ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ୧୯ ବର୍ଷୀୟ ଛାତ୍ର ଅନୁରାଗ ଅନିଲ ବୋରକର ସୋମବାର ଆତ୍ମହତ୍ୟା କରିଛନ୍ତି। ଯେଉଁଦିନ ସେ ଉତ୍ତର ପ୍ରଦେଶର ଗୋରଖପୁର ମେଡିକାଲ କଲେଜରେ MBBS ପାଠ୍ୟକ୍ରମରେ ନାମ ଲେଖାଇଥାନ୍ତେ, ସେହିଦିନ ସେ ନିଜ ଜୀବନ ହାରିଛନ୍ତି । ଅନୁରାଗ ଚନ୍ଦ୍ରପୁରର ନବାଗାଁ (ସିନ୍ଦେୱାହି ତହସିଲ)ର ବାସିନ୍ଦା । ସେ NEET UG ୨୦୨୫ ପରୀକ୍ଷାରେ ୯୯.୯୯ପ୍ରତିଶତ ସ୍କୋର କରିଥିଲେ। ଅନୁରାଗ ଓବିସି ବର୍ଗରେ ସର୍ବଭାରତୀୟ ରାଙ୍କ ୧୪୭୫ ହାସଲ କରିଥିଲେ । ପୁଲିସ ଅଧିକାରୀ କହିଛନ୍ତି ଯେ, ଅନୁରାଗ ସୋମବାର ସକାଳେ ଘରେ ଥିଲେ । ଗୋରଖପୁର ଯିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଏହି ସମୟରେ ସେ ନିଜକୁ ଶେଷ କରିବା ଭଳି ନେଇଥିଲେ ବଡ଼ ନଷ୍ପତ୍ତି । କିନ୍ତୁ ଏନେଇ ତାଙ୍କ ପରିବାର ଏବଂ ପଡ଼ୋଶୀ ଜାଣିବା ବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଛି ।
ଆତ୍ମହତ୍ୟା ପୂର୍ବରୁ ଅନୁରାଗ ସୁଇସାଇଡ୍ ନୋଟ୍ରେ ଲେଖିଥିଲେ, ‘ମୋତେ ଏମବିବିଏସ୍ କରିବାକୁ ଇଚ୍ଛା ନାହିଁ । ଜଣେ ଡାକ୍ତର ଯେତେ ଆୟ କରନ୍ତି, ଜଣେ ବ୍ୟବସାୟୀ ବି ସେତିକି ଆୟ କରିପାରିବେ । ୫ ବର୍ଷ ପଢ଼ା, ତାପରେ ଏମଡି...ଏସବୁ ମୋତେ କରିବାର ନାହିଁ ।’
ସୂତ୍ର ଅନୁସାରେ, ଅନୁରାଗ ବିଦେଶରେ ଡାକ୍ତରୀ ପଢ଼ିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ପରିବାର ତାଙ୍କୁ ଏକ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇଥିବାରୁ ଭାରତରେ ପଢ଼ିବାକୁ ଚାପ ପକାଇଥିଲେ। ଏହି ଦ୍ୱନ୍ଦ୍ୱ ତାଙ୍କୁ ଏହି ଦୁଃଖଦ ପଦକ୍ଷେପ ନେବାକୁ ବାଧ୍ୟ କରିଥିବା ଅନୁମାନ କରାଯାଉଛି। ରିପୋର୍ଟ ଅନୁଯାୟୀ, ଅନୁରାଗ ଲଗାତାର ଦୁଇଥର ନିଟ୍ ପରୀକ୍ଷା ଦେଇଥିଲେ। ସେ ପ୍ରଥମ ବର୍ଷରେ ଏମବିବିଏସ୍ ପଢ଼ିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । କିନ୍ତୁ ତାଙ୍କୁ କଲେଜ ପସନ୍ଦ ନ ଆସିବାରୁ ସେ କଠିନ ପରିଶ୍ରମ କରି ପୁଣି ଥରେ ପରୀକ୍ଷା ଦେଇଥିଲେ । ଏଥର ଭଲ ରାଙ୍କ ପାଇଲେ ସତ, କିନ୍ତୁ ଏମବିବିଏସ୍ ପଢ଼ିବାକୁ ସେ ଆଉ ନାହାନ୍ତି । ନବାଗାଁ ପୁଲିସ ପରିବାରକୁ ପଚରାଉଚରା କରୁଛି ଏବଂ ଆତ୍ମହତ୍ୟା ନୋଟର ସତ୍ୟତା ଯାଞ୍ଚ କରୁଛି ।
ଅନୁରାଗଙ୍କ ସଫଳତା ତାଙ୍କ ପରିବାର ଏବଂ ସମାଜକୁ ବେଶ ଖୁସି ଦେଇଥିଲା, କିନ୍ତୁ ଏହା ବୋଧହୁଏ ତାଙ୍କଠାରୁ ଇଚ୍ଛାକୁ ଛଡ଼ାଇ ନେଇଥିଲା । ହୁଏତ ସେ ତାଙ୍କ ପରିବାର କିମ୍ବା ସମାଜର ଇଚ୍ଛା ଆଗରେ ଖୋଲାଖୋଲି ଭାବରେ ନିଜକୁ ପ୍ରକାଶ କରିପାରିଲେ ନାହିଁ। ଏହା ବିଡ଼ମ୍ବନାର ବିଷୟ ଯେ, ୧୯ ବର୍ଷ ବୟସରେ ଯେଉଁ ପିଲାଟି ନିଜ କ୍ୟାରିୟର ବାଛିବାର ସ୍ୱାଧୀନତା ପାଇଁ ଆଗ୍ରହୀ ଥିଲା, ସେ ଚାଲିଗଲା । ତାଙ୍କ କୋଠରୀର କାନ୍ଥ, ପୁସ୍ତକର ପାହାଡ଼ ଏବଂ ଆଜି ତାଙ୍କର ନିଟ୍ ସଫଳତା ପ୍ରଶ୍ନ ପଚାରୁଛି, ଏହା ଏକ ବିଜୟ ଥିଲା, ନା ଅସହାୟତାର ବୋଝ ?