ନୂଆଦିଲ୍ଲା, ୦୯/୧୦: ମରୁଭୂମି ଥିଲା ଲୋହିତ ସାଗର । ଭାରତ ମହାସାଗର ପାଇଁ ଜଳାର୍ଣ୍ଣବ । ଭୟଙ୍କର ବନ୍ୟାରେ ଭରିଲା ପାଣି । ସୃଷ୍ଟି ହେଲା ୩୨୦ କିମିର କ୍ୟାନିୟନ । ହିଁ ଆଜ୍ଞା, ଏ ବିସ୍ମୟ ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ବୈଜ୍ଞାନିକଙ୍କ ଗବେଷଣା, ବର୍ଷ ବର୍ଷ ଧରି ଲୁଚି ରହିଥିବା ରହସ୍ୟ ଉପରୁ ପରଦା ହଟାଉଛି । ଇତିହାସକୁ ଲୋକଙ୍କ ସାମ୍ନାକୁ ଆଣୁଛି । ସମୁଦ୍ର ବିଜ୍ଞାନୀ ମାନେ ଗବେଷଣା କରି ଏଭଳି କିଛି ତଥ୍ୟ ରଖିଛନ୍ତି, ଯାହା ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହୋଇଯିବେ । ଏସିଆ ଏବଂ ଆଫ୍ରିକାକୁ ଅଲଗା କରୁଥିବା ରେଡ୍ ସି’ ବା ଲୋହିତ ସାଗର ୬୨ ଲକ୍ଷ ବର୍ଷ ପୂର୍ବେ ମରୁଭୂମି ପାଲଟିଥିଲା । ପ୍ରାୟ ଲକ୍ଷେ ବର୍ଷ ଧରି ଲବଣ ମରୁସ୍ଥଳରେ ପରିଣତ ହୋଇଥିଲା । ହେଲେ ଅଚାନକ ଏଥିରେ ପାଣି ଭରି ଗଲା ଏବଂ ଏକ ଅଣଓସାରିଆ ସାଗରରେ ପରିଣତ ହେଲା । ଏସବୁ କେବଳ ଭାରତ ମହାସାଗର ପାଇଁ ସମ୍ଭବ ହୋଇଛି ।
ସାଉଦି ଆରବର କିଙ୍ଗ ଅବଦୁଲ୍ଲା ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିର ଗବେଷକ ତିହାନା ପେସ୍ନା ଦେଇଥିବା ତଥ୍ୟରେ କୁହାଯାଇଛି, ଲୋହିତ ସାଗର ବେସିନ ଚରମ ଜଳବାୟୁ ପରିବର୍ତ୍ତନର ସାମ୍ନା କରିଥିଲା । ସମୁଦ୍ର ଧୀରେ ଧୀରେ ପାଣି ଶୋଷିବାକୁ ଲାଗିଲା ଏବଂ ମରୁଭୂମି ପାଲଟିଗଲା ରେଡ୍ ସି’ । ହେଲେ ୬୨ ଲକ୍ଷ ବର୍ଷ ତଳେ ଇଣ୍ଡିଆ ଓସିଏନରେ ଆସିଥିବା ଭୟଙ୍କର ବନ୍ୟା, ସୁପ୍ତ ସମୁଦ୍ର ପୁଣି ଥରେ ସଜଳ କରିଦେଇଥିଲା । ପାଣିର କରେଣ୍ଟରେ ୩୨୦ କିଲୋମିଟରର ଏକ କ୍ୟାନିୟନ ସୃଷ୍ଟି ହୋଇ ରେଡ୍ ସି’କୁ ଜଳପୂର୍ଣ୍ଣ କରିଥିଲା । ଆଉ ଭାରତ ମହାସାଗର ସହିତ ଭୂମଧ୍ୟସାଗରକୁ ଯୋଡ଼ିଥିଲା ।
