ଭୁବନେଶ୍ବର,୭/୧୧ :  ନୂଆପଡ଼ା ଉପନିର୍ବାଚନ ଭୋଟ ଗ୍ରହଣ ଶେଷ ହେବାର ୪୮ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇଲେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ।  ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ ଏହି କଟକଣା ଲଗାଇଛନ୍ତି । ଏଥି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ଦ୍ଦେଶାବଳୀ ଗୁଡ଼ିକ ମଧ୍ୟରେ ରହିଛି ,

୧. ନୀରବ ଅବଧି

ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ଶେଷ ହେବ ।

୨. ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ପ୍ରସ୍ଥାନ

ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ, ପ୍ରଚାର ଅବଧି ଶେଷ ହେବା ପରେ ସେମାନେ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହିପାରିବେ ନାହିଁ ।

ନୂଆପଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ :

କ) କଲ୍ୟାଣ ମଣ୍ଡପ/ କମ୍ୟୁନିଟି ହଲ୍ ଇତ୍ୟାଦିରେ କୌଣସି ବାହାର ଅଂଚଳର ଲୋକ ରହୁଛନ୍ତି କି ନାହିଁ ତାହା ଯାଞ୍ଚ କରିବେ ।

ଖ) ଲଜ୍ ଓ ଅତିଥି ଗୃହ ଗୁଡ଼ିକର ଅତିଥି ତାଲିକା ଯାଞ୍ଚ କରିବେ ।

ଗ) ସୀମାନ୍ତରେ ଯାଞ୍ଚ ପୋଷ୍ଟ ସ୍ଥାପନ କରି ନିର୍ବାଚନ ମଣ୍ଡଳୀ ବାହାରର ଯାନବାହାନ ପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖିବେ ।

ଘ) ନିର୍ବାଚନମଣ୍ଡଳୀରେ କେବଳ ସ୍ଥାନୀୟ ଭୋଟରମାନେ ରହୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପରିଚୟ ପତ୍ର ଯାଞ୍ଚ କରିବେ ।

ଅନୁବନ୍ଧନରୁ ରିହାତି :

ଯଦି କୌଣସି ରାଜନୈତିକ ବ୍ୟକ୍ତିତ୍ବ ଚିକିତ୍ସା ନିମନ୍ତେ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ଅକ୍ଷମତା ପ୍ରକାଶ କରନ୍ତି, ତେବେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ପରାମର୍ଶ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ଏକ ମେଡିକାଲ ବୋର୍ଡ ଦ୍ଵାରା ଏହାର ଯାଞ୍ଚ କରାଯିବ । ଏପରି ଛାଡ଼ କେବଳ ନିର୍ବାଚନ ଆୟୋଗଙ୍କ ଅନୁମୋଦନ ସହିତ ବିଚାର କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତି ଭିଡ଼ିଓ ନିରୀକ୍ଷଣ ମଧ୍ୟରେ ରହିବା ସହିତ ସମସ୍ତ ରାଜନୈତିକ କାର୍ଯ୍ୟକଳାପରୁ ବିରତ ରହିବେ ।

୩. ସାଧାରଣ ସଭା ଏବଂ ପ୍ରଚାର ଉପରେ ପ୍ରତିବନ୍ଧକ

ମତଦାନ ଶେଷ ହେବାର ୪୮ଘଣ୍ଟା ପୂର୍ବରୁ ନିମ୍ନଲିଖିତ କାର୍ଯ୍ୟକଳାପଗୁଡ଼ିକ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି :

କ) କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ କରିବା, ସେଥିରେ ଯୋଗଦେବା କିମ୍ବା ସମ୍ବୋଧିତ କରିବା

ଖ) ସିନେମା, ଟେଲିଭିଜନ କିମ୍ବା କୌଣସି ସମାନ ଧରଣର ମାଧ୍ୟମରେ ନିର୍ବାଚନୀ ବିଷୟବସ୍ତୁ ପ୍ରଦର୍ଶନ କରିବା

ଗ) ଭୋଟରମାନଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସଂଗୀତ, ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରିବା  

ଏହି ସବୁ ନିୟମର ଉଲ୍ଲଂଘନ କାଲେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ହୋଇପାରେ  

୪. ମିଡ଼ିଆ କଭରେଜ୍ ଉପରେ କଟକଣା

କ) ଟେଲିଭିଜନ ଏବଂ ଡିଜିଟାଲ୍ ପ୍ଲାଟଫର୍ମ : ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ କୌଣସି ନିର୍ବାଚନ ସମ୍ବନ୍ଧୀୟ ବିଷୟ ବସ୍ତୁ କିମ୍ବା ଦୃଶ୍ୟର ପ୍ରସାରଣ କିମ୍ବା ପ୍ରଦର୍ଶନ କରାଯାଇପାରିବ ନାହିଁ । କିନ୍ତୁ, ଭୋଟ ହେବାକୁ ଥିବା ଅଂଚଳରେ ଭୋଟରମାନଙ୍କୁ ପ୍ରଭାବିତ କରୁନଥିବା ସାଧାରଣ ରାଜନୈତିକ ଖବରର ପ୍ରସାରଣକୁ ଅନୁମତି ଦିଆଯାଇଛି ।

