ନମୌଜା,/୯ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତସ୍ଥିତ କପିଳେଶ୍ଵର ମହାଦେବ ଛକ ନିକଟରୁ ବଡାମ୍ବିଳା ଗ୍ରାମ ପର୍ଯ୍ୟନ୍ତ ପରିବ୍ୟାପ୍ତ ୨ ଶହ ମିଟର ରାସ୍ତା ଶୋଚନୀୟ ହୋଇପଡିଛି l ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ୫ପଞ୍ଚାୟତର ପ୍ରାୟ ୧୫ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇ ପଡ଼ିଛନ୍ତି ଉକ୍ତ ରାସ୍ତା ଦେଇ ଦୈନିକ ଯାତାୟତ କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଠୁ ଆରମ୍ଭ କରି ସାଧାରଣ ଲୋକେ ବଜାର ହାଟକୁ ଯିବା ପାଇଁ ୧୦କିମି ରାସ୍ତା ଅତିକ୍ରମ କରି ଯିବାକୁ ପଡୁଛି l ତତସହିତ ଏହି ରାସ୍ତା ଦେଇ ଦୈନିକ ଯାଉଥିବା ସମସ୍ତ ମାଲବାହି, ଯାତ୍ରୀବାହି ଗାଡି ସହ ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀ ବସ ସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି l

ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଉକ୍ତ ବସଟି ମହାଦେବ ଛକରେ ଅଟକି ରହୁଛି l ଯଦ୍ୱାରା ଉକ୍ତ ରାସ୍ତାର ଅପରପାର୍ଶ୍ଵରେ ଥିବା ୫ପଞ୍ଚାୟତ ଅଟାଳ, କୋଳିଡ଼ିହ, ମହୁ, ବାଳକାଟୀ, ଏକମାଣିଆର ଲୋକମାନେ  ମୁଖ୍ୟମନ୍ତ୍ରୀ ବସ ସେବାରୁ ବଞ୍ଚିତ ହେବା ସହ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପ୍ରକାଶ ଯେ, ବଡାମ୍ବିଳା ପଞ୍ଚାୟତର ଉକ୍ତ ରାସ୍ତା ଦୀର୍ଘ ଦିନ ହେବ ଜାଗା ସମସ୍ୟା ଯୋଗୁଁ ନିଆଳରୁ ଅଟାଳ ରାସ୍ତାର (ମହାଦେବ ଛକ ନିକଟରେ ରାସ୍ତା) ଅଟକି ରହିଥିଲା l କଥା କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ସମାଧାନ ହୋଇ ପାରୁନଥିଲା l ପରେ ସ୍ଥାନୀୟ ଲୋକମାନଙ୍କ ସଦିଚ୍ଛା କ୍ରମେ ନମୌଜା ଅଞ୍ଚଳର କିଛି ସମାଜସେବୀ ଓ ଶିକ୍ଷାବିତଙ୍କ ଆପ୍ରାଣ ଉଦ୍ୟମରେ ଉକ୍ତ ଜାଗା ସମସ୍ୟାକୁ ଆପୋଷ ସମାଧାନ କରାଯାଇ ମହାଦେବ ପୋଖରୀକୁ ଲାଗି କିଛି ଜାଗା ରାସ୍ତାକୁ ବିରୋଧ କରୁଥିବା ଲୋକେ ଛାଡିଥିଲେ l ଆଜିକୁ ପ୍ରାୟ ବର୍ଷେ ତଳେ ସେହି ରାସ୍ତାରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ସ୍ଥାନାନ୍ତର କରାଯିବା ସହ ରାସ୍ତାରେ ବାଲି ଓ ଡଷ୍ଟ ପକାଯାଇ ରାସ୍ତା ନିର୍ମାଣ କରାଯାଇଥିଲା l

ପ୍ରଶାସନର ଅବହେଳା ଯୋଗୁଁ ପୁନଃ ବର୍ଷା ଋତୁ ଆସିବା ପରେ ଉକ୍ତ ରାସ୍ତା ଦେଇ ଦୈନିକ ଶତାଧିକ ଗାଡି ସହ ମୁଖ୍ୟମନ୍ତ୍ରୀ ବସ ସେବାର ବସ୍ ଯାତାୟତ କରିବା ଯୋଗୁଁ ରାସ୍ତାଟି ଶୋଚନୀୟ ହୋଇପଡ଼ିଛି l ଏ ନେଇ ପଞ୍ଚାୟତ ବାସୀମାନେ ବାରମ୍ବାର ପ୍ରଶାସନକୁ ଗୁହାରି କଲେ ମଧ୍ୟ କେହି ଶୁଣିଲେ ନାହିଁ l ଫଳରେ ଉକ୍ତ ରାସ୍ତା ଦେଇ ଗମନାଗମନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡିଛି l ତୁରନ୍ତ ଯଦି ଏହାର ମରାମତି କରା ନ ଯାଏ ତେବେ ଅଞ୍ଚଳବାସୀ ବିଜୟ ମହୀ, ଜଗଦାନନ୍ଦ ବଳ, ଅକ୍ଷୟ ଦାସ, ପ୍ରଦ୍ୟୁମ୍ନ ଦାଶ, ମଧୁସୂଦନ ଦାସ, ଗୋବିନ୍ଦଚନ୍ଦ୍ର ନନ୍ଦ, ବିନୋଦ ଚନ୍ଦ୍ର ଦାଶ, ଚକ୍ରଧର ଦାଶ, ରତ୍ନାକର ମହାନ୍ତି, ହରେକୃଷ୍ଣ ବିଶ୍ୱାଳ, ମାନଗୋବିନ୍ଦ ଦାସ, ଅମ୍ବୁଜ ଦାସ ପ୍ରମୁଖ ଆନ୍ଦୋଳନର ଚେତାବନୀ ଦେଇଛନ୍ତି l ଏ ନେଇ ଆଳି ବିଡିଓ ଅବିନାଶ ବିଶ୍ୱଜିତ ସେଠିଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଆଲୋଚନା କରିଛନ୍ତି l ଖୁବଶୀଘ୍ର ଏହି ରାସ୍ତାର ଉନ୍ନତିକରଣ ହେବ ବୋଲି ବିଭାଗ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି l