କେହି କେବେ ଏହି ସଂପର୍କକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିନଥିଲେ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ରଶ୍ମିକାଙ୍କୁ ଆଗକୁ ଥାମାରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ଆୟୁଷ୍ମାନ ଖୁରାନା ନଜର ଆସିବେ । ଚଳିତବର୍ଷ ଦୀପାବଳିରେ ଫିଲ୍ମଟି ରିଲିଜ୍‌ ହେବ । ସେହି ଫିଲ୍ମ ବ୍ୟତୀତ ରଶ୍ମିକା ମଧ୍ୟ କକ୍‌ଟେଲ୍‌୨ରେ ନଜର ଆସିବେ । ସେଥିରେ ତାଙ୍କ ସହିତ ଶାହିଦ୍‌ କପୁର ଓ କ୍ରିତି ସାନନ୍‌ଙ୍କୁ ଦେଖିବାକୁ ମିଳିବ ।