ଜଗତୀକରଣ, ଏକ ସେହି ପ୍ରକ୍ରିୟା ଯାହା ଗତ କେତେ ଦଶକ ଧରି ସାରା ବିଶ୍ୱକୁ ଏକ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଏକତାରେ ବାନ୍ଧି ରଖିଛି । ଆଧୁନିକ ବିଶ୍ୱରେ ଏହା ଏକ ଏଭଳି ପ୍ରକ୍ରିୟା ଯେଉଁଠି ଆର୍ଥିକ ସୀମା ନଥାଏ, ଉତ୍ପାଦନ ଏବଂ ବଜାର କ୍ଷେତ୍ରରେ ସମସ୍ତ ଦେଶ ପରସ୍ପର ସହିତ ଜଡ଼ିତ ଗ୍ରାହକ ଏବଂ ଉତ୍ପାଦକ ଏକ ବିଶ୍ୱ ସମୁଦାୟର ଅଂଶ ଅଟନ୍ତି । କିନ୍ତୁ ଆଜି ଏହି ଭାବନାରେ ଏକ ଗଭୀର ଚିନ୍ତା ଦେଖାଯାଉଛି, ତାହା ହେଉଛି ନୂତନ ଟାରିଫ୍ ଯୁଦ୍ଧର ଉଦୟ । ଏହା କେବଳ ବ୍ୟାପାର ନୀତିରେ ଏକ ଅସ୍ଥିରତା ନୁହେଁ, ବରଂ ଜଗତୀକରଣର ମୂଳ ଆଧାର ପ୍ରତି ବିପଦ ।

ଟାରିଫ୍ ଯୁଦ୍ଧର ଅର୍ଥ ହେଉଛି, ଯେତେବେଳେ ଏକ ଦେଶ ଅନ୍ୟ ଦେଶର ଆୟାତୀତ ପଣ୍ୟ ଉପରେ ଅଧିକ ଶୁଳ୍କ ବା ଟାରିଫ୍ ଲାଗୁ କରେ ଏବଂ ତାହାର ପ୍ରତିଶୋଧ ରୂପେ ଅନ୍ୟ ଦେଶ ସେହିପରି ପଦକ୍ଷେପ ନିଏ । ଏହା ଦେଖିବାକୁ ଏକ ନୀତିଗତ ଆବଶ୍ୟକତା ଭଳି ଲାଗିପାରେ ଯଥା- ଜାତୀୟ ଶିଳ୍ପ ରକ୍ଷା, ଦେଶୀ ଉତ୍ପାଦକଙ୍କୁ ସମର୍ଥନ ଦେବା ବା ରାଷ୍ଟ୍ରୀୟ ସୁରକ୍ଷାର । କିନ୍ତୁ ଏହିଭଳି ଦୁଇ ଧାର ଖଣ୍ଡା ସଦୃଶ ଦେଖାଯାଉଥିବା ପଦକ୍ଷେପ ବିଶ୍ୱ ଅର୍ଥନୀତିର ମୂଳ ସୂତ୍ରକୁ ଭାଙ୍ଗିଦେବା ଶକ୍ତି ରଖେ । ଜଗତୀକରଣ ମୂଳ ଶକ୍ତି ହେଉଛି ସହଯୋଗ ଓ ଆଶ୍ରୟ । ଏକ ଦେଶ ଯାହା ଉତ୍ପାଦନ କରେ, ଅନ୍ୟ ଦେଶ ସେହି ଉତ୍ପାଦକୁ ଆମଦାନୀ କରେ ଏବଂ ଆଉ ଗୋଟିଏ ଦେଶ ସେଥିପାଇଁ କଞ୍ଚାମାଲ ଯୋଗାଇଦିଏ । ଏହି ଜଟିଳ କିନ୍ତୁ ସୁସଂଗଠିତ ଶୃଙ୍ଖଳ ମାଧ୍ୟମରେ ଆଜି ଗାଡ଼ି, ମୋବାଇଲ, ଔଷଧ ଓ ଖାଦ୍ୟ ସାମଗ୍ରୀ ଭଳି ସମସ୍ତ ଉତ୍ପାଦ ବିଶ୍ୱ ସ୍ତରରେ ପହଞ୍ଚୁଛି । କିନ୍ତୁ ଯେତେବେଳେ ଏକ ଦେଶ ଟାରିଫ୍ ବଢ଼ାଇ ଏହି ସଂଯୋଗ ଶୃଙ୍ଖଳକୁ ଭଙ୍ଗ କରେ, ସେତେବେଳେ ସାରା ବିଶ୍ୱ ଉତ୍ପାଦନ ଓ ବ୍ୟାପାର ବ୍ୟବସ୍ଥା ଅସ୍ଥିର ହୋଇପଡ଼େ । ଉତ୍ପାଦନ ଖର୍ଚ୍ଚ ବଢ଼ିଯାଏ, ଗ୍ରାହକ ପାଇଁ ବସ୍ତୁ ମହଙ୍ଗା ହୋଇଯାଏ ଓ ଜାତୀୟ ଅର୍ଥନୀତିରେ ମାହାଙ୍ଗାଇର ଚାପ ବୃଦ୍ଧିପାଏ ।
