ନୂଆଦିଲ୍ଲୀ,୧୩/୦୯: ହାଇସିକ୍ୟୁରିଟି ଜୋନ୍‌  ଘୋଷିତ ହୋଇଥିବା ସୁପ୍ରିମକୋର୍ଟର ମୁଖ୍ୟ ପରିସରରେ ଫଟୋଗ୍ରାଫି, ଭିଡିଓଗ୍ରାଫି ଓ ସୋସିଆଲ୍‌ ମିଡିଆ ରିଲ୍ସ  ବନାଇବା ଉପରେ ବ୍ୟାନ୍‌ ଲଗାଯାଇଛି । ସେପ୍ଟେମ୍ବର ୧୦ରେ  ଜାରି ହୋଇଥିବା ଏକ ସର୍କୁଲାରରେ କୋର୍ଟ ଏହା କହିଛନ୍ତି ।  

ସେହି ସର୍କୁଲାର ଅନୁସାରେ, ହାଇ ସିକ୍ୟୁରିଟି ଜୋନ୍‌ର  ଲନ୍‌ରେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଲାଗି ମୋବାଇଲ୍‌  ଫୋନ୍‌ର ବ୍ୟବହାର କରି ହେବନାହିଁ । ଭିଡିଓଗ୍ରାଫି,  ରିଲ୍ସ ବନାଇବା ଓ ଫଟୋ ଉଠାଇବା ପାଇଁ ବ୍ୟବହୃତ ହେବାକୁ ଥିବା କ୍ୟାମେରା, ଟ୍ରାଇପଡ୍‌ ଓ ସେଲ୍‌ଫି ଷ୍ଟିକ୍‌କୁ  ସେହି ଅଞ୍ଚଳକୁ ନେବା ଉପରେ ପ୍ରତିବନ୍ଧକ ରହିବ ।  କୌଣସି ଓକିଲ, କୋର୍ଟକୁ ଆସିଥିବା ବାଦୀ, ଇଣ୍ଟର୍ନ ଏହି  ନିର୍ଦ୍ଦେଶର ଉଲ୍ଲଂଘନ କଲେ ସମ୍ବନ୍ଧିତ ବାର୍‌ ଆସୋସିଏସନ୍‌,  ରାଜ୍ୟ ବାର୍‌ କାଉନସିଲ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବେ । ଯଦି କୌଣସି କର୍ମଚାରୀ ଏହି ନିର୍ଦ୍ଦେଶର  ଉଲଂଘନ କରନ୍ତି ତେବେ ତାଙ୍କ ବିଭାଗୀୟ ଅଧିକାରୀ  ନିୟମ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବେ ।  ସୁରକ୍ଷାକର୍ମୀଙ୍କ ନିକଟରେ ଯେକୌଣସି ବ୍ୟକ୍ତି, କର୍ମଚାରୀ,  ଓକିଲ ଓ ଅନ୍ୟମାନଙ୍କୁ ହାଇସିକ୍ୟୁରିଟି ଜୋନ୍‌ରେ ଫଟୋ  ଉଠାଇବା କିମ୍ବା ଭିଡିଓ ବନାଇବାରୁ ରୋକିବାର ଅଧିକାର  ରହିବ ।  

ଏହି ନିୟମ ଗଣମାଧ୍ୟମ କର୍ମୀଙ୍କ ଲାଗି ମଧ୍ୟ ଲାଗୁ  ହେବ । ଅପେକ୍ଷାକୃତ କମ୍‌ ସୁରକ୍ଷାଯୁକ୍ତ ଅଞ୍ଚଳରେ  ଗଣମାଧ୍ୟମ କର୍ମୀ ସାକ୍ଷାତକାର ଓ ଖବରର ସିଧା ପ୍ରସାରଣ  କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।  ଯଦି ଗଣମାଧ୍ୟମ କର୍ମୀ ଏହି ନିର୍ଦ୍ଦେଶର ଉଲ୍ଲଂଘନ  କରନ୍ତି ତେବେ ସୁପ୍ରିମକୋର୍ଟର ହାଇ ସିକ୍ୟୁରିଟି ଅଞ୍ଚଳ  ମଧ୍ୟକୁ ତାଙ୍କର ପ୍ରବେଶ ଉପରେ ମାସେ ଯାଏ ବ୍ୟାନ୍‌  ଲାଗିପାରେ । ନିକଟରେ ସୁପ୍ରିମକୋର୍ଟଙ୍କ ଆଡ୍‌ଭୋକେଟ୍‌ସ  ଅନ୍‌ ରେକର୍ଡ ଆସୋସିଏସନ୍‌ ସିଜେଆଇ ବିଆର ଗଭଇଙ୍କୁ  ଚିଠି ଲେଖି ଓକିଲ ଓ ସାଇବର ଇନ୍‌ଫ୍ଲୁଏନ୍ସରମାନଙ୍କର  କୋର୍ଟ ପରିସରରେ ଫଟୋଗ୍ରାଫି ଓ ଭିଡିଓଗ୍ରାଫିକୁ ନେଇ  ଚିନ୍ତା ପ୍ରକଟ କରିଥିଲେ । ସେହିପରି ସୁପ୍ରିମକୋର୍ଟ ବାର୍‌  ଆସୋସିଏସନ୍‌ରେ ମଧ୍ୟ ଏକ ପ୍ରସ୍ତାବ ପାସ୍‌ ହୋଇଥିଲା । ସେଥିରେ ସୁପ୍ରିମକୋର୍ଟ ପରିସର ମଧ୍ୟରେ ଭିଡିଓଗ୍ରାଫି,  ରିଲ୍ସ ବନାଇବା ଓ ସୋସିଆଲ୍‌ ମିଡିଆ କଣ୍ଟେଣ୍ଟ ପ୍ରସ୍ତୁତିରେ  ସାମିଲ ଓକିଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବାକୁ ସୁପାରିଶ କରାଯାଇଥିଲା ।