ଭୁବନେଶ୍ୱର,୨୪/୧୦: ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କ୍ଷମତା ବୃଦ୍ଧି ହେବ । ସେମାନଙ୍କ ମୌଳିକ ଶିକ୍ଷା ଦକ୍ଷତା ବୃଦ୍ଧି ପାଇବ । ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍ ବ୍ୟବସ୍ଥା ରହିବ ତାହା ନୁହେଁ ବରଂ ପିଲାଟି କିପରି ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବ ସେଥିଲାଗି ମଧ୍ୟ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ । ଯେଉଁ ପିଲାର ପରୀକ୍ଷାରେ ୩୦ ପ୍ରତିଶତରୁ କମ ମାର୍କ ରହୁଛି ଅର୍ଥାତ୍ ପାଠପଢ଼ାରେ ଦୁର୍ବଳ ତାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଦୈନିକ ୨ରୁ ୩ ଘଣ୍ଟା ଏକ୍ସଟ୍ରା କ୍ଲାସ ଦିଆଯିବ । ଏପରିକି ପ୍ରଧାନଶିକ୍ଷକ, ସିଆର୍ସିସି, ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯିବ ।
ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ମୁଖ୍ୟ ପରୀକ୍ଷାରେ ବିଫଳ ହେଲେ ପୁନଃ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାସ୍ କରିବାକୁ ହେଲେ ସର୍ବନିମ୍ନ ୩୦ ପ୍ରତିଶତ ମାର୍କ ରହିବା ଦରକାର । ଏଥିରୁ କମ୍ ରହିବେ ପିଲାଟି ଫେଲ୍ ହେବ । କିନ୍ତୁ ଫେଲ୍ ପରେ ମଧ୍ୟ ବୋର୍ଡ ପରୀକ୍ଷା ପରି ତାକୁ ସପ୍ଲିମେଣ୍ଟାରୀ ପରୀକ୍ଷାର ସୁଯୋଗ ମିଳିବ । କିନ୍ତୁ ମୁଖ୍ୟ ପରୀକ୍ଷାରେ ଫେଲ୍ ହୋଇଥିବା ପିଲାଟି କାହିଁକି ସର୍ବନିମ୍ନ ୩୦ ପ୍ରତିଶତ ମାର୍କ ରଖିଲା ନାହିଁ ତାର ତର୍ଜମା ମଧ୍ୟ କରାଯିବ । ସେଥିଲାଗି ତାକୁ ସ୍ୱତନ୍ତ୍ର ଏକ୍ସଟ୍ରା କ୍ଲାସ ଦିଆଯିବ । ସପ୍ଲିମେଣ୍ଟାରୀ ପରୀକ୍ଷାର ୪ରୁ ୬ ସପ୍ତାହ ପୂର୍ବରୁ ଏହି ସ୍ୱତନ୍ତ୍ର କ୍ଲାସ ଦିଆଯିବ । ନିୟମିତ ଭାବେ ବିଷୟ ଶିକ୍ଷକଙ୍କ ଦ୍ୱାରା ଏହି ଏକ୍ସଟ୍ରା କ୍ଲାସ୍ କରାଯିବ । ତାର ଉତ୍ତର ଖାତାକୁ ଦେଖି କେଉଁଥିରେ ଦୁର୍ବଳ ରହୁଛି ତାକୁ ଚିହ୍ନଟ କରାଯିବ । ସେହି ଅନୁଯାୟୀ ତାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଶ୍ରେଣୀଗୃହରେ ଛୋଟ ଗ୍ରୁପ କରାଯିବ । ସ୍ୱତନ୍ତ୍ର ଶିକ୍ଷଣ ପଦ୍ଧତି ପ୍ରସ୍ତୁତ କରାଯିବ । ଆକ୍ଟିଭିଟି ବେସଡ୍ ଶିକ୍ଷା ଦିଆଯିବ । ସପ୍ତାହିକ ମୂଲ୍ୟାଙ୍କନ କରାଯିବ । ଉଭୟ ମୌଖିକ ଓ ଲିଖିତ ପରୀକ୍ଷା କରି ତାର ଉନ୍ନତିକୁ ଶିକ୍ଷକ ମାପିବେ । ଶିକ୍ଷକ ପିଲାଟିର ପ୍ରଗତି ପତ୍ର(ପ୍ରୋଗେସ୍ ରିପୋର୍ଟ) କୁ ଉଲ୍ଲେଖ କରିବେ । କେବଳ ଶିକ୍ଷକମାନେ ନୁହଁନ୍ତି ପିଲାଟିର ଉନ୍ନତି ପାଇଁ ଏଥିରେ ଅଭିଭାବକଙ୍କୁ ମଧ୍ୟ ସାମିଲ କରାଯିବ । ଗୃହ ଶିକ୍ଷା କାର୍ଯ୍ୟ ଦିଆଯିବ ତାକୁ ପିଲାମାନେ ଯେପରି କରନ୍ତି ସେଥିପ୍ରତି ଅଭିଭାବକ ଧ୍ୟାନ ଦେବାକୁ କୁହାଯିବ।