ନୂଆଦିଲ୍ଲୀ : ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱାଲାଙ୍କ ୩୨ତମ ଜନ୍ମଦିନରେ ତାଙ୍କର ୩ଟି ଗୀତର ଆଲ୍ବମ ରିଲିଜ୍ ହୋଇଥିଲା । ‘ମୂସ୍ ପ୍ରିଣ୍ଟ୍’ ନାମକ ଏହି ଆଲ୍ବମ ୧୦ କୋଟି ଭ୍ୟୁ କ୍ଲବ୍ରେ ସାମିଲ ହୋଇଛି । ମୂସେୱାଲାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଫ୍ୟାନ୍ଙ୍କ ମଧ୍ୟରେ କ୍ରେଜ୍ ପୂର୍ବଭଳି ରହିଛି । ୪ ମାସରେ ୧୦ କୋଟି ଦର୍ଶକ ତାଙ୍କ ଆଲ୍ବମକୁ ୟୁଟ୍ୟୁବ୍ରେ ଦେଖିଛନ୍ତି । ଆଲ୍ବମ ମୂସ୍ ପ୍ରିଣ୍ଟ୍ର ୩ ଗୀତରେ ୦୦୦୮, ନୀଲ ଓ ଟେକ୍ ନୋଟ୍ସ ରହିଛି । ୟୁଟ୍ୟୁବ୍ରେ ରିଲିଜ୍ ହେବା ପରଠୁ ୩ଟିଯାକ ଟ୍ରେଣ୍ଡ୍ କରୁଛି । ଟେକ୍ ନୋଟ୍ ଶୀର୍ଷକ ଗୀତକୁ ୬ ଘଣ୍ଟାରେ ୩୩ ଲକ୍ଷ ଦର୍ଶକ ଦେଖିଥିଲେ । ଏବେ ୪ ମାସ ପରେ ଟେକ୍ ନୋଟ୍କୁ ୩.୭ କୋଟି, ୦୦୦୮କୁ ୩.୨ କୋଟି ଓ ନୀଲ୍କୁ ୩.୨ କୋଟି ଲୋକ ଦେଖିଛନ୍ତି ।
ଆଲ୍ବମ ରିଲିଜ୍କୁ ନେଇ ସିଦ୍ଧୁ ମୂସେୱାଲାଙ୍କ ବାପା ବଲକୌର ସିଂହ କହିଥିଲେ, ମୃତ୍ୟୁ ପୂର୍ବରୁ ପୁଅ ନିଜର, ମୋର ଓ ତା’ ମା’ର ଜନ୍ମଦିନରେ ଗୀତ ରିଲିଜ୍ କରୁଥିଲା । ଏହି ଆଲ୍ବମ ରିଲିଜ୍ ପଛରେ ତାଙ୍କ ଉଦ୍ଦେଶ୍ୟ ହେଉଛି ସିଦ୍ଧୁ ଆରମ୍ଭ କରିଥିବା ଧାରା ନ ଅଟକୁ । ସିଦ୍ଧୁଙ୍କର ଯେତେ ଗୀତ ରେକର୍ଡ ହୋଇଛି, ସେଗୁଡ଼ିକୁ ଧୀରେ ଧୀରେ ରିଲିଜ୍ କରାଯାଉଛି ବୋଲି ସେ କହିଥିଲେ । ଏହା ପୂର୍ବରୁ ଆଲ୍ବମର ପୋଷ୍ଟର୍ ଇନ୍ଷ୍ଟାଗ୍ରାମ୍ରେ ରିଲିଜ୍ ହେଉ ହେଉ ଜୋରଦାର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ପୋଷ୍ଟର୍କୁ ୧୩ ଲକ୍ଷରୁ ଅଧିକ ଲାଇକ୍ ମିଳିଥିଲା । ସୂଚନାଯୋଗ୍ୟ, ୨୦୨୨, ମେ’ ୨୯ରେ ମାନସା ଜିଲ୍ଲାର ଜୱାହରକେ ଗାଁରେ ସିଦ୍ଧୁଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।