ବଲାଙ୍ଗିର/ଲୋଇସିଂହା, ୮/୧୦ : ଭାରତ- ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି ସୀମାପାର କଳାସଂସ୍କୃତିର ଆଦାନପ୍ରଦାନ କ୍ଷେତ୍ରରେ । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଲୋକବାଦ୍ୟ ଗଁଡ଼ାବଜା (ପଞ୍ଚବାଦ୍ୟ) ପ୍ରଦର୍ଶନ ପାଇଁ ଆମେରିକାରେ ସଫ୍ଟୱେର ଇଞ୍ଜିନିୟର ଜଣେ ପ୍ରବାସୀ ଭାରତୀୟ ଏଠାରୁ ବାଦ୍ୟଯନ୍ତ୍ର ମଗାଇଥିଲେ । ମାତ୍ର ଆମେରିକାର ୫୦ ପ୍ରତିଶତ ଟାରିଫ ମାଡ଼ ଯୋଗୁ ବାଦ୍ୟଯନ୍ତ୍ରର ମୂଳ ଦାମ ଅପେକ୍ଷା ପରିବହନ ଓ ଟାରିଫ୍‌ ବାବଦରେ ସେ ପ୍ରାୟ ୪ଶହ ପ୍ରତିଶତ ଟିକସ ଗଣିଛନ୍ତି । ଏଠାରୁ ମାତ୍ର ୩୦ହଜାର ଟଙ୍କାରେ ବାଦ୍ୟଯନ୍ତ୍ର କିଣି ଆମେରିକା ପହଞ୍ଚିବା ବେଳକୁ ପରିବହନ ଓ ଟାରିଫ ଶୁଳ୍କ ମିଶି ତାଙ୍କୁ ୧ ଲକ୍ଷ ୩୬ ହଜାର ଟଙ୍କା ଗଣିବାକୁ ପଡିଛି । ଗଁଡାବଜାର ପ୍ରସାର ପାଇଁ ଆଗକୁ ସେ ଅଧିକ ବାଦ୍ୟଯନ୍ତ୍ର ମଗାଇବାର ଯୋଜନା କରିଥିଲେ । ମାତ୍ର ଆର୍ଥିକ କ୍ଷତିଗ୍ରସ୍ତ ହୋଇ ସେ ସବୁ କାର୍ଯ୍ୟକ୍ରମ ସ୍ଥଗିତ କରିଦେଇଥିବା ଜଣାପଡ଼ିଛି ।

ଆମେରିକାସ୍ଥିତ ଟେକ୍ସାସର ଅଷ୍ଟିନ ସହରରେ ରହନ୍ତି ବଲାଙ୍ଗିରର ସଫ୍ଟୱେର ଇଞ୍ଜିନିୟର ଚନ୍ଦ୍ରଶେଖର ନାୟକ । ସେ ରହୁଥିବା ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଅନ୍ୟ ପ୍ରବାସୀ ଭାରତୀୟ ଓ ପ୍ରବାସୀ ଓଡ଼ିଆ ମଧ୍ୟ ରହିଛନ୍ତି । ସେଥିପାଇଁ ବର୍ଷତମାମ ନୂଆଁଖାଇ, ପୁଷପୁନି, ରଜ, ରଥଯାତ୍ରା, ହୋଲି, କୁମାର ପୂର୍ଣ୍ଣିମା, ଦୁର୍ଗାପୂଜା, ଭଳି ବିଭିନ୍ନ ଯାନିଯାତ୍ରା ସେଠାରେ ପାଳନ କରାଯାଏ । ସେଠାରେ ରହୁଥିବା ଅନ୍ୟ ରାଜ୍ୟର ପ୍ରବାସୀ ଭାରତୀୟମାନେ ନିଜ ଅଞ୍ଚଳର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି । ଇଞ୍ଜିନିୟର ଶ୍ରୀ ନାୟକ ନିଜେ ଜଣେ କଳାକାର ପରିବାରର ହୋଇଥିବାରୁ ପଶ୍ଚିମ ଓଡ଼ିଶାର ଗଁଡାବଜାକୁ ସେଠାରେ ପ୍ରଦର୍ଶନ କରାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । ସେଥିପାଇଁ ଲୋଇସିଂହାର ବରିଷ୍ଠ କଳାକାର ତଥା ନାଟ୍ୟ ନିର୍ଦ୍ଦେଶକ ନିସାର ଅହମ୍ମଦ ନିଶାରଙ୍କ ମାଧ୍ୟମରେ ବଲାଙ୍ଗିରରୁ ଗଁଡ଼ାବଜା ମଗାଇଥିଲେ । ଢୋଲ, ମହୁରୀ, ନିଶାନ, ତାସା ଓ ଝାଞ୍ଜ ଆଦି କିଣିବା ପାଇଁ ୩୦ ହଜାର ଟଙ୍କା ପଇଠ କଲେ । ନିଶାର ଅହମ୍ମଦ ଲୋଇସିଂହା, ବରଗଡ଼, ତରଭା ଆଦି ଅଞ୍ଚଳରୁ ଢୋଲ, ମହୁରୀ, ନିଶାନ, ତାସା