ନୂଆଦିଲ୍ଲୀ ୨୩/୦୯:  ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେୱନ୍ତ  ରେଡ୍ଡୀ(୫୫) ଆଜିକାଲି ରାଜ୍ୟ ସଚିବାଳୟର  ନୂଆ ବିଲ୍‌ଡିଂରେ ବସୁନାହାନ୍ତି । ନିଜର ସବୁ  କାମ ସେ କଡ଼ା ନିରାପତ୍ତା ବଳୟରେ ଥିବା  ବଞ୍ଜାରା ହିଲ୍‌ସ୍ଥିତ ଇଣ୍ଟିଗ୍ରେଟେଡ୍‌ ପୁଲିସ  କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରରୁ କରୁଛନ୍ତି ।  ଏହାର କାରଣ ଭାବେ ସଚିବାଳୟର ନୂଆ  ବିଲ୍‌ଡିଂରେ କିଛି ବାସ୍ତୁ ଦୋଷ ଥିବା କଥା  କୁହାଯାଉଛି ।

ନୂଆ ସଚିବାଳୟ ବିଲ୍‌ଡିଂ ରାଜ୍ୟର  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ  ରାଷ୍ଟ୍ର ସମିତି(ବିଆରଏସ୍‌)ର ପ୍ରମୁଖ  କେ.ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ  ସମୟରେ ନିର୍ମିତ ହୋଇଥିଲା । ୨୦୨୩  ଏପ୍ରିଲ ୩୦ ତାରିଖରେ ଏହାର ଉଦ୍‌ଘାଟନ  କରାଯାଇଥିଲା । କିନ୍ତୁ ଡିସେମ୍ବରରେ  ହୋଇଥିବା ବିଧାନସଭା ନିର୍ବାଚନରେ  କେସିଆର୍‌ ହାରି ଯାଇଥିଲେ । ତାଙ୍କ ସ୍ଥାନରେ  ରେୱନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ।  ୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେହି  ୭ ମହଲା ବିଲ୍ଡିଂରେ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ  କାର୍ଯ୍ୟାଳୟ ରହିଛି । ସେହିପରି ମନ୍ତ୍ରୀମୁଖ୍ୟ ସଚିବଙ୍କ ସମେତ ବରିଷ୍ଠ ପ୍ରଶାସନିକ  ଅଧିକାରୀଙ୍କ କାର୍ଯ୍ୟାଳୟ ବି ସେଠାରେ  ରହିଛି ।

ରେୱନ୍ତଙ୍କ ସହ ଘନିଷ୍ଠ ଜଣେ ବ୍ୟକ୍ତି  କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ପରଠାରୁ ନୂଆ  ବିଲ୍‌ଡିଂରେ ସେ ଲଗାତର ଅଶାନ୍ତି ଅନୁଭବ  କରୁଥିଲେ । ଯାଞ୍ଚ କରାଯିବାରୁ ବିଲ୍‌ଡିଂରେ  ବାସ୍ତୁ ଦୋଷ ଥିବା ଜଣାପଡି଼ଲା । ଏହାପରେ  ଗତବର୍ଷ ସେ ବିଲ୍‌ଡିଂର କିଛି ବାସ୍ତୁ ପରିବର୍ତ୍ତନ  କରାଇଥିଲେ । ତଥାପି ମୁଖ୍ୟମନ୍ତ୍ରୀ ପୁଲିସ  କଣ୍ଟ୍ରୋଲ ରୁମ୍‌ରେ ବସୁଛନ୍ତି । କେହି ବିଶେଷ  ପ୍ରତିନିଧି କିମ୍ବା ଅତିଥିଙ୍କୁ ଭେଟିବାର ଥିଲେ  ହିଁ ସେ ନୂଆ ସଚିବାଳୟ ଯାଇଥାନ୍ତି ।

ଅନ୍ୟ  ଏକ ସୂତ୍ର ଅନୁସାରେ, ନୂଆ ସଚିବାଳୟରେ  ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କର ଅନେକ  ବିଶ୍ୱସ୍ତ କର୍ମଚାରୀ ଏବେ ମଧ୍ୟ ଅଛନ୍ତି ।  ପ୍ରାଥମିକ ଭାବେ ରେୱନ୍ତ ନୂଆ ବିଲ୍‌ଡିଂରେ  ବସିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ  ଲିକ୍‌ ହୋଇଥିଲା । ପରେ ଫୋନ୍‌ ଟ୍ୟାପିଂ  ଘଟଣା ତାଙ୍କର ସନ୍ଦେହକୁ ଆହୁରି ଦୃଢ଼ୀଭୁତ  କଲା । ସେଥିଯୋଗୁ ସେ ଧୀରେ ଧୀରେ  ପୁଲିସ କମାଣ୍ଡ ସେଣ୍ଟରକୁ ସିଫ୍ଟ ହେବା  ଆରମ୍ଭ କଲେ । କେସିଆର୍‌ ବି ବାସ୍ତୁ ଦୋଷ  ଥିବା ସନ୍ଦେହରେ ନୂଆ ସଚିବାଳୟ ନିର୍ମାଣ  କରାଇଥିଲେ । ପୁରୁଣା ସଚିବାଳୟ ବିଲ୍‌ଡିଂ  ବାସ୍ତୁ ଅନୁସାରେ ନିର୍ମିତ ହୋଇନଥିବା ସେ  ବିଶ୍ୱାସ କରୁଥିଲେ । ଖାସ୍‌ ସେଥିଲାଗି ନିଜର  ୨ ପାଳିର କାର୍ଯ୍ୟକାଳରେ ସେ ମାତ୍ର ୨୪ ଥର  ପୁରୁଣା ସଚିବାଳୟ ଯାଇଥିଲେ । ଅଧିକାଂଶ  କାମକୁ କେସିଆର୍‌ ନିଜର କ୍ୟାମ୍ପ ଅଫିସ୍‌ ଓ  ବାସଭବନ ପ୍ରଗତି ଭବନରୁ କରୁଥିଲେ ।  ପରବର୍ତ୍ତୀ ସମୟରେ ସେ ଖରାପ ଅଗ୍ନି  ସୁରକ୍ଷା ମାନଦଣ୍ଡର କାରଣ ଦର୍ଶାଇ ପୁରୁଣା  ସଚିବାଳୟକୁ ୭୦ କୋଟି ଖର୍ଚ୍ଚ କରି ଭାଙ୍ଗି  ଦେଇଥିଲେ । ସେତେବେଳେ କୋଭିଡ୍‌ ୧୯ର ସମୟ ଥିଲା । ରାଜ୍ୟ ଗମ୍ଭୀର  ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ।  ତେଣୁ କଂଗ୍ରେସ ସମେତ ଅନ୍ୟ  ବିରୋଧୀ ଦଳ ତାଙ୍କର ଏହି  ନିଷ୍ପତ୍ତିକୁ ବଦ୍‌ଖର୍ଚ୍ଚ ଦର୍ଶାଇ  ବିରୋଧ କରିଥିଲେ ।