ଖ) ରେଡ଼ିଓ ପ୍ରସାରଣ : ଧାରା ୧୨୬ ଅନୁଯାୟୀ ରେଡିଓକୁ "ସମାନ ଉପକରଣ" ଭାବରେ ବିବେଚନା କରାଯାଏ; ତେଣୁ, ନୀରବ ଅବଧି ମଧ୍ୟରେ କୌଣସି ନିର୍ବାଚନ ବିଷୟବସ୍ତୁ ଏହା ମାଧ୍ୟମରେ ପ୍ରସାରିତ କରାଯିବ ନାହିଁ।

୫. ମୁଦ୍ରିତ ଗଣମାଧ୍ୟମରେ ରାଜନୈତିକ ବିଜ୍ଞାପନ

ଜନପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୧୨୭କ ଅନୁଯାୟୀ :

କ) ପ୍ରତ୍ୟେକ ନିର୍ବାଚନ ପାମ୍ପଲେଟ କିମ୍ବା ପୋଷ୍ଟରରେ ମୁଦ୍ରକ ଏବଂ ପ୍ରକାଶକଙ୍କ ନାମ ଏବଂ ଠିକଣା ସ୍ପଷ୍ଟ ଭାବରେ ପ୍ରଦର୍ଶିତ ହେବା ଆବଶ୍ୟକ।

ଖ) ମୁଦ୍ରକମାନେ ମୁଦ୍ରିତ ସାମଗ୍ରୀ ଏବଂ ପ୍ରକାଶକଙ୍କ ଘୋଷଣାର ନକଲ ମୁଖ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପଠାଇବେ ।

ଏହା ବ୍ୟତୀତ, ଜିଲ୍ଲା କିମ୍ବା ରାଜ୍ୟସ୍ତରରେ ମିଡ଼ିଆ ପ୍ରମାଣୀକରଣ ଏବଂ ମନିଟରିଂ କମିଟି (MCMC) ଦ୍ୱାରା ପୂର୍ବ ପ୍ରମାଣିତ ନ ହୋଇ, ମତଦାନ ଦିନ କିମ୍ବା ଏହାର ଗୋଟିଏ ଦିନ ପୂର୍ବରୁ କୌଣସି ରାଜନୈତିକ ବିଜ୍ଞାପନ ଖବରକାଗଜରେ ପ୍ରକାଶିତ ହୋଇପାରିବ ନାହିଁ । ଏହି ପଦକ୍ଷେପ ସୁନିଶ୍ଚିତ କରେ ଯେ, ନିର୍ବାଚନ ପ୍ରକ୍ରିୟାର ଏହି ସମ୍ବେଦନଶୀଳ ପର୍ଯ୍ୟାୟରେ କୌଣସି ବିଭ୍ରାନ୍ତକାରୀ କିମ୍ବା ଉତ୍ତେଜନା ସୃଷ୍ଟିକାରୀ ବିଷୟବସ୍ତୁର ପ୍ରଦର୍ଶନ ହେବ ନାହିଁ ।

୬. ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ବ୍ୟବହାର ସମ୍ପର୍କିତ

ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକଙ୍କ ସମେତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ୪୮ ଘଣ୍ଟାର ନୀରବ ଅବଧି ମଧ୍ୟରେ ଫେସବୁକ୍, ଏକ୍ସ (ଟ୍ୱିଟର), ଇନଷ୍ଟାଗ୍ରାମ, ହ୍ୱାଟସଆପ୍ କିମ୍ବା ୟୁ-ଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ କୌଣସି ରାଜନୈତିକ ବିଷୟବସ୍ତୁର ପ୍ରସାରଣ କରିବାରୁ କଡାକଡି ଭାବରେ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି ।

ଡିଜିଟାଲ ମାଧ୍ୟମରେ ଭୋଟ ଦେବା ପାଇଁ ନିବେଦନ କରିବା, ରାଜନୈତିକ ପ୍ରଚାର ପାଇଁ ଉଦିଷ୍ଟ ବିଷୟବସ୍ତୁ ପ୍ରସାରିତ କରିବା ଏବଂ ଭୋଟରଙ୍କ ମତାମତକୁ ପ୍ରଭାବିତ କରିବାର ଯେକୌଣସି ପ୍ରୟାସକୁ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଧାରା ୧୨୬ର ଉଲ୍ଲଂଘନ ଭାବରେ ବିବେଚନା କରାଯିବ । ଏକ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ନାଗରିକମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଭାବେ ସମସ୍ତ କାର୍ଯ୍ୟ କରିବା ସହ ନିର୍ବାଚନରେ ପ୍ରଭାବ ପକାଉଥିବା ପୋଷ୍ଟ ଗୁଡ଼ିକୁ ବ୍ୟକ୍ତିଗତ ଗ୍ରୁପରେ ପୋଷ୍ଟ କିମ୍ବା ଫରୱାର୍ଡ ନ କରିବା ପାଇଁ ନିବେଦନ କରାଯାଉଛି। ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ସମସ୍ତଙ୍କୁ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଧାରା ୧୨୬ ଅନୁଯାୟୀ ଡିଜିଟାଲ ବ୍ୟବହାରର ସଂଯମତା ବଜାୟ ରଖିବାକୁ ଏବଂ ମତଦାନ ପୂର୍ବରୁ ଭୋଟରଙ୍କ ପାଇଁ ଏକ ଶୃଙ୍ଖଳିତ ଏବଂ ସମାବେଶୀ ପରିବେଶ ସୃଷ୍ଟି କରିବାକୁ ନିବେଦନ  କରିଛନ୍ତି ।