ନୂଆଦିଲ୍ଲୀ: ତାଇୱାନରୁ ଆସିଲା ଆଫ୍ରିକୀୟ ସ୍ୱାଇନ ଫିଭର(ଘୁଷୁରି ଦେହରେ ହେଉଥିବା ଜ୍ୱର) ସଂକ୍ରମଣର ପ୍ରଥମ ମାମଲା। ଯାହା ଫଳରେ ସରକାର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରି ପ୍ରଭାବିତ ଫାର୍ମରେ ଥିବା ପ୍ରାୟ ୧୯୫ ଘୁଷୁରୀଙ୍କୁ ମାରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଛଡା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ସମଗ୍ର ଦ୍ୱୀପରେ ଘୁଷୁରୀ ଚାଲାଣ ଏବଂ ହତ୍ୟା ଉପରେ ପାଞ୍ଚ ଦିନ ପାଇଁ ନିଷେଧାଦେଶ ଜାରି କରାଯାଇଛି। ଏହି ରୋଗ ଘୁଷୁରୀ ପାଇଁ ଘାତକ ହୋଇଥିବା ବେଳେ ମଣିଷ ଉପରେ ଏହାର କୌଣସି ପ୍ରଭାବ ପଡେ ନାହିଁ ବୋଲି ଜଣାପଡିଛି।

ତାଇୱାନର କୃଷି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ତାଇଚୁଙ୍ଗରେ ଥିବା ଏକ ଉପକୂଳିୟ ଫାର୍ମରେ ଅକଷ୍ମାତ କିଛି ଘୁଷୁରୀଙ୍କ ମୃତ୍ୟୁ ହୋଇଥିଲା। ଏନେଇ ରିପୋର୍ଟ ଆସିବା ପରେ ମୃତ ଘୁଷୁରି ଗୁଡିକଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିଲା। ତେବେ ମଙ୍ଗଳବାର ମିଳିଥିବା ରିପୋର୍ଟରେ ମୃତ ଘୁଷୁରି ଗୁଡିକୁ ଆଫ୍ରିକୀୟ ସ୍ୱାଇନ ଫିଭର ହୋଇଥିବା ଜଣା ପଡିଥିଲା। ସୂଚନା ପାଇ ପ୍ରାଣୀ ସୁରକ୍ଷା ଏବଂ କ୍ୱାରେଣ୍ଟାଇନ୍ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୧୯୫ ଘୁଷୁରୀଙ୍କୁ ମାରି ଦେଇଥିଲେ। ଏହାସହ ସମଗ୍ର ପରିସରକୁ ସ୍ୱଚ୍ଛ ଏବଂ ଜୀବାଣୁମୁକ୍ତ କରିଥିଲେ। ଏହାଛଡା ଉକ୍ତ ଫାର୍ମ ଚାରିପାଖରେ ତିନି କିଲୋମିଟରର ଅଞ୍ଚଳରେ ଏକ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ ପ୍ରତିଷ୍ଠା କରାଯାଇଛି।

କୃଷି ମନ୍ତ୍ରଣାଳୟ ବୁଧବାର ଅପରାହ୍ନରୁ ସମଗ୍ର ତାଇୱାନରେ ଘୁଷୁରୀ ପରିବହନ ଓ ହତ୍ୟା ଉପରେ ପାଞ୍ଚ ଦିନ ପାଇଁ ପ୍ରତିବନ୍ଧକ ଲଗାଇଛି। କୃଷି ମନ୍ତ୍ରୀ ଚେନ୍ ଜୁନ୍-ଜିହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାଇରସ୍ ଷ୍ଟ୍ରେନକୁ ପୃଥକ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହି ମାମଲାକୁ ଖୁବ୍ ଶୀଘ୍ର ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଂଗଠନକୁ ରିପୋର୍ଟ କରାଯିବ। ସେ କହିଛନ୍ତି ଯେ, ଉକ୍ତ ଭାଇରସ୍ କୁ ପୃଥକ କରିବାକୁ ଦୁଇ ସପ୍ତାହ ସମୟ ଲାଗେ, କିନ୍ତୁ "ଆମେ ଅପେକ୍ଷା କରିପାରିବୁ ନାହିଁ। ରୋଗ ବ୍ୟାପିବାକୁ ରୋକିବା ପାଇଁ ଆମକୁ ତୁରନ୍ତ କଠୋର ପଦକ୍ଷେପ ନେବାକୁ ପଡିବ।"

