ଦୁବାଇ, ୭/୧୧ : ଆସନ୍ତା ବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଆଇସିସି ଭେନ୍ୟୁ ଚୂଡ଼ାନ୍ତ କରିଛି । ମୋଟ୍‌ ୮ଟି ଷ୍ଟାଡ଼ିୟମ୍‌ରେ ବିଶ୍ୱକପର ସମସ୍ତ ମ୍ୟାଚ୍‌ ଖେଳାଯିବ । ଭାରତର ୫ଟି ଓ ଶ୍ରୀଲଙ୍କାର ୩ଟି ଷ୍ଟାଡିୟମ୍‌ରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ୍‌ ଆୟୋଜନ କରୁଛନ୍ତି । ମୋଟ୍‌ ୨୦ଟି ଦଳକୁ ନେଇ ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ସପ୍ତାହରେ ଆଇସିସି ଭେନ୍ୟୁ ଘୋଷଣା କରିବ ।

ଆସନ୍ତା ବର୍ଷ ଫେବ୍ରୁଆରୀ ୭ ତାରିଖରୁ ବିଶ୍ୱକପ୍‌ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହେବ । ଭାରତର ଅହମ୍ମଦାବାଦ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇ ସହର ବିଶ୍ୱକପ୍‌ ମ୍ୟାଚ୍‌ ଆୟୋଜନ କରିବାକୁ ସୁଯୋଗ ପାଇଛନ୍ତି । ଶ୍ରୀଲଙ୍କାର କଲମ୍ବୋ ଓ କାଣ୍ଡି ସହରକୁ ୨ଟି ଭେନ୍ୟୁ ଭାବେ ଗ୍ରହଣ କରାଯାଇଛି । ତୃତୀୟ ଭେନ୍ୟୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇ ନାହିଁ । ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ରାଜନୈତିକ ବିବାଦକୁ ନେଇ ପାକିସ୍ତାନର ସମସ୍ତ ମ୍ୟାଚ୍‌କୁ ଶ୍ରୀଲଙ୍କାରେ ରଖାଯାଇଛି । ନିରପେକ୍ଷ ଗ୍ରାଉଣ୍ଡ୍‌ରେ ସାମ୍ନାସାମ୍ନି ହେବା ପାଇଁ ଉଭୟ ବୋର୍ଡଙ୍କ ମଧ୍ୟରେ ଚୁକ୍ତି ହୋଇଥିବାରୁ ପାକିସ୍ତାନ ଦଳ କୌଣସି ମ୍ୟାଚ୍‌ ଖେଳିବା ପାଇଁ ଭାରତ ଆସିବ ନାହିଁ । ଫଳରେ ଭାରତ ଆୟୋଜକ ଦଳ ହୋଇଥିଲେ ହେଁ ପାକିସ୍ତାନକୁ ଭେଟିବା ପାଇଁ ଶ୍ରୀଲଙ୍କା ଯାତ୍ରା କରିବ । ଏପରିକି ପାକିସ୍ତାନ ଫାଇନାଲ୍‌କୁ ଉନ୍ନୀତ ହେଲେ ଶ୍ରୀଲଙ୍କାରେ ଏହି ମ୍ୟାଚ୍‌ ଖେଳାଯିବ । ନଚେତ ଅହମ୍ମଦାବାଦ ଫାଇନାଲ୍‌ ମ୍ୟାଚ୍‌ ଆୟୋଜନ କରିବ।

ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ଫର୍ମାଟ୍‌ ଅପରିବର୍ତ୍ତିତ ରହିଛି। ୨୦ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯିବ । ପ୍ରତି ଗ୍ରୁପ୍‌ରେ ୫ଟି ଲେଖାଏଁ ଦଳ ରହିବେ। ଫଳରେ ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୪ଟି ଲେଖାଏଁ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇବେ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦଳ ସୁପର-୮ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବେ । ଏହି ରାଉଣ୍ଡରେ ୮ଟି ଦଳକୁ ୨ଟି ଗ୍ରୁପରେ ଭାଗ କରାଯିବ । ପ୍ରତି ଗ୍ରୁପ୍‌ରେ ୪ଟି ଲେଖାଏଁ ଦଳ ରହିବେ । ଏହି ରାଉଣ୍ଡ୍‌ରେ ପ୍ରତ୍ୟେକ ଦଳ ୩ଟି ଲେଖାଏଁ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇବେ । ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ୨ଦଳ ସେମି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବେ । ଆୟୋଜକ ଭାରତ ଓ ଶ୍ରୀଲଙ୍କା ବ୍ୟତୀତ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୟୁଏସଏ, ୱେଷ୍ଟ ଇଣ୍ଡିଜ୍‌ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ପ୍ରଦର୍ଶନ ବଳରେ ଯୋଗ୍ୟତା ଅର୍ଜନ କରିଛନ୍ତି । ମାନ୍ୟତା ବଳରେ ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆୟର୍ଲାଣ୍ଡ ଯୋଗ୍ୟତା ଅର୍ଜନ କରିଥିବାବେଳେ ଯୋଗ୍ୟତା ପର୍ଯ୍ୟାୟ ବଳରେ ଉତ୍ତର ଆମେରିକାରୁ କାନାଡ଼ା, ୟୁରୋପରୁ ଇଟାଲୀ ଓ ନେଦରଲାଣ୍ଡ୍‌ସ, ଆଫ୍ରିକାରୁ ନାମିବିୟା ଓ ଜିମ୍ବାୱେ, ଏସିଆରୁ ନେପାଳ, ଓମାନ ଓ ୟୁଏଇ ଯୋଗ୍ୟତା ଅର୍ଜନ କରିଛନ୍ତି ।