ରାୟଗଡା/ଅମ୍ବାଦଳା(ଆପ୍ର)- ଶୁକ୍ରବାର ହାଇଦ୍ରାବାଦରୁ ବେଙ୍ଗାଲୁର ଅଭିମୁଖେ ଯାଉଥିବା ଏକ ବସ୍ ତେଲେଙ୍ଗାନା ରାଜ୍ୟ କୁରନୁଲ ଜିଲ୍ଲା ଚିନାଟେକୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗି ଜଳି ଯାଇଥିଲା। ଏଥିରେ ରାୟଗଡା ଜିଲ୍ଲାର ଜଣେ ଯୁବକର ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର କେଙ୍ଗୁଆ ଦୀପକ କୁମାର।
ସେ ହାଇଦ୍ରାବାଦ ଠାରେ ନିଜ ଭଉଣୀଙ୍କ ସାଙ୍ଗରେ ରହୁଥିଲେ। ବେଙ୍ଗାଲୁରର ଆଇଟି ସେକ୍ଟରରେ ସଫ୍ଟଓୟାର ଇଞ୍ଜିନିୟର ଭାବେ କାମ କରୁଥିଲେ। ଗତ ୨୩ ତାରିଖରେ ହାଇଦ୍ରାବାଦ୍ ଠାରୁ ବସ୍ ଯୋଗେ ବେଙ୍ଗାଲୁର ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ଶନିବାର ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହ ଡିଏନଏ ଟେଷ୍ଟ କରିବା ପରେ ଦୀପକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ମୃତ ଦେହକୁ ୪୮ ଘଣ୍ଟା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଖବର ଆସିବା ପରେ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୀପକ ବାପା ମାଆର ଗୋଟିଏ ସନ୍ତାନ ହୋଇଥିବାରୁ ପରିବାର ଲୋକ ଭାଙ୍ଗି ପଡିଛନ୍ତି।