ଭୁବନେଶ୍ୱର, ୦୩/୦୯: ସବୁଠି ଜଲ୍ସାର ଜଲ୍ୱା । ସବୁଠି ଜଲ୍ସା ଗୀତର ଫିବର୍ । ସାତରୁ ସତୁରୀ, ପିଲାଠୁ ବୁଢ଼ା ଯାଏଁ ସମସ୍ତେ ମତୁଆଲା ଏହି ଗୀତରେ । ମେଲୋଡି ମଞ୍ଚରୁ ଆରମ୍ଭ କରି ପୂଜା ମଣ୍ଡପ ସବୁଠି ଏବେ ଏହି ଗୀତର ଧୁମ୍ । ଏହି ଗୀତ ମନ୍ତ୍ରମୁଗ୍ଧ କରିଛି ଶ୍ରୋତା ତଥା ଦର୍ଶକଙ୍କୁ । ବର୍ତ୍ତମାନ ଟ୍ରେଣ୍ଡିଙ୍ଗ୍ରେ ରହିଛି ନିର୍ମାଣାଧୀନ ‘ମନ୍ତ୍ରମୁଗ୍ଧ’ ଚଳଚ୍ଚିତ୍ରର ଏ ଗୀତ । ମୁକ୍ତିଲାଭ କରିବାର ପ୍ରଥମ ୧୪ ଘଣ୍ଟାରେ ୧,୦୦,୦୦୦ ଦର୍ଶକ ଦେଖିସାରିଥିବାବେଳେ ଏହାରି ମଧ୍ୟରେ ୩,୫୦, ୦୦୦ ଦର୍ଶକ ଦେଖିସାରିଛନ୍ତି, ଯାହା ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ସର୍ବକାଳୀନ ରେକର୍ଡ ।
ତେବେ ଉଲ୍ଲେଖନୀୟ କଥାଟି ହେଉଛି ଜଲ୍ସା ଗୀତ ଓଡ଼ିଆ ଚଳଚ୍ଚିତ୍ରର ସବୁଠୁ ଦାମୀ ବା ବ୍ୟୟବହୁଳ ଗୀତ । ଏହାର ନିର୍ମାଣ ପାଇଁ ପାଖାପାଖି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଆଖି ଝଲସା ଆଲୋକ ସାଙ୍ଗକୁ ଅତ୍ୟାଧୁନିକ ଡ୍ୟାନ୍ସ ଫ୍ଲୋର୍ ଓ ଆକର୍ଷଣୀୟ ସେଟ୍ ଜଲ୍ସାର ଫିବରକୁ ଦ୍ୱିଗୁଣିତ କରିଛି । ଯୁବ ବର୍ଗର ଶ୍ରୋତା ଓ ଦର୍ଶକ ଏହାକୁ ନେଇ ସର୍ବାଧିକ ରିଲସ ବନାଇବାରେ ବ୍ୟସ୍ତ । ଫିଲ୍ମ ‘ମନ୍ତ୍ରମୁଗ୍ଧ’ରେ ସ୍ଥାନିତ ଏହି ଗୀତର ପରିକଳ୍ପନା କରିଛନ୍ତି ଯୁବ ପ୍ରଯୋଜିକା ବର୍ଷା ପଟ୍ଟନାୟକ ଓ ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । ସଙ୍ଗୀତ ଦେଇଛନ୍ତି ଆଶିଷ ପ୍ରଧାନ । ନୃତ୍ୟ ନିର୍ଦ୍ଦେଶନାରେ ଅଛନ୍ତି ଅମିତ । ମନୋଜ କୁମାର ପଣ୍ଡା ରଚନା କରିଥିବା ଏହି ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନ୍ତରା ଚକ୍ରବର୍ତ୍ତୀ । ଗୀତଟି ସନୋଜ, ସୂର୍ଯ୍ୟମୟୀ, ସୌରଭ, ମନ୍ମୟ, ନିଶାନ୍ତ ଓ ପିହୁଙ୍କ ଉପରେ ରୂପାୟିତ ହୋଇଛି । ଦୃଶ୍ୟଗ୍ରହଣରେ ଦୀପକ କୁମାର ଥିବା ବେଳେ ସମ୍ପାଦନାରେ ଅଛନ୍ତି ରଶ୍ମିରଞ୍ଜନ ଦାସ ।