ନୂଆଦିଲ୍ଲୀ, ୨୨/୦୯: ଭାରତୀୟ ଦଳ ଆସନ୍ତା ମାସ ଅଷ୍ଟ୍ରେଲିଆ ଗସ୍ତ କରି ସୀମିତ ଓଭର କ୍ରିକେଟ୍‌ ସିରିଜ୍ ଖେଳିବ । ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଟି-ଟ୍ୱେଣ୍ଟି  ଖେଳାଯିବ । ଆସନ୍ତା ଅକ୍ଟୋବର ୧୯ତାରିଖରୁ  ଦିନିକିଆ ସିରିଜ୍ ଆରମ୍ଭ ହେବ । ଏହି ସିରିଜ୍ ପାଇଁ ଆସନ୍ତା ୨/୩ ଦିନ ମଧ୍ୟରେ ଦଳ ଚୟନ  କରାଯିବ ବୋଲି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ସୂଚନା ଦେଇଛନ୍ତି ।  ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଥିବା ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମାଙ୍କ  ସମେତ କେଏଲ୍‌ ରାହୁଲ ଇତି ମଧ୍ୟରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଉଭୟ ବେଙ୍ଗାଲୁରୁରେ ଥିବା ବିସିସିଆଇ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଠାରେ ଅଭ୍ୟାସ କରୁଛନ୍ତି ।

ରୋହିତ ଗତ ଆଇପିଏଲ୍‌ ପରଠୁ  ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍‌ ଖେଳିନାହାନ୍ତି ।  ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦଳର  ନେତୃତ୍ୱ ନେବେ । ସେହିପରି ବିରାଟ  କୋହଲି ଏହି ସିରିଜ ଜରିଆରେ ମଇଦାନକୁ  ଫେରିବେ । ରାହୁଲ ଗତ ଇଂଲଣ୍ଡ ଗସ୍ତରେ  ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜ  ପରଠୁ କୌଣସି ମ୍ୟାଚ୍‌ ଖେଳିନାହାନ୍ତି । ସେ ଅଷ୍ଟ୍ରେଲିଆ-ଏ’ ବିପକ୍ଷ ଦ୍ୱିତୀୟ ଅନଫିସିଆଲ୍‌  ଟେଷ୍ଟ ଖେଳି ପ୍ରତ୍ୟାବର୍ତ୍ତନ କରିବେ । ଭାରତ  ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଗାମୀ ଅକ୍ଟୋବର  ୧୯, ୨୩, ୨୫ ତାରିଖରେ ୩ଟି ଦିନିକିଆ  ଖେଳାଯିବ । ଏହାପରେ ଉଭୟ ଦଳ ମଧ୍ୟରେ  ୫ଟି ଟି-ଟ୍ୱେଣ୍ଟି (ଅକ୍ଟୋବର ୨୯, ୩୧,  ନଭେମ୍ବର ୨, ୬, ୮ ତାରିଖ) ଅନୁଷ୍ଠିତ ହେବ