​​​ରାୟଗଡ଼ା,୦୮/୧୦: ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାରିତ । ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଅନାସ୍ଥା ଭୋଟିଂ ହେବ । ଅକ୍ଟୋବର ୯ ତାରିଖରେ ଭୋଟିଂ ପାଇଁ ଗତ ସେପ୍ଟେମ୍ବର ୨୨ ତାରିଖରୁ ନୋଟିସ ଜାରି ହୋଇଛି । ଜିଲ୍ଲାପାଳ ଆଶୁତୋଷ କୂଲକର୍ଣ୍ଣି ଚିଠି ନମ୍ବର ୧୮୯୧ରେ  ନୋଟିସ ଜାରି କରିଛନ୍ତି । ପୌର ପରିଷଦ ତରଫରୁ ସମସ୍ତ ୨୪ଜଣ କାଉନସିଲରଙ୍କୁ ଅନାସ୍ଥା ଭୋଟିଂ ନେଇ ଲିଖିତ ଅବଗତ କରାଯାଇଛି । ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସମସ୍ତ କାଉନସିଲରଙ୍କୁ ହ୍ବିପ୍ ଜାରି କରିଛି ବିଜେଡି ।

ହ୍ବିପ୍ ସମ୍ପର୍କରେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଆଜି ଜିଲ୍ଲାପାଳ ଆଶୁତୋଷ କୂଲକର୍ଣୀଙ୍କୁ ଭେଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜାରି କରିଥିବା ହ୍ବିପ୍ ପତ୍ର ପ୍ରଦାନ କରିଛନ୍ତି । ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ବିରୋଧରେ ଭୋଟ୍ ଦେବାକୁ ହ୍ବିପରେ ଉଲ୍ଲେଖ ଅଛି । ଏଣେ ଏହି ଅନାସ୍ଥା ପ୍ରସ୍ତାବ ପାଇଁ ରାୟଗଡ଼ା ରାଜନୀତି ଉଠୁଛି ପଡୁଛି । ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା ଏବଂ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ବିଜେଡ଼ି ଛାଡିବା ପରେ ଗତ ସେପ୍ଟେମ୍ବର ୧୨ ତାରିଖରେ ୧୯ଜଣ କାଉନସିଲର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଥିଲେ । ଏହାପରେ ଗତ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଥିଲେ । ଏଥିସହ ପୌର ପରିଷଦରେ ଅନିୟମିତତା ଅଭିଯୋଗ ମଧ୍ୟ ସେ ଆଣିଥିଲେ। ଅନେକ ଆଗଧାଡିର ନେତା ଦଳ ଛାଡିବା ପରେ ବିଜେଡି ଜିଲ୍ଲାରେ ଗୋଟିଏ ପାଦ ପଛରେ ଥିବା ବେଳେ ଏହି ଅନାସ୍ଥା ଆସନ୍ତାକାଲି କେଉଁ ମୋଡ ନେଉଛି ତାହା ଦେଖିବାକୁ ରହିଲା।