ଏହି ନୂତନ ଟାରିଫ୍ ଯୁଦ୍ଧ ବିଶେଷକରି ବିକାଶଶୀଳ ଦେଶମାନଙ୍କ ପାଇଁ ଅଧିକ ଭୟାବହ । ସେମାନେ ବିଶ୍ୱ ବଜାର ଉପରେ କଞ୍ଚାମାଲ, ପ୍ରଯୁକ୍ତି ଓ ବଜାର ଅଭିଗମ ପାଇଁ ନିର୍ଭର କରନ୍ତି । ଯଦି ବିକଶିତ ଦେଶମାନେ ଟାରିଫ୍ ବଢ଼ାନ୍ତି, ସେତେବେଳେ ଏହି ଦେଶମାନଙ୍କ ଉଭୟ ଆମଦାନୀ ଓ ରପ୍ତାନି ପ୍ରଭାବିତ ହୁଏ, ଉତ୍ପାଦନ ହ୍ରାସ ପାଏ ଓ ଚାକିରି ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ିଯାଏ । ଏହା ନିଜେ ଏକ ସାମାଜିକ ଓ ଅର୍ଥନୈତିକ ସଂକଟ ସୃଷ୍ଟି କରେ, ଯାହା ବିଶ୍ୱ ସ୍ଥିରତାକୁ ଅସ୍ଥିର କରିପାରେ ।
ଟାରିଫ୍ ଯୁଦ୍ଧ କେବଳ ଅର୍ଥନୀତିକ ନୁହେଁ, ଏହା ଏକ ରାଜନୈତିକ ଅସ୍ତ୍ର ମଧ୍ୟ ହୋଇଯାଇଛି । ଯେତେବେଳେ ଏକ ଦେଶ ଅନ୍ୟ ଦେଶର ନୀତିରେ ଅସନ୍ତୋଷ ପ୍ରକାଶ କରେ, ସେହି ସମୟରେ ଟାରିଫ୍ ବଢ଼ାଇ ଚାପ ସୃଷ୍ଟି କରିଥାଏ । ଏହିପରି ପଦକ୍ଷେପ ବିଶ୍ୱ ବ୍ୟାପାର ସଂଗଠନ (WTO) ଭଳି ଅନ୍ତଃରାଷ୍ଟ୍ରୀୟ ସଂସ୍ଥାଗତ ବ୍ୟବସ୍ଥାକୁ ଅସାମର୍ଥ୍ୟର ମୁହଁ ଦେଇଥାଏ । ଆଜି ବିଶ୍ୱରେ ଯେଉଁ ବିକାଶ ଓ ଖୋଲା ବଜାର ଧାରା ଥିଲା, ସେହିଠାରେ ଏବେ ଅନେକ ଦେଶ "ସୁରକ୍ଷିତ ଅର୍ଥନୀତି' ' (Protectionism) ଅଥବା "ବନ୍ଦ ଅର୍ଥନୀତି' (Protectionism)ର ପଥ ଧରୁଛି । ଏହା ଜଗତୀକରଣ ଆତ୍ମା ସହ ନିଜେ ଏକ ମୂଳ ସଂଘର୍ଷ ।
ଟାରିଫ୍ ବୃଦ୍ଧି ଫଳରେ ଉପଭୋକ୍ତାମାନଙ୍କ ଉପରେ ପ୍ରଭାବ ସାର୍ବଜନୀନ ଭାବେ ଦେଖାଯାଏ । ଆୟାତୀତ ବସ୍ତୁ ମହଙ୍ଗା ହୋଇଯାଏ, ଦେଶୀ ବଜାରରେ ସେହି ବସ୍ତୁର ବିକଳ୍ପ ମିଳିବା ଦୁର୍ଲଭ ହୋଇଯାଏ ଓ ଜନସାଧାରଣଙ୍କ ଜୀବନ ଯାପନ ଖର୍ଚ୍ଚ ବଢ଼ିଯାଏ । ଏହା ଆମ୍ଭେ ଦେଖୁଛୁ ଯେପରିକି ଇସ୍ପାତ, ତେଲ, ମୋବାଇଲ ଓ ଇଲେକଟ୍ରୋନିକ୍ ସାମଗ୍ରୀର ମୂଲ୍ୟ ବିଶ୍ୱର ଟାରିଫ୍ ନୀତି ଅନୁଯାୟୀ ବଦଳୁଛି । ବିଶ୍ୱ ବାଣିଜ୍ୟ ଶୃଙ୍ଖଳ ଭାଙ୍ଗିଲେ ସେହି ଫଳ ଆମ ଘର ପର୍ଯ୍ୟନ୍ତ ପହଞ୍ଚିଯାଏ ।