ଓ ଝାଞ୍ଜ ଆଦି ବାଦ୍ୟଯନ୍ତ୍ର କିଣି ୪ଟି ବାକ୍ସରେ ପ୍ୟାକ୍‌ କଲେ ଏବଂ ସେପ୍ଟେମ୍ବର ୧୮ରେ କୋରିଅରରେ ଆମେରିକା ପଠାଇଲେ । ପରିବହନ ବାବଦକୁ କୋରିଅର ସଂସ୍ଥା ୫୪ହଜାର ଟଙ୍କା ନେଇଥିଲା । ଗତ ୨ ତାରିଖରେ ବାଦ୍ୟଯନ୍ତ୍ର ଆମେରିକାରେ ପହଞ୍ଚିବା ଖବର ପାଇ ଶ୍ରୀ ନାୟକ ଆଣିବା ପାଇଁ ଗଲେ । ସେଠି କୋରିଅର ତରଫରୁ ତାଙ୍କୁ କେବଳ ସୀମା ଶୁଳ୍କ ବ୍ୟତୀତ ଟାରିଫ ଯୋଡ଼ି ପ୍ରତି ବକ୍ସ ପିଛା ୧୩ ହଜାର ଟଙ୍କା ଅତିରିକ୍ତ ମଗାଯାଇଥିଲା । ଇଞ୍ଜିନିୟର ଶ୍ରୀ ନାୟକ ବୁଝାବୁଝି କରିବାରୁ କୋରିଅର ଖର୍ଚ୍ଚ ବାହାରେ ୪ଟି ବକ୍ସ ପାଇଁ ଅତିରିକ୍ତ ୫୨ହଜାର ଟଙ୍କା ଦେବାକୁ ପଡିବ ଏବଂ ତାହା ଭାରତରୁ ଯାଉଥିବା ସାମଗ୍ରୀରେ ଟାରିଫ ଯୁକ୍ତ ଦେୟ ବୋଲି କୁହାଯାଇଥିଲା । ତେବେ ଇଞ୍ଜିନିୟର ଶ୍ରୀ ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ସାମଗ୍ରୀରେ ଟାରିଫ ଲଗାଇବା ନେଇ ଆପତ୍ତି ଉଠାଇବା ସହ ଅତ୍ୟଧିକ ଶୁଳ୍କ ସମ୍ପର୍କରେ ପକ୍ଷ ରଖିବା ପରେ ତାଙ୍କୁ ଜିଏସ୍‌ଟି ବିଲ ଦେବାକୁ କୁହାଗଲା ।

ଉଦ୍‌ବେଗର କଥା ହେଲା, ବାଦ୍ୟ ଯନ୍ତ୍ର ଗୁଡ଼ିକ ସୋନପୁର ଜିଲ୍ଲା ତରଭା ନିକଟ ଗର୍ଜା, ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଅଞ୍ଚଳର ବୁରୋମୁଣ୍ଡା, କୁଶଙ୍ଗ, ରାଣିପାଲି, ଅର୍ଡା ଏବଂ ନୂଆପଡା ଜିଲ୍ଲା ଖରିଆଡ଼ ଅଞ୍ଚଳର ଲୋକ କଳାକାର ଓ କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ତେଣୁ ଗ୍ରାମୀଣ ଲୋକ କଳାକାରଟିଏ ଜିଏସ୍‌ଟି ବିଲ କେଉଁଠୁ ଆଣିବ ତାକୁ ନେଇ ଚିନ୍ତା ବଢ଼ିଲା । ଏହାବାଦ୍‌ ଟାରିଫ୍‌ ଦେଇ ସାମଗ୍ରୀ ନ ନେଲେ ତାହା ଭାରତ ଫେରି ଆସିବ ଏବଂ ସେହି କୋରିଅର ବାବଦକୁ ପୁଣି ଅତିରିକ୍ତ ୫୩ହଜାର ଟଙ୍କା ଲାଗିବ ବୋଲି କୁହାଗଲା । ଶେଷରେ ବାଧ୍ୟ ହେଇ ଇଞ୍ଜିନିୟର ଶ୍ରୀ ନାୟକ ଗତ ୬ତାରିଖରେ ଟାରିଫ ଯୁକ୍ତ ଶୁଳ୍ଲ ଦେଇ ଗୋଟିଏ ପାର୍ସଲ ଗ୍ରହଣ କରିଛନ୍ତି । ଆଗକୁ ଯାଇଥିବା ଅନ୍ୟ ୩ଟି ପାର୍ସଲକୁ ମଧ୍ୟ ଅତିରିକ୍ତ ଶୁଳ୍କ ଦେଇ ଗ୍ରହଣ କରିବେ । ସଂସ୍କୃତି ଆଦାନ ପ୍ରଦାନରେ ଯଦି ଏଭଳି ସୀମା ଶୁଳ୍କ, ବ୍ୟବସାୟ ଶୁଳ୍କ ଲାଗିବ, ତା’ହେଲେ ପ୍ରବାସୀ ନିଜ ଅଞ୍ଚଳର କଳା, ସଂସ୍କୃତିକୁ ପ୍ରଚାରପ୍ରସାର ପାଇଁ ପଛଘୁଞ୍ଚା ଦେବେ ବୋଲି କହିଛନ୍ତି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି ।