ମୁମ୍ବାଇ ୨୮/୧୦: ‘ମିର୍ଜାପୁର: ଦ ଫିଲ୍ମ’ର ଷ୍ଟାର୍ କାଷ୍ଟ୍ରେ ସାମିଲ ହୋଇଛନ୍ତି ‘ଜନ୍ନତ’ ଫେମ୍ ସୋନଲ ଚୌହାନ । କିଛିଦିନ ହେଲା ଫିଲ୍ମରେ ସୋନଲଙ୍କ ଏଣ୍ଟ୍ରିକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ଏବେ ସେ ନିଜେ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ ମାଧ୍ୟମରେ ଏହା ଘୋଷଣା କରିଛନ୍ତି । ଏଥିସହିତ ସେ କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଏକ୍ସେଲ ଏଣ୍ଟର୍ଟେନ୍ମେଣ୍ଟ୍ ତରଫରୁ ସେ ପାଇଥିବା ଚିଠି ରହିଛି । ଚିଠିରେ ସୋନଲଙ୍କୁ ଏହି ପ୍ରୋଜେକ୍ଟରେ ସାମିଲ କରାଯାଇଥିବା ସ୍ପଷ୍ଟ ଉଲ୍ଲେଖ ହୋଇଛି । ଏହାକୁ ନେଇ ଖୁବ୍ ଉତ୍ସାହିତ ସୋନଲ ଇନ୍ଷ୍ଟାଗ୍ରାମ୍ରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ନିଜର ନୂଆ ଯାତ୍ରାକୁ ସେ ଅନନ୍ୟ ଓ ଗେମ୍-ଚେଞ୍ଜର୍ ବୋଲି କହିଛନ୍ତି ।
ଆମାଜନ୍ ପ୍ରାଇମ୍ ଭିଡିଓରେ ପ୍ରଦର୍ଶିତ ‘ମିର୍ଜାପୁର’ର ୩ଟି ସିଜନ୍ ପଙ୍କଜ ତ୍ରିପାଠୀ, ଅଲି ଫଜଲ, ଦିବ୍ୟେନ୍ଦୁ, ଶ୍ୱେତା ତ୍ରିପାଠୀଙ୍କ ଭଳି କଳାକାରଙ୍କ ପାଇଁ ଦର୍ଶକୀୟ ଆଦୃତି ପାଇଛି । ନିର୍ଦ୍ଦେଶକ ଗୁରମିତ ସିଂହ ଏବେ ଏହି ବହୁ ଲୋକପ୍ରିୟ ୱେବ୍ ସିରିଜ୍କୁ ଫିଲ୍ମରେ ରୂପାନ୍ତର କରୁଛନ୍ତି । ଫରହାନ ଅଖତରଙ୍କ ଏକ୍ସେଲ ଏଣ୍ଟର୍ଟେନ୍ମେଣ୍ଟ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମରେ ବିକ୍ରାନ୍ତ ମେସିଙ୍କ ବ୍ୟତୀତ ସମସ୍ତ ମୂଳ କଳାକାରଙ୍କୁ ଦେଖିବାକୁ ମିଳିବ । ଡିଜିଟାଲ ପ୍ଲାଟ୍ଫର୍ମରେ ରିଲିଜ୍ ପୂର୍ବରୁ ଫିଲ୍ମଟି ୨୦୨୬ରେ ଭାରତର ସିନେମାଘରେ ମୁକ୍ତିଲାଭ କରିବ । ଫିଲ୍ମରେ ବିକ୍ରାନ୍ତଙ୍କ ସ୍ଥାନରେ ନୂଆ ମୁହଁ ଜିତେନ୍ଦ୍ର କୁମାରଙ୍କୁ କାଷ୍ଟ୍ କରାଯାଇଛି । ରବି କିଶନ, ମୋହିତ ମଲିକଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।