ଚଣ୍ଡିଗଡ଼: ପଞ୍ଜାବରେ ସତଲେଜ ନଦୀରେ ଆସିଥିବା ବନ୍ୟା ହଜାର ହଜାର ଲୋକଙ୍କ ଜୀବନଜୀବିକା ଓ ଘରଦ୍ବାରକୁ ବିପର୍ଯ୍ୟସ୍ତ କରିଛି। ଏହି ବନ୍ୟା ଯୋଗୁଁ ୨୩ଟି ଜିଲ୍ଲା ପ୍ରଭାବିତ ହୋଇଛି, ୪୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩.୮୪ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। କୃଷି କ୍ଷେତ୍ରରେ ୧.୭୧ ଲକ୍ଷ ହେକ୍ଟର ଜମି ନଷ୍ଟ ହୋଇଛି ଯାହା ରାଜ୍ୟର କୃଷକମାନଙ୍କ ପାଇଁ ଏକ ବଡ଼ ଆଘାତ ସାବ୍ୟସ୍ତ ହୋଇଛି।

ଫାଜିଲକାର କାନୱା ଓ୍ଵାଲି ଗାଁ ନିକଟରେ ୨୦ଟି ଗାଁ ବନ୍ୟା ଯୋଗୁଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା ଜଳରେ ବୁଡ଼ି ରହିଥିବା ଗାଁଗୁଡ଼ିକରେ ନୌକା ହିଁ ଏକମାତ୍ର ଯାତାୟାତ ମାଧ୍ୟମ ପାଲଟିଛି। ସ୍ଥାନୀୟ ବାସିନ୍ଦା ଶେର ସିଂହ କହିଛନ୍ତି, "ଆମେ ସମ୍ପର୍କୀୟଙ୍କ ଘରେ କିଛି ଦିନ ରହିବୁ,"। ଅନ୍ୟପଟେ ବନ୍ୟା ଜଳ ସ୍ପର୍ଶଷରେ ଆସି ସେ ଚର୍ମ ସଂକ୍ରମଣରେ ପୀଡ଼ିତ ହେଇଛନ୍ତି ଏବଂ ସେ ତାଙ୍କ ପରିବାରର ଗୋରୁ ଓ ସମ୍ପତ୍ତି ରକ୍ଷା କରିବାକୁ ନେଇ ସଂଘର୍ଷ କରୁଛନ୍ତି। ଫିରୋଜପୁରର ଗାଟ୍ଟି ରାଜୋକେର ଅଞ୍ଚଳର ପୂର୍ବତନ କୃଷକ ତରସେମ କହିଛନ୍ତି, "ଆମର ଏବେ ଆଉ କିଛି ବି ନାହିଁ।" ତାଙ୍କ ଘର ଓ ଜମି ବନ୍ୟାରେ ନଷ୍ଟ ହୋଇଛି, ଏବଂ ୩ ଲକ୍ଷ ଟଙ୍କାର ଋଣ ସହ ସେ ନିରାଶାରେ ଅଛନ୍ତି।

ହବିବ କେରେ ଶିଙ୍ଗାରା ସିଂହ ନାମକ ଜଣେ କୃଷକ ୮୦ ଏକର ଜମିରେ ୬୦ ଲକ୍ଷ ଟଙ୍କାର ଫସଲ ନଷ୍ଟ ହେବାର ଆକଳନ କରିଛନ୍ତି। ଅନ୍ୟ ଜଣେ ବାସିନ୍ଦା କାଶ୍ମୀର କୌର କହିଛନ୍ତି, "ମୋ ଘର ଛାଡ଼ିବାକୁ ମୋ ମନ ମାନୁ ନଥିଲା, କିନ୍ତୁ ସବୁ ଜିନିଷ ଛାଡ଼ି ଚାଲିଆସିଲି" ବୋଲି କହିଛନ୍ତି। 

ଏହି ଭୟଙ୍କର ସମୟରେ ପଞ୍ଜାବରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି ଯେଉଁଥିରେ ୩୧ଟି ଟିମ୍‌ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ), ଭାରତୀୟ ବାୟୁସେନା, ନୌସେନା ଓ ସ୍ଥଳସେନା ଆଦି ସାମିଲ ଅଛନ୍ତି। ଏହି ବନ୍ୟା ପଞ୍ଜାବରେ ୧୯୮୮ ମସିହା ପରେ ସବୁଠାରୁ ଭୟଙ୍କର ବନ୍ୟା ବୋଲି ବିବେଚନା କରାଯାଉଛି। ରାଜ୍ୟ ସରକାର ଏହାକୁ ଏକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି ଏବଂ କୃଷକ ଓ ପ୍ରଭାବିତ ଲୋକଙ୍କ ପାଇଁ ସହାୟତା ଯୋଗାଇ ଦେବା ପାଇଁ କାର୍ଯ୍ୟ ଚାଲିଛି।

ଏହି ବନ୍ୟା ଦୀର୍ଘକାଳୀନ ଆର୍ଥିକ ଓ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହାଛଡା ଲକ୍ଷଲକ୍ଷ ସ୍ଥାନୀୟ ପରିବାର ନିଜ ଘର ଓ ଜୀବିକା ପୁନର୍ନିର୍ମାଣ ପାଇଁ ସଂଘର୍ଷ କରୁଛନ୍ତି।