ଭାରତ ଭଳି ଦେଶ ପାଇଁ ଏହି ଅବସ୍ଥା ଦୁଇ ଧାର ପୂର୍ଣ୍ଣ । ଏକ ପକ୍ଷରୁ ଭାରତ ନିଜ ଦେଶୀ ଶିଳ୍ପକୁ ସୁରକ୍ଷା ଦେବାକୁ ଚାହେଁ "ଆତ୍ମନିର୍ଭର ଭାରତ' ଧାରଣା ମାଧ୍ୟମରେ ସ୍ୱାଧୀନ ଭାବରେ ଉତ୍ପାଦନ ବଢ଼ାଇବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷରୁ ଭାରତ ବିଶ୍ୱ ଆୟାତ ଓ ନିଃଆୟାତରେ ଏକ ମୁଖ୍ୟ ଅଂଶୀଦାର । ଟାରିଫ୍ ଯୁଦ୍ଧ ଭାରତର ପ୍ରଯୁକ୍ତି, ଔଷଧ, ବସ୍ତ୍ର ଓ ଆଇଟି ସେକ୍ଟରକୁ ପ୍ରଭାବିତ କରିପାରେ । ଏହି ପରିସ୍ଥିତିରେ ଭାରତକୁ ଏକ ସନ୍ତୁଳିତ ନୀତି ଅବଲମ୍ବନ କରିବା ଆବଶ୍ୟକ, ଯେଉଁଠି ସ୍ୱାଧୀନତା ଓ ବିଶ୍ୱ ସହଯୋଗ ଦୁଇଟି ଏକସଙ୍ଗେ ଚାଲିପାରିବ ।
ଏହି ଟାରିଫ୍ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ଯେପରି ଛିନ୍ନ କରୁଛି, ତାହା ସହିତ ଏହା ମନୋଭାବରେ ମଧ୍ୟ ଏକ ବିଭେଦ ତିଆରି କରୁଛି । ଦେଶ ମଧ୍ୟରେ, ପରସ୍ପର ମଧ୍ୟରେ ଭରସା କମିଯାଉଛି, ବାଣିଜ୍ୟ ଆଲୋଚନାରେ ସନ୍ଦେହ ବଢ଼ୁଛି ଓ ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ସହଯୋଗ ହ୍ରାସ ପାଉଛି । ବିଶ୍ୱ ଯେଉଁଠି ଏକାଠି ଆଗକୁ ଯାଉଥିଲା, ସେଠାରେ ଏବେ ଦେଶଗୁଡ଼ିକ ନିଜ ନିଜ ସୀମା ଅନ୍ତର୍ଗତ ରହିବାକୁ ଚାହୁଁଛନ୍ତି । ଏହା ଆର୍ଥିକ ଅନିଶ୍ଚିତତା ଓ ସାମାଜିକ ଅସନ୍ତୋଷକୁ ଜନ୍ମ ଦେଇପାରେ ।
ତଥାପି ଆଶା ହାରିବାଯୋଗ୍ୟ ନୁହେଁ । ବିଶ୍ୱ ଇତିହାସ ଦେଖାଇଛି ଯେ, ପ୍ରତି ଅସନ୍ତୋଷ ପରେ ଏକ ନୂତନ ସମତା ଗଢ଼ିଉଠେ । ଯଦି ଦେଶମାନେ ଆପୋସ ଆଲୋଚନା ମାଧ୍ୟମରେ ଟାରିଫ୍ ନୀତି ନିର୍ଣ୍ଣୟ କରନ୍ତି, ତେବେ ଏହି ଯୁଦ୍ଧକୁ ନିୟନ୍ତ୍ରଣ କରିହେବ । ଡବ୍ଲ୍ୟୁ.ଟି.ଓ. ଓ ଅନ୍ୟାନ୍ୟ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଏଠିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହିତ ଦେଶମାନେ ନିଜ ଉତ୍ସର୍ଗ ଶୃଙ୍ଖଳକୁ ସୁସ୍ଥ କରିବା, ନୂତନ ବଜାର ଖୋଜିବା ଓ ନୀତିଗତ ପାରଦର୍ଶିତା ବଢ଼ାଇବା ମାଧ୍ୟମରେ ଏହି ଅସ୍ଥିରତାକୁ ହ୍ରାସ କରିପାରନ୍ତି