ନୂଆଦିଲ୍ଲୀ: ଆକାଶରେ ଦେଖାହେବ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷର ପ୍ରଥମ ସୁପରମୁନ୍ ବା ଯାହାକୁ ହାର୍ଭେଷ୍ଟ ମୁନ୍ ମଧ୍ୟ କୁହାଯାଇଥାଏ ତାହା ପରିଲକ୍ଷିତ ହେବାକୁ ଯାଉଛି। ୨୦୨୫ର ପ୍ରଥମ ସୁପରମୁନ୍ ସୂର୍ଯ୍ୟାସ୍ତ ପରେ ଉଦିତ ହେବ, ଯାହା ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏହି ଚମତ୍କାର ଅନ୍ତରୀକ୍ଷ ଘଟଣାକୁ ଉପଭୋଗ କରିବା ପାଇଁ ଏକ ପ୍ରକୃଷ୍ଟ ସମୟ। ଏହି ଅନ୍ତରୀକ୍ଷ ଘଟଣା 6 ଅକ୍ଟୋବର ସନ୍ଧ୍ୟାରେ ଏବଂ ୭ ଅକ୍ଟୋବର ସକାଳ ସମୟରେ ଦୃଶ୍ୟମାନ ହେବ ବୋଲି ବିଶେଷଜ୍ଞମାନେ ସୂଚନା ପ୍ରଦାନ କରିଛନ୍ତି।
ସୋମବାର ସୂର୍ଯ୍ୟାସ୍ତ ପରେ ପୂର୍ବ ଦିଗ ଆଡ଼କୁ ଚାହିଁ ଆପଣମାନେ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିପାରିବେ। ବୈଜ୍ଞାନିକ ଦୃଷ୍ଟିରୁ, ଯେତେବେଳେ ଚନ୍ଦ୍ରର ପୃଥିବୀର ସବୁଠାରୁ ନିକଟତମ ଆଭିମୁଖ୍ୟ ସହିତ ଏହାର ଅଣ୍ଡାକାର କକ୍ଷପଥରେ ମେଳ ଖାଏ, ସେତେବେଳେ ସୁପରମୁନ୍ ଦେଖାଯାଇଥାଏ। ଚନ୍ଦ୍ରର ଏହି ପ୍ରକ୍ରିୟାକୁ ବୈଜ୍ଞାନିକ ଭାଷାରେ ପେରିଜି କୁହାଯାଇଥାଏ।
ସୂଚନା ମୁତାବକ, ଚନ୍ଦ୍ରର କକ୍ଷପଥ ସମ୍ପୂର୍ଣ୍ଣ ବୃତ୍ତାକାର ନୁହେଁ। ଏହା ଅଣ୍ଡାକୃତିରେ ପୃଥିବୀକ ପ୍ରଦୀକ୍ଷଣ କରିଥାଏ। କେତେକ ସମୟରେ ଏହା ପୃଥିବୀର ଅକ୍ଷପଥ ସହ ନିକଟତର ହୋଇଥାଏ। ସେତେବେଳେ ସାଧାରଣତଃ ପୂର୍ଣ୍ଣଚନ୍ଦ୍ର ଅପେକ୍ଷାକୃତ ବଡ଼ ଦେଖାଯିବା ସହ ପ୍ରାୟ ୩୦% ଉଜ୍ଜ୍ୱଳ ଦେଖାଯାଇଥାଏ। ପୃଥିବୀର କକ୍ଷ ପଥ ନିକଟତର ହେଉଥିବାରୁ ଚନ୍ଦ୍ରର ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁଁ ପୃଥିବୀ ପୃଷ୍ଟରେ ସାମାନ୍ୟ ଅଧିକ ଜୁଆର ମଧ୍ୟ ଆସିପାରେ ବୋଲି ଅନୁମାନ କରାଯାଉଛି।
ଭାରତରେ ଏହି ସୁପରମୁନ୍ ୬ ଅକ୍ଟୋବର ସନ୍ଧ୍ୟାରୁ ଏବଂ ୭ ଅକ୍ଟୋବର ସକାଳ ସମୟ ସୁଦ୍ଧା ଦୃଶ୍ୟମାନ ହେବ। ଭାରତର ପ୍ରାୟ ପ୍ରତ୍ୟେକ ସହରରୁ ଏହି ବିରଳ ମହାଜାଗତିକ ଘଟଣା ଦୃଶ୍ୟମାନ ହେବ। ତଥାପି, ଏହା ପାଣିପାଗ ଏବଂ ସ୍ଥାନୀୟ ଅଞ୍ଚଳର ମେଘ ଆଚ୍ଛାଦନ ଉପରେ ମଧ୍ୟ ନିର୍ଭର କରିବ। ଭାରତରେ ଦିନ ସମୟରେ ସୁପରମୁନ୍ ପୃଥିବି ଅକ୍ଷପଥର ସବୁଠୁ ନିକଟତର ହେଉଥିବା ବେଳେ ଏହା ଦେଶରେ ଦୃଶ୍ୟମାନ ହେବନାହିଁ, ତେବେ ରାତିର ଆକାଶରେ ମଧ୍ୟ ଭାରତୀୟମାନେ ଅପେକ୍ଷାକୃତ କମ୍ ବଡ଼, ଉଜ୍ଜ୍ୱଳ ଏବଂ ସୁନେଲି ରଙ୍ଗର ସୁପରମୁନର ମଜା ନେଇପାରିବେ।
ଭାରତ ଛଡା ୟୁରୋପ, ଉତ୍ତର ଆମେରିକା, ଯୁକ୍ତରାଜ୍ୟ ଏବଂ ଆମେରିକାର କିଛି ଅଂଶ ସମେତ ଉତ୍ତର ଗୋଲାର୍ଦ୍ଧର ଅନେକ ଦେଶରେ ସୁପରମୁନ୍ ଦୃଶ୍ୟମାନ ହେବ। ଆମେରିକାରେ, ଅକ୍ଟୋବର ୬ ତାରିଖରେ ସୁପରମୁନ୍ ଶେଷ ଆଡ଼କୁ ଦେଖାଯାଉଥିବା ବେଳେ ୟୁକେରେ, ଏହା ଅକ୍ଟୋବର ୭ ତାରିଖରେ ଉଦିତ ହେବ। ଯାହା ଲଗାତାର ଭାବେ ସନ୍ଧ୍ୟାରୁ ସକାଳଯାଏ ଏକ ବିସ୍ତାରିତ ଦୃଶ୍ୟ ପ୍ରଦାନ କରିବ।