ଭୁବନେଶ୍ୱର,୨୩/୧୦: ଆଜି କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ବା ଯମ ଦ୍ୱିତୀୟା । ଏହି ପବିତ୍ର ଦିନରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ କାମାକ୍ଷୀଙ୍କୁ ଭେଟିବାର ପରମ୍ପରା ରହିଛି । ତେଣୁ ଯାତ୍ରାପୂଜା ଓ ବୀରକିଶୋର ବହ୍ଲଭ ଧୂପ ବଢ଼ିବା ପରେ ଶୋଭାଯାତ୍ରାରେ ମଶାଲ, କଳା ଓ ଧଳା ଛତା, ତ୍ରାସ, ଆଲଟ ଆଦି ସହ ବିମାନରେ ଶ୍ରୀଜିଉଙ୍କ ଚଳନ୍ତି ବିଗ୍ରହ ଶ୍ରୀଚନ୍ଦ୍ରଶେଖର, ମା’ପାର୍ବତୀ ଓ ମାଦୁର୍ଗା ଏବଂ ପାଲିଙ୍କିରେ ଶ୍ରୀବାସୁଦେବ ପ୍ରଥମେ ଜମେଶ୍ୱରଙ୍କ ମନ୍ଦିରକୁ ବିଜେ କରିବେ । ପରେ ଭାରତୀ ମଠସ୍ଥିତ ଭଉଣୀ କାମାକ୍ଷୀଙ୍କୁ ସାକ୍ଷାତ କରିବେ । ଏହି ଦୁଇ ଦେବ ଭେଟଘାଟ ନୀତିରେ ଆଳତୀ ଏବଂ ମୁଆଁ ଭୋଗ ଲାଗି ହେବ । ବିଶ୍ୱାସ କରାଯାଏ କି ଆଜିର ଏହି ତିଥିରେ ଭଉଣୀ ଘରେ ଭାଇ ଆପ୍ୟାୟିତ ହୋଇଥାନ୍ତି । ତେଣୁ ସମାନ ଭାବେ ଏପରି ମାନବୀୟ ଚଳଣି ଅନୁଯାୟୀ ଦେବତାଙ୍କ ନୀତି କରାଯାଏ ।