ମୁମ୍ବାଇ ୧୧/୦୨: ଭାରତୀୟ ଟେଲିଭିଜନ୍ର ସବୁଠୁ ଚର୍ଚ୍ଚିତ ଓ ବିବାଦୀୟ ଶୋ’ ‘ବିଗ୍ ବସ୍’ । ଏହାର ହୋଷ୍ଟ୍ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ । ଏବେ ‘ବିଗ୍ ବସ୍’ ସିଜନ୍-୧୯ ଚାଲିଥିବାବେଳେ ଶୋ’ର ପ୍ରଯୋଜକ ଋଷି ନେଗୀ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଶୋ’ର ସଂଚାଳନା ବିଷୟରେ ଆଲୋଚନା କରିଛନ୍ତି । ଖାସ୍କରି ସଲମାନଙ୍କୁ ହତ୍ୟା ଧମକ ପରବର୍ତ୍ତୀ ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି ।
ସଲମାନଙ୍କ ସୁରକ୍ଷାକୁ ନେଇ ସେଟ୍ରେ କି ବ୍ୟବସ୍ଥା କରାଯାଏ, ସେ ବିଷୟରେ କହିଛନ୍ତି । ସୁରକ୍ଷା ମାମଲାରେ ସେ ନିଜକୁ ଅତ୍ୟନ୍ତ ଯତ୍ନବାନ ବୋଲି କହିଛନ୍ତି । ବିଗ୍ ବସ୍ ସେଟ୍ ୩୬୫ ଦିନ ରହିଥାଏ । ସେଟ୍ରେ ପ୍ରାୟ ୬୦୦ ଲୋକ କାମ କରୁଛନ୍ତି । ୩ ଶିଫ୍ଟରେ କାମ ଚାଲେ । ସପ୍ତାହରେ ୭ ଦିନ, ୨୪ ଘଣ୍ଟା ସେମାନେ କାମ କରନ୍ତି । ଗତ ଅଢ଼େଇ ବର୍ଷ ହେଲା ସେଟ୍ରେ ସଲମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି । ସଲମାନ ସେଟ୍ରେ ଥିଲେ, ଲାଇଭ୍ ଦର୍ଶକ ନ ଥାନ୍ତି । ଶୋ’କୁ ଆସୁଥିବା ଲୋକଙ୍କ ବିଷୟରେ କଠୋର ନିୟମ ପାଳନ କରାଯାଏ । ସମସ୍ତଙ୍କ ପରିଚୟ ଭଲଭାବେ ଯାଞ୍ଚ୍ କରାଯାଏ । ଋଷି ‘ବିଗ୍ ବସ୍’ର ବିଷୟବସ୍ତୁ ଚୟନ କରିବାରେ ସଲମାନଙ୍କ ସହ ବିଚାର ବିମର୍ଷ କରନ୍ତି ।