ନୂଆପଡ଼ା,୧୯/୧୦: ସରଗରମ ନୂଆପଡ଼ା ରାଜନୀତି । ଶନିବାର ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନାମାଙ୍କନ ଦାଖଲ କରିଛନ୍ତି । ବିଶାଳ ପଟୁଆରରେ ନିଜ ସମର୍ଥକ ଓ ଶୁଭେଛୁଙ୍କ ସହ ଆସି ଦୁଇ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଆସନ୍ତା ସୋମବାର ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥିପତ୍ର ଦାଖଲ କରିବେ ।ସେପଟେ ଆଜି ପଦଯାତ୍ରା କରି ପାୱାର ଶୋ ଆରମ୍ଭ କରିଛି ବିଜେଡି।  ଏକ ବିଶାଳ ରା଼ଲି ଶିବ ମନ୍ଦିର ଛକ ତେଲିପଡ଼ା ଠାରୁ ସହର ପରିକ୍ରମା କରି ଏକତା ଛକ ପର୍ଯ୍ୟନ୍ତ ଯିବ। ପରେ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରଛି ବିଜୁ ଜନତା ଦଳ । ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡିର ରାଜ୍ୟ ସ୍ତରୀୟ ନେତାମାନେ ଯୋଗ ଦେଇଛନ୍ତି। ତେବେ ଏହି ରାଲି ପୂର୍ବରୁ ସ୍ନେହାଙ୍ଗିନୀ ନୂଆପଡାସ୍ଥିତ  ବାବା କଣା ଭାଇରା ମନ୍ଦିରରେ ପୂଜାର୍ଚନା କରିଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଶନିବାର ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଜୟ ନାମାଙ୍କନ ପାଇଁ ଶୁଭବେଳାରୁ ଘରୁ ବାହାରିଥିଲେ । ପ୍ରଥମେ ଖରିଆରରୋଡ଼ସ୍ଥିତ ଶଙ୍କର ମନ୍ଦିରରେ ପୂଜାର୍ଚ୍ଚନା କରି ମହାଦେବଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ସେଠାରୁ ଜୟ ଚାରିଚକିଆ ଗାଡ଼ି ଓ ବାଇକ ଶୋଭାଯାତ୍ରାରେ ଖରିଆରରୋଡ଼ ସହର ପରିକ୍ରମା କରି ନୂଆପଡ଼ା ତେଲିପଡ଼ା ଛକରେ ପହଞ୍ଚିଥିଲେ । ସେଠାରୁ ଶୋଭାଯାତ୍ରାରେ ବାହାରି ନୂଆପଡ଼ା ସହର ପରିକ୍ରମା କରି ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରାରେ ବିଜେପିର ପଦ୍ମ ପତାକା ସହ ସ୍ୱର୍ଗତ ରାଜେନ୍ଦ୍ର ଢୋଲିକଆଙ୍କ ବ୍ୟାନର ଛାଇ ହୋଇ ଯାଇଥିଲା । ଏହି ଶୋଭାଯାତ୍ରା ଗାଡ଼ିରେ ଜୟଙ୍କ ମା’ କଳ୍ପନା ଆଗ ସିଟ୍‌ରେ ବସିଥିଲେ । ଜୟଙ୍କ ଶୋଭାଯାତ୍ରା ଓ ନାମାଙ୍କନ ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ତାଙ୍କ ପୁଅ ତଥା ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା ବସିଥିଲେ । ଦିନ ପ୍ରାୟ ୧.୪୫ ବେଳକୁ ଜୟ ଦୁଇ ସେଟ୍‌ ନାମାଙ୍କନ କରିଥିଲେ । ବସନ୍ତ ପଣ୍ଡା ଓ ସୋମନାଥ ଖମାରୀ ଜୟଙ୍କ ପ୍ରସ୍ତାବକ ଅଛନ୍ତି । ମନ୍ତ୍ରୀ ସୁରେଶ ପୂଜାରୀ, ଗଣେଶରାମ ସିଂ ଖୁଣ୍ଟିଆ, ରବିନାରାୟଣ ନାୟକ, ଡ.ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶନ୍ନ ପାଢ଼ୀ, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତଙ୍କ ସହ ବହୁ  ସଂଖ୍ୟ୍ୟାରେ ବିଜେପି ନେତା, କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ ।

 ଜୟଙ୍କ ପୂର୍ବରୁ ଅପରାହ୍ନ ପ୍ରାୟ ୧.୨୫ ବେଳକୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ଆସି ନାମାଙ୍କନ ଦାଖଲ କରିଥିଲେ । ସ୍ଥାନୀୟ ତେଲିପଡ଼ା ଛକ ଶିବ ମନ୍ଦିର ନିକଟରେ ହଜାର ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ଏକତ୍ରିତ ହୋଇଥିଲେ । ସେଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳ ଅଫିସରେ ପହଞ୍ଚିବା ପରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । କଂଗ୍ରେସ ଯୁବନେତା ସୌରଭ ଚନ୍ଦ୍ରକାର ଓ ମୃତ୍ୟୁଞ୍ଜୟ ଦତ୍ତଗୁରୁ ଘାସିରାମଙ୍କ ପ୍ରସ୍ତାବକ ଥିଲେ । ଘାସିରାମଙ୍କ ଶୋଭାଯାତ୍ରା ଓ ନାମାଙ୍କନ ବେଳେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ଶ୍ରୀକାନ୍ତ ଜେନା, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର କାଡାମ, ଜାତୀୟ ପ୍ରବକ୍ତା ହମିଦ ହୁସେନ, କଣ୍ଟାବାଞ୍ଝି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସସ୍ମିତା ବେହେରା, ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର, କୃଷକ ସେଲ ରାଜ୍ୟ ଅଧ୍ୟକ୍ଷ ଅଭୟ ସାହୁ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ନେତା ଭୁଜବଲ ମାଝୀ, ସତ୍ୟଭୂଷଣ ସାହୁ, ସିପ୍ରା ମଲ୍ଲିକ, ଖଲ୍ଲାରୀ ବିଧାୟକ ଦ୍ୱାରିକାଧିଶ ଯାଦବ, ରାଜ୍ୟ କଂଗ୍ରେସ ମିଡିଆ ସଂଯୋଜକ ଅରବିନ୍ଦ ଦାସ ପ୍ରମୁଖଙ୍କ ସମେତ ବହୁ ସମର୍ଥକ ସାମିଲ ହୋଇଥିଲେ ।

ସେହିପରି ଶନିବାର ଓଡ଼ିଶା ଜନତା ପାର୍ଟିରୁ ଶୁକଧର ଦଣ୍ଡସେନା ଓ ସ୍ୱାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଉପଜିଲ୍ଲାପାଳ ସୁର୍ମି ସୋରେନ ୩ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଗ୍ରହଣ କରିଥିଲେ । ଶୁକ୍ରବାର ସ୍ୱ।।ଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେପି ଓ କଂଗ୍ରେସର ନାମାଙ୍କନ ଓ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସହ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଭାରତ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଉପନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ୨୦ ତାରିଖ ଧାର୍ଯ୍ୟ ହୋଇଛି । ସ୍ନେହାଙ୍ଗିନୀ ଶେଷ ଦିବସରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।