ନୂଆଦିଲ୍ଲୀ ୨୨/୦୯: ଆଫଗାନିସ୍ତାନରେ ତାଲିବାନ ସରକାର ମହିଳାଙ୍କ ଲିଖିତ ପୁସ୍ତକ ପଢ଼ାଯିବା ଉପରେ ରୋକ ଲଗାଇଛନ୍ତି । ବିଶ୍ୱବିଦ୍ୟାଳୟଗୁଡି଼କୁ ଏପରି ବହିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତାଲିବାନ ସରକାର ମୋଟ ୬୭୯ଟି ପୁସ୍ତକ ଉପରେ ରୋକ ଲଗାଇଛନ୍ତି । ସେଥିମଧ୍ୟରୁ ପ୍ରାୟ ୧୪୦ଟି ପୁସ୍ତକକୁ ମହିଳାମାନେ ଲେଖିଛନ୍ତି । ଏହି ପୁସ୍ତକଗୁଡି଼କ ତାଲିବାନ୍‌ର ନୀତି ଓ ଶରିଆ ବିରୋଧୀ ହୋଇଥିବା ଅଧିକାରୀମାନେ କହିଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ଧାର୍ମିକ ବିଦ୍ୱାନ ଓ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ନିଆଯାଇଥିବା ଦର୍ଶାଇଛି । ମହିଳାଙ୍କ ଲିଖିତ ପୁସ୍ତକ ବ୍ୟତୀତ ଇରାନୀ ଲେଖକ ଓ ପ୍ରକାଶକଙ୍କ ପୁସ୍ତକ ଉପରେ ବି ସେଠାରେ ବ୍ୟାନ୍‌ ଲାଗିଛି ।

ସେପଟେ ତାଲିବାନ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଦେଶର ପୂର୍ବତନ ଉପନ୍ୟାୟ ମନ୍ତ୍ରୀ ଓ ଲେଖିକା ଜାକିୟା ଅଦେଲି କହିଛନ୍ତି, ଏହି ନିଷ୍ପତ୍ତି ତାଙ୍କୁ ଆଶ୍ଚର୍ଯ୍ୟ କଲାନାହିଁ । ତାଲିବାନ୍‌ର ନୀତି ପ୍ରଥମ ଦିନରୁ ମହିଳା ବିରୋଧୀ ରହିଆସିଛି । ଯଦି ମହିଳାଙ୍କୁ ପଢ଼ିବାକୁ ଅନୁମତି ନାହିଁ, ତେବେ ସେମାନଙ୍କ ବିଚାର ଓ ଲେଖାକୁ ମଧ୍ୟ ସ୍ଥାନ ଦିଆଯିବ ନାହିଁ ଏହା ସିଧାସଳଖ କଥା । ଅଦେଲିଙ୍କ ପୁସ୍ତକ ମଧ୍ୟ ବ୍ୟାନ୍‌ ହୋଇଥିବା ବହି ତାଲିକାରେ ରହିଛି ।

ସୂଚନାଥାଉକି, ତାଲିବାନ ସରକାର କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ନାରୀଶିକ୍ଷା ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି । ପୂର୍ବରୁ ତାଲିବାନ ସରକାର ଝିଅମାନଙ୍କ ଲାଗି ଷଷ୍ଠ ଶ୍ରେଣୀରୁ ଆଗକୁ ପଢ଼ିବା ଉପରେ ରୋକ ଲଗାଇଥିଲେ । ଗତବର୍ଷ ଧାଈ ପାଠ୍ୟକ୍ରମକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା । ସେହିପରି ଦେଶରେ ମହିଳାମାନେ ବାହାରକୁ ବାହାରିବା ସମୟରେ ହିଜାବ ଜରୁରି । ସେମାନେ ଏକୁଟିଆ ଯାତ୍ରା କରିପାରିବେ ନାହିଁ ଆଦି ବିଭିନ୍ନ କଟକଣା ମଧ୍ୟ ଜାରି ହୋଇଛି ।