ଭୁବନେଶ୍ବର,୨୨।୯ : ସମୟ ଅବଧି ସରିଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଗ୍ରହଣ କଲେନି ବାଚସ୍ପତି ସୁରମା ପାଢୀ। ବିଧାନସଭା ଆରମ୍ଭର ଦିନକ ପୂର୍ବରୁ ଅନାସ୍ଥା ଆଣିବା କଥା କିନ୍ତୁ କଂଗ୍ରେସ ପକ୍ଷରୁ ବିଧାନସଭା ଆରମ୍ଭ ଦିନ ଅନାସ୍ଥା ଆସିଥିଲା। ସେଥିପାଇଁ ଅନସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରି ନ ଥିଲେ। ଏହାର ପ୍ରତିବାଦରେ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ନାରାବାଜି ଦେଇଥିଲେ। ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି।
ସୋମବାର ଅପରାହ୍ନରେ ଗୃହ ସ୍ୱାଭାବିକ ହୋଇଥିଲା। ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବାକୁ ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ଅନୁରୋଧ କରିଥିଲେ। ବାଚସ୍ପତି କହିଥିଲେ ଗତ ୧୮ତାରିଖରେ ୧୨.୪୭ ରେ କଂଗ୍ରେସ ବିଧାୟକ ଦଳ ନେତା ଙ୍କ ସହ ଅନ୍ୟ ୧୪ବିଧାୟକ ବିଧାନସଭା ସଚିବଙ୍କୁ ଅନାସ୍ଥା ନୋଟିସ ଦେଇଥିଲେ। ତା ପରଦିନ ନୋଟିସକୁ ଗୃହକୁ ଆଣିବାକୁ ମୁଁ ନିର୍ଦେଶ ଦେଇଥିଲି। କିନ୍ତୁ ଗୃହ ସ୍ୱାଭାବିକ ନ ଥିବାରୁ ତାହା ଆସିପାରି ନ ଥିଲା। ସଂସଦୀୟ ଅନୁସାରେ ଲଗାତାର ଭାବେ ବିଧାନସଭାରେ ଅଚଳା ଅବସ୍ଥା ଥିବାରୁ ଅନାସ୍ଥାର ସମୟ ଅବଧି ସରି ଯାଇଛି ବୋଲି କହିଥିଲେ।