ଏହା ତାଇୱାନରେ ଆଫ୍ରିକୀୟ ସ୍ୱାଇନ୍ ଫିଭରର ପ୍ରଥମ ଘଟଣା। ତେବେ ଯାଞ୍ଚ ଏବଂ କ୍ୱାରେଣ୍ଟାଇନ୍ ବିନା ଯେକୌଣସି ମାଂସ କିମ୍ବା ମାଂସ ଜନିତ ଉତ୍ପାଦ ବିକ୍ରୟ ନକରିବାକୁ ସରକାର ଚେତାବନୀ ଜାରି କରିଛନ୍ତି। ଏହି ନିୟମ ଉଲ୍ଲଂଘନ କଲେ ନିୟୁତ ତାଇୱାନିଜ୍ ଡଲାର (ପ୍ରାୟ ୩୨,୫୦ ଆମେରିକୀୟ ଡଲାର) ପର୍ଯ୍ୟନ୍ତ ଜରିମାନା ହୋଇପାରେ ବୋଲି ନୂତନ ନିୟମ ପ୍ରଣୟନ କରାଯାଇଛି। ମନ୍ତ୍ରୀ ଚେନ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ "ଏହି ରୋଗ ଦେଶରେ ପହଞ୍ଚିବାର ସର୍ବାଧିକ କାରଣ ହେଉଛି ତାଇୱାନ ବାହାରୁ ମାଂସ ଉତ୍ପାଦର ବେଆଇନ ଚୋରା ଚାଲାଣ। କାରଣ ପରେ ଖାଦ୍ୟ ଅପଚୟ ମାଧ୍ୟମରେ ଏହା ସିଧାସଳଖ ଘୁଷୁରୀ ଫାର୍ମରେ ପହଞ୍ଚିଥାଏ।"

ଆପଣଙ୍କୁ ଜଣାଇରଖୁ ଯେ, ଗତ ୨୦୧୯ ମସିହାରେ ଚୀନ୍ ଏବଂ ଭିଏତନାମରେ ଏହି ଭାଇରସ୍ ବ୍ୟାପିବା ଯୋଗୁଁ ଲକ୍ଷ ଲକ୍ଷ ଘୁଷୁରୀଙ୍କୁ ମାରିବାକୁ ପଡିଥିଲା। ବର୍ତ୍ତମାନ, ଦକ୍ଷିଣ କୋରିଆ ହେଉଛି ଏସିଆର ଏକମାତ୍ର ଦେଶ ଯେଉଁଠାରେ ଆଫ୍ରିକୀୟ ସ୍ୱାଇନ୍ ଫିଭରର ସକ୍ରିୟ ପ୍ରକୋପ ଦେଖାଦେଇଛି। ବାରଟି ୟୁରୋପୀୟ ଦେଶ ଏବେ ବି ଏହି ଭାଇରସ୍ ସହିତ ଲଢ଼େଇ ଜାରି ରଖିଛନ୍ତି। ତାଇୱାନ୍ ସରକାର ଲୋକମାନଙ୍କୁ ସତର୍କ ରହିବାକୁ ଏବଂ ଯେକୌଣସି ସନ୍ଦେହଜନକ ପ୍ରାଣୀ ମୃତ୍ୟୁକୁ ତୁରନ୍ତ ରିପୋର୍ଟ କରିବାକୁ ଅନୁରୋଧ କରିଛନ୍ତି।