କିପରି ସୃଷ୍ଟି ହୋଇଥିଲା ଲୋହିତ ସାଗର ? ଏହା ଉପରେ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୩୦ ନିୟୁତ ବର୍ଷ ପୂର୍ବେ ଭୂଚଳ ଯୋଗୁଁ ରେଡ୍ ସି’ ସୃଷ୍ଟି ହୋଇଥିଲା । ଆଫ୍ରିକୀୟ ଏବଂ ଆରବୀୟ ଟେକ୍ଟୋନିକ୍ ପ୍ଲେଟ୍ ସ୍ଲିଟ୍ ହେବା ବା ଅଲଗା ହେବା ଦ୍ବାରା ସେହି ସ୍ଥାନରେ ଏକ ଗଭୀର ଉପତ୍ୟକା ସୃଷ୍ଟି ହୋଇଥିଲା । ପ୍ରାୟ ୨୩ ନିୟୁତ ବର୍ଷ ପୂର୍ବେ ଭୂମଧ୍ୟସାଗର ଦ୍ବାରା ଏହା ପରିପୂର୍ଣ୍ଣ ହୋଇଥିଲା । ମାତ୍ର ୬ ନିୟୁତ ବର୍ଷ ତଳେ ଲୋହିତ ସାଗରରେ ଲୁଣ ସଙ୍କଟ ଦେଖା ଦେଇଥିଲା । ସମୁଦ୍ର ଧୀରେ ଧୀରେ ଶୁଖିବାକୁ ଲାଗିଲା ଏବଂ ୨ କିଲୋମିଟର ପର୍ଯ୍ୟନ୍ତ ଲୁଣ ଜମିଯାଇଥିଲା । ଯାହାଫଳରେ ସମୁଦ୍ରଜୀବ ସବୁ ଜଳ ସମାଧି ନେଇଥିଲେ । ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି, ରେଡ୍ ସି’ ସମ୍ପୂର୍ଣ୍ଣ ଭାବେ ଶୁଷ୍କ ହୋଇ ଏକ ଲୁଣ ମରୁଭୂମିରେ ପରିଣତ ହୋଇଯାଇଥିଲା ।
ଗବେଷକ ମାନେ ବିଶ୍ବାସ କରନ୍ତି, ଭାରତ ମହାସାଗରରୁ ଲୋହିତ ସାଗରକୁ ଜଳ ଏବଂ ଜୀବନ ଫେରିଥିଲା । ଆଡେନ୍ ଉପସାଗରରେ ଆଗ୍ନେୟ ଉଦ୍ଗୀରଣ ଯୋଗୁ ସମୁଦ୍ର ଭିତରେ ପର୍ବତ ଫାଟିଥିଲା । ଯାହା ଫଳରେ ସୁନାମୀ ଆସିଥିଲା । ଭାରତ ମହାସାଗର ପାଣିରେ ଏତେ ଭୟଙ୍କର କରେଣ୍ଟ ସୃଷ୍ଟି ହୋଇଥିଲା ଯେ, ଆଡେନ୍ ଉପସାଗରରୁ ଲୋହିତ ସାଗର ପର୍ଯ୍ୟନ୍ତ ୩୨୦ କିଲୋମିଟର ଲମ୍ବା ଏବଂ ୮ କିଲୋମିଟର ଚଉଡାରେ ଏକ କ୍ୟାନିୟନ ସୃଷ୍ଟି ହୋଇ ପାଣି ଭରିଯାଇଥିଲା । କହିବାକୁ ଗଲେ ପୃଥିବୀର ସବୁଠାରୁ ଚରମ ପରିବେଶଗତ ପରିବର୍ତ୍ତନ ମଧ୍ୟରୁ ଗୋଟିଏ । ଏଥିରୁ ସ୍ପଷ୍ଟ ଯେ ଟେକ୍ଟୋନିକ୍ ଚଳନ, ସମୁଦ୍ର ସ୍ତର ଏବଂ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ପରିବର୍ତ୍ତନ ଆଣିପାରେ।