ନୂଆଦିଲ୍ଲୀ: ତେଲେଙ୍ଗାନାରେ ପଛୁଆ ବର୍ଗ ମିଳିତ କାର୍ଯ୍ୟ କମିଟି (BC JAC) ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରା ପାଇଁ ସମଗ୍ର ରାଜ୍ୟରେ ଧର୍ମଘଟ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ନଗର ନିଗମ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୪୨ ପ୍ରତିଶତ ସଂରକ୍ଷଣ ଉପରେ ହାଇକୋର୍ଟ ରୋକ ଲଗାଇବା ପରେ ଏହି ନିର୍ଦ୍ଦେଶ ବିରୋଧରେ ଧର୍ମଘଟ ଡାକରା ଦିଆଯାଇଥିବା ଜଣାପଡିଛି। ଏହି ଧର୍ମଘଟକୁ ଶାସକ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ସମର୍ଥନ କରିଛନ୍ତି।
ଏହି କମିଟିର ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ବିଜେପି)ର ରାଜ୍ୟସଭା ସାଂସଦ ଆର. କୃଷ୍ଣୈୟା ପୂର୍ବରୁ ସମସ୍ତ ରାଜନୈତିକ ଦଳ ଏବଂ ନାଗରିକ ସମାଜ ସଂଗଠନକୁ ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରିଥିଲେ। ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଥିବା କ୍ଷେତ୍ର ବ୍ୟତୀତ ସମସ୍ତ କ୍ଷେତ୍ରକୁ ଏହି ଧର୍ମଘଟରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
ସୂଚନା ମୁତାବକ, ଗତ ଅକ୍ଟୋବର ୯ ତାରିଖରେ ତେଲେଙ୍ଗାନା ହାଇକୋର୍ଟ ସ୍ଥାନୀୟ ନଗର ନିଗମ ନିର୍ବାଚନରେ ପଛୁଆ ବର୍ଗ ସମ୍ପ୍ରଦାୟକୁ ୪୨ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିଥିଲେ। ଯାହାକୁ ନେଇ ସମଗ୍ର ତେଲେଙ୍ଗାନାରେ ପ୍ରତିବାଦ ଆରମ୍ଭ ହୋଇଯାଇଛି। ପ୍ରତିବାଦର ଅଂଶ ସ୍ୱରୂପ, ବିଭିନ୍ନ ରାଜନୈତିକ ଦଳ ଏବଂ ପଛୁଆ ବର୍ଗ ସଂଗଠନର ନେତାମାନେ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (TSRTC) ବସ୍ ଡିପୋ ବାହାରେ ଧାରଣା ଦେଉଛନ୍ତି। ଯେଉଁଥିପାଇଁ ବସ୍ ଗୁଡ଼ିକୁ ଗନ୍ତବ୍ୟ ସ୍ଥଳିକୁ ଯିବାପାଇଁ ବାଧା ଉପୁଜିଝି। ବିଜେପି ଲୋକସଭା ସାଂସଦ ଏଟାଲା ରାଜେନ୍ଦର ଜୁବୁଲି ବସ୍ ଷ୍ଟେସନରେ ହେଉଥିବା ବନ୍ଦରେ ଅଂଶଗ୍ରହଣ କରିଥିଲେ।
ତେଲେଙ୍ଗାନା ଜାଗୃତିର ପ୍ରତିଷ୍ଠାତା ଏବଂ BRS ନେତା କେ. କବିତା ମଧ୍ୟ ଧାରଣା ଦେବା ସହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସରକାର ସଂରକ୍ଷଣକୁ ସମର୍ଥନ କରିବା ପାଇଁ କୋର୍ଟକୁ ରାଜି କରାଇବାରେ ବିଫଳ ହୋଇଛନ୍ତି। "କଂଗ୍ରେସ ହେଉ କି ବିଜେପି, ପଛୁଆ ବର୍ଗ ସମ୍ପ୍ରଦାୟକୁ ଭ୍ରମିତ କରିବା ବନ୍ଦ କରନ୍ତୁ," ବୋଲି ସେ କହିଥିଲେ।
TSRTC (TGRTC)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସକାଳେ ବସ୍ ଷ୍ଟେସନ ଏବଂ ଡିପୋରେ ଏହି ବନ୍ଦ ଡାକରା ଯୋଗୁ ବସ୍ ସେବା କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। ତେଲେଙ୍ଗାନାର ଶାସକ କଂଗ୍ରେସ ଦଳ ଶୁକ୍ରବାର ପଛୁଆ ବର୍ଗ ମିଳିତ କମିଟି ଦ୍ୱାରା ଡାକରାଯାଇଥିବା ଧର୍ମଘଟକୁ ସମର୍ଥନ ଘୋଷଣା କରିଥିଲା। ବିଜେପି ଏବଂ BRS ମଧ୍ୟ ଧର୍ମଘଟକୁ ସମର୍ଥନ କରିଛନ୍ତି।
ତେବେ ପଛୁଆ ବର୍ଗ ମିଳିତ କାର୍ଯ୍ୟ କମିଟିଟି କେତେକ ସଦସ୍ୟ ରାଜଧାନୀ ହାଇଦ୍ରାବାଦରେ କିଛି ପେଟ୍ରୋଲ ପମ୍ପ ଓ ଦୋକାନ ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ତେବେ ଏହି ବନ୍ଦ ଡାକରା ଧିରେଧିରେ ହିଂସାତ୍ମକ ହେବା ପରେ ବିଭିନ୍ନ ଦୋକାନ, ବଜାର, ପ୍ରତିଷ୍ଠାନ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଛି।
ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ବି. ଶିବଧର ରେଡ୍ଡୀ ଶୁକ୍ରବାର ଏକ ବିବୃତ୍ତି ଜାରି କରି ସମସ୍ତ ସଂଗଠନକୁ ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଏବଂ ଏତିନିମନ୍ତେ ଜନସାଧାରଣଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି। ତେବେ ବନ୍ଦ ନାମରେ ଅଶାନ୍ତି କିମ୍ବା ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଜାରି କରିଛନ୍ତି।