ଦୁବାଇ,୧୭/୦୯: ଆଇସିସିର ସଦ୍ୟ ଘୋଷିତ ମହିଳା ଦିନିକିଆ ମାନ୍ୟତା ତାଲିକାରେ ଭାରତୀୟ ବ୍ୟାଟର ସ୍ମୃତି ମନ୍ଧନା, ରିଚା ଘୋଷ, ପ୍ରତିକା ରାୱଲ ଏବଂ ହର୍ଲିନ ଦେଓଲଙ୍କ ସ୍ଥାନରେ ଉନ୍ନତି ଘଟିଛି । ବ୍ୟାଟିଂ ତାଲିକାରେ ମନ୍ଧନା ଶୀର୍ଷ ସ୍ଥାନକୁ ଫେରିଛନ୍ତି । ଅନ୍ୟ ପଟରେ ବୋଲିଂରେ ଭାରତୀୟ ସ୍ପିନର ସ୍ନେହା ରାଣା ଶ୍ରେଷ୍ଠ-୨୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ମନ୍ଧନା ୫୮ରନ୍‌ ସଂଗ୍ରହ କରିଥିଲେ । ଏହି ପ୍ରଦର୍ଶନ ବଳରେ ସେ ଗୋଟିଏ ସ୍ଥାନ ଉନ୍ନତି ଘଟାଇବା ସହ ଇଂଲଣ୍ଡ ଅଧିନାୟିକା ନାତାଲି ସ୍କିଭର-ବ୍ରଣ୍ଟ୍‌ଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ମନ୍ଧନାଙ୍କ ରେଟିଂ ପଏଣ୍ଟ ୭୩୫ ରହିଛି । ସ୍କିଭର-ବ୍ରଣ୍ଟ୍‌  ୭୩୧ପଏଣ୍ଟ ସହ ଦ୍ୱିତୀୟକୁ ଖସିଛନ୍ତି । ଅନ୍ୟ ଭାରତୀୟ  ବ୍ୟାଟର ରିଚା ୩ଟି ସ୍ଥାନ ଉଠି ୩୭ତମ, ପ୍ରତିକା ୪ଟି ସ୍ଥାନ  ଉଠି ୪୨ତମ ଏବଂ ହର୍ଲିନ ୫ଟି ସ୍ଥାନ ଉଠି ୪୩ତମ ସ୍ଥାନରେ  ରହିଛନ୍ତି ।

ଅଧିନାୟିକା ହର୍ମନପ୍ରୀତ କୌର (୧୨ତମ) ଓ  ଜେମିମା ରୋଡ୍ରିଗ୍ସ (୧୫ତମ)ଙ୍କ ସ୍ଥାନରେ ଅବନତି ଘଟିଛି । ବୋଲିଂ ତାଲିକାରେ ଭାରତର ଦୀପ୍ତି ଶର୍ମା ସପ୍ତମକୁ ଖସିଥିବାବେଳେ ସ୍ନେହ ୫ଟି ସ୍ଥାନ ଉନ୍ନତି ଘଟାଇ ୧୬ତମ  ସ୍ଥାନରେ ପହଞ୍ଚିଛନ୍ତି । ଇଂଲଣ୍ଡର ଶୋଫି ଏକ୍ଲେଷ୍ଟୋନ୍‌ଙ୍କ  ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରହିଛି । ଅଲରାଉଣ୍ଡର ତାଲିକାରେ  ଅଷ୍ଟ୍ରେଲିଆର ଆସଲି ଗାର୍ଡନର ଶୀର୍ଷ ସ୍ଥାନ ବଜାୟ  ରଖିଥିବାବେଳେ ଦୀପ୍ତିଙ୍କ ଚତୁର୍ଥ ସ୍ଥାନ ସୁରକ୍ଷିତ ରହିଛି ।