ନୂଆଦିଲ୍ଲୀ ୨୯/୦୯: ଦୀର୍ଘ ୨ ବର୍ଷ ଧରି ରିଲେସନ୍ସିପ୍ରେ ରହିବା ପରେ ଶେଷରେ ମ୍ୟୁଜିକ ପ୍ରଡ୍ୟୁସର ବେନି ବ୍ଲାଙ୍କୋ(୩୭)ଙ୍କୁ ବିବାହ କରିଛନ୍ତି ପ୍ରସିଦ୍ଧ ଆମେରିକୀୟ ଗାୟିକା ଓ ଅଭିନେତ୍ରୀ ସେଲେନା ଗୋମେଜ(୩୩) । ଶନିବାର କାଲିଫର୍ଣ୍ଣିଆରେ ଏହି ଚର୍ଚ୍ଚିତ ବିବାହ ଅନୁଷ୍ଠିତ ହୋଇଛି । ସେଲେନା ନିଜେ ଇନ୍ଷ୍ଟାଗ୍ରାମ ଜରିଆରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି । ସେହି ପୋଷ୍ଟରେ ବିବାହର ଅନେକ ଫଟୋ ଓ ଛୋଟ ଭିଡିଓ କ୍ଲିପ୍ ରହିଛି ।
କ୍ୟାପସନ୍ରେ ସେ ଲେଖିଛନ୍ତି, ‘୯.୨୭.୨୫’ । ଫଟୋରେ ନବ ଦମ୍ପତିଙ୍କୁ ପରସ୍ପରର ହାତ ଧରିବା, ଫୁଲତୋଡ଼ା ଉପହାର, ଆଲିଙ୍ଗନ, ଚୁମ୍ବନ ଦେବା ଆଦି ବିଭିନ୍ନ ପୋଜ୍ରେ ଦେଖିବାକୁ ମିଳୁଛି । ସେୟାର ହେବାର କିଛି ସମୟ ମଧ୍ୟରେ ସୋସିଆଲ୍ ମିଡିଆରେ ତାହା ଟ୍ରେଣ୍ଡ କରୁଛି । ବେନି ସେଥିରେ ‘ମୋର ବାସ୍ତବ ଜୀବନର ପତ୍ନୀ’ ବୋଲି କମେଣ୍ଟ ଲେଖିଛନ୍ତି । ଏହି ସ୍ୱତନ୍ତ୍ର ଅବସର ଲାଗି ସେଲେନା ଏକ ଧଳା ରଙ୍ଗର ସାର୍ଟିନ୍ ବ୍ୟାକଲେସ୍ ହଲଟର ଗାଉନ୍ ପିନ୍ଧିଥିଲେ । ସେଥିରେ ଫ୍ଲୋରାଲ୍ ଏମ୍ବ୍ରୟଡୋରୀ ହୋଇଥିଲା । ଗାଉନ୍କୁ ରାଫ୍ ଲରେନ୍ ଡିଜାଇନ୍ କରିଥିଲେ । ଏଥିସହିତ ପ୍ଲାଟିନମ୍-ହୀରା କାନଫୁଲ, ହାଲ୍କା ମେକଅପ୍ ସେଲେନାଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥିଲା ।
ବେନି କଳାରଙ୍ଗର ଟକ୍ସିଡୋ ପିନ୍ଧିଥିଲେ । ଉଭୟ ରେଟ୍ରୋ ଲୁକ୍କୁ ଗୁରୁତ୍ୱ ଦେଇଥିଲେ । ବିବାହ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଦମ୍ପତି ସାନ୍ତା ବାରବରା କାଉଣ୍ଟିର ହୋପ୍ ରାଞ୍ଚ କମ୍ୟୁନିଟିରେ ରିହର୍ସାଲ ଡିନର ରଖିଥିଲେ । ଏହାପରେ ସି-କ୍ରେଷ୍ଟ ନର୍ସରୀରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିରେ ଉଭୟଙ୍କ ପରିବାର ବ୍ୟତୀତ ପ୍ରାୟ ୧୭୦ ଅତିଥି ସାମିଲ ହୋଇଥିଲେ । ଅତିଥିଙ୍କ ମଧ୍ୟରେ ଟେଲର ସ୍ୱିଫ୍ଟ, ପ୍ୟାରିସ୍ ହିଲଟନ୍, ଏଶଲେ ପାର୍କ, ଷ୍ଟିଭ୍ ମାର୍ଟିନଙ୍କ ଭଳି ସେଲିବ୍ରିଟି ସାମିଲ ଥିଲେ । ସେଲେନା, ବେନିଙ୍କର ରୋମାନ୍ସ ଦୀର୍ଘ ଦୁଇ ବର୍ଷ ହେଲା ଚର୍ଚ୍ଚାର ଶିଖରରେ ଥିଲା । ୨୦୨୩ରେ ସେଲେନା ଇନ୍ଷ୍ଟା ପୋଷ୍ଟ ମାଧ୍ୟମରେ ସଂପର୍କକୁ ସ୍ୱୀକାର କରିଥିଲେ । ଗତବର୍ଷ ଡିସେମ୍ବରରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା । ବେନି ଓ ସେଲେନା କିଛି ଗୀତରେ ଏକାଠି କାମ କରିଛନ୍ତି ।