ନୂଆଦିଲ୍ଲୀ: ଖଗୋଳ ବିଜ୍ଞାନରେ ରୁଚି ରଖୁଥିବା ଲୋକମାନଙ୍କ ପାଇଁ ଆଜି ଏକ ବଡ ଦିନ। ଆଜି ଭାରତ ଆକାଶରେ ଦେଖାଯିବ ବଡ ଚନ୍ଦ୍ର ଗ୍ରହଣ। ଯେଉଁଥିରେ ଚନ୍ଦ୍ର କିଛି ସମୟ ପାଇଁ ଗାଢ ଲାଲ ରଙ୍ଗର ଦୃଶ୍ୟମାନ ହେବ।
ଏହି ବିରଳ ମହାଜାଗତିକ ଦୃଶ୍ୟକୁ ବୌଜ୍ଞାନିକ ମାନେ ବ୍ଲଡ ମୁନ ବୋଲି କହିଥାନ୍ତି। ଯାହା ଖାଲି ଆଖିରେ ପାଖାପାଖି ୮୨ ମିନିଟ ଧରି ଦୃଶ୍ୟମାନ ହେବ। ଯାହା ବିଗତ ଦଶନ୍ଧିର ସର୍ବାଧିକ ସମୟ ଦୃଶ୍ୟମାନ ହେଉଥିବା ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି।
ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ ପୃଥିବି ସିଧାସଳଖ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ରହିଥାଏ। ତେଣୁ ଚନ୍ଦ୍ର ପୃଷ୍ଟରେ ପୃଥିବୀର ଛାଇ ପଡି ଚନ୍ଦ୍ର ଗ୍ରହଣ ହୋଇଥାଏ। ସୂର୍ଯ୍ୟ ଗ୍ରହଣ ସମୟରେ କିଛି ସମୟ ପାଇଁ ପୃଥିବି ଅନ୍ଧକାରଚ୍ଛନ ହେଇଯାଇଥାଏ। ଏହାର ବିପରିତ ଭାବେ ଚନ୍ଦ୍ର ଗ୍ରହଣ ସମୟରେ ଅନ୍ଧାର ହେବା ପରିବର୍ତ୍ତେ ଜହ୍ନ ସାଧାରଣ ଇଷତ୍ ନାଲି ରଙ୍ଗ ତଥା ମଳିନ ଦେଖାଯାଇଥାଏ।
ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବି ଆସିଯାଉଥିବାରୁ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଚନ୍ଦ୍ର ପୃଷ୍ଟରେ ପଡିପାରେ ନାହିଁ। ଏହାସହ ପୃଥିବିର ବାୟୁମଣ୍ଡଳ ସୂର୍ଯ୍ୟ କିରଣରେ ଥିବା ନୀଳ ଓ ସବୁଜ ଭଳି ସର୍ଟ ୱେଭଲେନ୍ଥ ଆଲୋକ ଗୁଡିକୁ ଅବଶୋଷଣ କରିନିଏ। କିନ୍ତୁ ସୂର୍ଯ୍ୟଙ୍କର ଲମ୍ୱା ୱେଭଲେନ୍ଥ ବିଶିଷ୍ଟ ନାଲି କିରଣ ଚନ୍ଦ୍ର ପୃଷ୍ଟରେ ପଡେ ଯାହା ଚନ୍ଦ୍ରକୁ ନାଲି ରଙ୍ଗ ପ୍ରଦାନ କରିଥାଏ।
ଦୀର୍ଘ ୮୨ ମିନିଟ ଧରି ଚନ୍ଦ୍ର ନାଟକୀୟ ଢଙ୍ଗରେ ସମଗ୍ର ବିଶ୍ୱରେ ଲାଲ ଦେଖାଯିବ। ଏହି ସମୟକାଳ ମଧ୍ୟରେ ଚନ୍ଦ୍ର ଆଶିଂକ ମଳିଚିଆ ତମ୍ୱାଟିଆ ରଙ୍ଗର ଦୃଶ୍ୟମାନ ହେବ। ଭାରତରେ ଏହି ଦୃଶ୍ୟ ଆରମ୍ଭରୁ ଶେଷ ଯାଏ ଦୃଶ୍ୟମାନ ହେବ। ଖଗୋଳ ବିଜ୍ଞାନିଙ୍କ ମତରେ ଏହି ପ୍ରକ୍ରିୟା ରାତି ୧୦ଟା ଟୁ ଆରମ୍ଭ ହୋଇ ମଧ୍ୟ ରାତ୍ର ଯାଏ ଦୃଷ୍ଟିଗୋଚର ହେବ।
ଭାରତର ସମସ୍ତ ଅଞ୍ଚଳରେ ଏହା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ ଓ ଲୋକମାନେ ଏହି ଦୃଶ୍ୟର ମଜା ନେଇପାରିବେ। ଏହାସହ ବିଭିନ୍ନ ଦେଶର ଲୋକମାନେ ମଧ୍ୟ ଏହି ବିରଳ ପ୍ରକ୍ରିୟାକୁ ନିଜ ଆଖିରେ ଦେଖିପାରିବେ। ଚୀନ, ଜାପାନ, ଦକ୍ଷିଣ ଆଫ୍ରିକା, ନାଇଜେରିଆ, ମାଲେସିଆ, ଇଣ୍ଡୋନେସିଆ, ଜର୍ମାନ, ରୁଷ, କୋରିଆ, ଫ୍ରାନ୍ସ, ବାଂଲାଦେଶ, ହଙ୍ଗେରି, ଫିଲିଫାଇନ୍ସ, ଗ୍ରୀସ, ସିଙ୍ଗାପୋର, ଅଷ୍ଟ୍ରେଲିଆ, ରୋମ, ବୁଲଗେରିଆ, ତୁର୍କି, ବେଲଜିୟମ, ଇଂଲଣ୍ଡ, ପର୍ତ୍ତୁଗାଲ, ନେଦରଲ୍ୟାଣ୍ଡ ଆଦି ଅଞ୍ଚଳରେ ମଧ୍ୟ ଦୃଷ୍ଟିଗୋଚର ହେବ।
ସୂର୍ଯଗ୍ରହଣକୁ ଦେଖିବାପାଇଁ ଏକ ବିଶେଷ ଧରଣର ଚଷମା ବ୍ୟବହାର କରାଯାଉଥିବା ବେଳେ ଚନ୍ଦ୍ର ଗ୍ରହଣକୁ ଦେଖିବା ପାଇଁ କୌଣସି ବିଶେଷ ଧରଣର ଚଷମାର ଆବଶ୍ୟକତା ନାହିଁ। ଆପଣ ଏହାକୁ ଖାଲି ଆଖିରେ କିମ୍ୱା ଟେଲିସ୍କୋପ ମାଧ୍ୟମରେ ଉପଭୋଗ କରିପାରିବେ। ଏହି ଚନ୍ଦ୍ରଗ୍ରହଣ ଦୀର୍ଘ ଦଶନ୍ଧିରେ ଅପେକ୍ଷାପରେ ଭାରତରେ ଦୃଶ୍ୟମାନ ହେଉଥିବାରୁ ଏହି ମଉକାକୁ ହାତଛଡା କରନ୍ତୁ ନାହିଁ। କାରଣ ବିନା କୌଣସି ଯାନ୍ତ୍ରୀକ ସହାୟତାରେ ଆପଣ ଏହି ବିରଳ ମହାଜାଗତିକ ଦୃଶ୍ୟର ମଜା ନେଇପାରିବେ।