ନୂଆଦିଲ୍ଲୀ,୧୩/୧୦: ଟିମ୍ ଇଣ୍ଡିଆରେ ବିରାଟ କୋହଲି ନିଃସନ୍ଦେହ ଭାବେ ଜଣେ ସର୍ବଶ୍ରେଷ୍ଠ ବ୍ୟାଟର ଭାବେ ନିଜକୁ ସାବ୍ୟସ୍ତ କରିଛନ୍ତି। ୨୦୦୮ରୁ ଆରସିବି ଫ୍ରାଞ୍ଚାଇଜ୍‌ ସହିତ ଆରମ୍ଭ କରିଥିବା ଆଇପିଏଲ୍‌ ଯାତ୍ରା ତାଙ୍କର ଅଦ୍ୟାବଧି ଜାରି ରହିଛି। ତେବେ ଦୀର୍ଘ ୧୮ ବର୍ଷ ପରେ ୨୦୨୫ ଆଇପିଏଲ୍‌ରେ ଆରସିବି ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା। ତେବେ ପର୍ବରୁ ଏହି ଷ୍ଟାର ବ୍ୟାଟର ଟେଷ୍ଟ ଏବଂ ଟି ୨୦ ଆନ୍ତର୍ଜାତୀୟରୁ ଅବସର ନେଇସାରିଛନ୍ତି।  କିନ୍ତୁ ବିରାଟ ବିଶ୍ୱକପ୍ ୨୦୨୭ ଖେଳିବେ ନାଁ ନାହିଁ ତାକୁ ନେଇ ମଧ୍ୟ ଅନେକ କଳ୍ପନାଜଳ୍ପନା ଜାରି ରହିଛି। ଏସବୁ ଭିତରେ ତାଙ୍କର ଆଇପିଏଲ୍ କ୍ୟାରିୟରକୁ ନେଇ ହଠାତ୍ ଆଲୋଚନା ବଢିଯାଇଛି । ଆଉ ଏହା ପଛର କାରଣ ହେଉଛି ଏକ କନଟ୍ରାକ୍ଟ । ଏକ ରିପୋର୍ଟ ଅନୁସାରେ କୋହଲି ଆଇପିଏଲ୍ ୨୦୨୬ ପୂର୍ବରୁ ନିଜ ଫ୍ରାଞ୍ଚଇଜି ଆରସିବି ସହ ଜଡ଼ିତ ଏକ କନଟ୍ରାକ୍ଟ ସାଇନ୍ କରିବାକୁ ମନା କରି ଦେଇଛନ୍ତି । ଏହି କାରଣରୁ କୋହଲିଙ୍କ ଆଇପିଏଲ୍ ଅବସର କଥା ଏବେ ଢ଼େର ଚର୍ଚ୍ଚା ପାଲଟିଛି।

ରେଭ୍‌ ସ୍ପୋର୍ଟସ ରିପୋର୍ଟର ରୋହିତ ଜୁଗଲାନ ଏକ ଭିଡିଓରେ ଦାବି କରିଥିଲେ ଯେ ଆଇପିଏଲ୍ ନୂଆ ସିଜିନ୍ ପୂର୍ବରୁ ବିରାଟ କୋହଲି ଏକ କମର୍ସିଆଲ୍ କନଟ୍ରାକ୍ଟ ରିନ୍ୟୁ କରିବାର ଥିଲା । ତେବେ ଏହି କନଟ୍ରାକ୍ଟ ତାଙ୍କର ଆଇପିଏଲ୍ ଖେଳିବା ସହିତ ଜଡ଼ିତ ନୁହେଁ, ବରଂ ତାଙ୍କ ଫ୍ରାଞ୍ଚାଇଜ୍ ଆରସିବି ସହିତ ଜଡ଼ିତ ରହିଛି । ଯଦି ବିରାଟ ଏହାକୁ ଆଗକୁ ନବଢାଇବା ପାଇଁ ନିଷ୍ପତ୍ତି ନିଅନ୍ତି, ତେବେ ଏହା ନିଶ୍ଚିତ ଭାବରେ ତାଙ୍କର ଭବିଷ୍ୟତ ଆଇପିଏଲ୍ ଖେଳିବା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଥାନ୍ତା, ଏବେ ଠିକ୍ ସେୟା ଘଟିଲା । ରିପୋର୍ଟରେ କୁହାଯାଇଛି ଯେ କୋହଲି ଆଇପିଏଲ୍ ୨୦୨୬ ପୂର୍ବରୁ ତାଙ୍କ ଫ୍ରାଞ୍ଚାଇଜ୍ ଆରସିବି ସହିତ ଚୁକ୍ତି ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ । ଯାହାକି ଆଇପିଏଲ୍‌ରୁ ତାଙ୍କର ଅବସର ନେଇ ଗୁଜବ ସୃଷ୍ଟି କରିଛି।

ଚୁକ୍ତି ସ୍ୱାକ୍ଷର ନକରିବାର ଅର୍ଥ କଣ କୋହଲି ଆରସିବିରୁ ବାହାରିବେ ନା ସମ୍ପୁର୍ଣ୍ଣ ଆଇପିଏଲରୁ ଅବସର ନେବେ ତାକୁ ନେଇ ଢ଼େର ଆଲୋଚନା। ତେବେ ତମାମ ଚର୍ଚ୍ଚାର ଉତ୍ତର ହିଁ କେବଳ ବିରାଟ ହିଁ ଦେଇପାରିବେ। ତେବେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏହାକୁ ପ୍ରାଞ୍ଜଳ ଭାବରେ ବୁଝାଇଛନ୍ତି । ଆକାଶ ଚୋପ୍ରା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରି ଏହା ଉପରେ ଆଲୋଚନା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ କେବଳ କନଟ୍ରାକ୍ଟ ରିନ୍ୟୁ ନକରିବା ଅର୍ଥ ନୁହେଁ ଯେ କୋହଲି ଆଇପିଏଲରେ ଖେଳିବେ ନାହିଁ । ଏହି ଚୁକ୍ତି ଜଣେ ଖେଳାଳିଙ୍କ ଖେଳ ଚୁକ୍ତିଠାରୁ ଭିନ୍ନ । ସେ କହିଛନ୍ତି ଯେ ଏହା ଭିନ୍ନ ଚୁକ୍ତି ହୋଇପାରେ, ଯାହାକୁ କୋହଲି ବଢାଇବାକୁ ଚାହାନ୍ତି ନାହିଁ । ଆକାଶ କହିଛନ୍ତି ଯେ କୋହଲିଙ୍କ ବାରମ୍ବାର ପ୍ରତିଶ୍ରୁତି ଦେଇସାରିଛନ୍ତି ସେ ଆଇପିଏଲରେ ଖେଳିବା ପର୍ଯ୍ୟନ୍ତ କେବଳ ଆରସିବି ପାଇଁ ଖେଳିବେ । ତେଣୁ କୋହଲି ଅନ୍ୟ ଫ୍ରାଞ୍ଚାଇଜିରେ ଯୋଗଦେବାର କୌଣସି ପ୍ରଶ୍ନ ଉଠୁନାହିଁ ।