ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାମ ନେଉନି। ଦିନକୁ ଦିନ ଦୁଇ ଦେଶ ମଧ୍ୟରେ ବିବାଦ ବଢିବାରେ ଲାଗିଛି। କେତବେଳେ ୟୁକ୍ରେନ ରୁଷ ଉପରେ ଆକ୍ରମଣ କରୁଛି ତ ଆଉ କେତେବେଳେ ରୁଷ ୟୁକ୍ରେନ ଉପରେ। ଶନିବାର ଏଭଳି ଏକ ଘଟଣା ଘଟିଛି ଯେଉଁଠି, ୟୁକ୍ରେନର ଉତ୍ତର ସୁମି ଅଞ୍ଚଳରେ ଏକ ଯାତ୍ରୀବାହୀ ଟ୍ରେନ ଉପରେ ରୁଷୀୟ ବିମାନ ଆକ୍ରମଣ କରିଛି। ଏଥିରେ ୩୦ ଜଣ ଯାତ୍ରୀମାନଙ୍କର ମୃତ୍ୟୁ ଘଟିଛି ଏନେଇ ସୁମିର ଆଞ୍ଚଳିକ ରାଜ୍ୟପାଳ ଓଲେହ ହ୍ରିହୋରୋଭ ସୂଚନା ପ୍ରଦାନ କରିଛନ୍ତି।

ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସକୁ ସୂଚନା ଦେଇ ହ୍ରିହୋରୋଭଙ୍କୁ କହିଛନ୍ତି ଯେ, ଏହି ଆକ୍ରମଣରେ ରୁଷ୍ ୟୁକ୍ରେନର ଏକ ରେଳ ଷ୍ଟେସନକୁ ଟାର୍ଗେଟ କରିଥିଲା। କିଭ ଅଭିମୁଖେ ଯାଉଥିବା ଟ୍ରେନକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଥିଲା। ଏହି ଆକ୍ରଣଣ ଏତେ ଭୟଙ୍କର ଥିଲା ଯେ ଟ୍ରେନ ସହ ଷ୍ଟେସନ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଆକ୍ରମଣରେ ଟ୍ରେନ କୋଚରେ ମଧ୍ୟ ନିଆଁ ଲାଗିଯାଇଥିଲା।

ଏହି ଆକ୍ରମଣରେ, ମୋଟ୍ ୩୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଘଟଣାରେ କେତେ ଜଣ ଲୋକ ଆହତ ହୋଇଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ଆସିପାରିନାହିଁ। ତଥାପି, ସୁମିର ରାଜ୍ୟପାଳ ଏକ ଜଳୁଥିବା ଟ୍ରେନ କୋଚର ଫଟୋ ପୋଷ୍ଟ କରିଛନ୍ତି। ତେବେ ଦୁର୍ଘଟଣାସ୍ଥଳରେ ଡାକ୍ତର ଏବଂ ଉଦ୍ଧାରକାରୀ ଦଳ ଉପସ୍ଥିତ ରହିଛନ୍ତି।

ଏହି ଆକ୍ରମଣ ନେଇ ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ଟେଲିଗ୍ରାମରେ ଏକ ଭଙ୍ଗା, ଜଳୁଥିବା ଯାତ୍ରୀବାହି ଟ୍ରେନର ବଗି ଏବଂ ଅନ୍ୟାନ୍ୟ ଗାଡ଼ିର ଝରକା ଫାଟିଯାଇଥିବାର ଭିଡିଓ ପୋଷ୍ଟ କରିଛନ୍ତି। ଏହାସହ ରୁଷିଆ ବାରମ୍ୱାର ଏଭଳି ଆକ୍ରମଣ ଜାରି ରଖିଛି ବୋଲି ସେ ଅଭିଯୋଗ କରିଛନ୍ତି।