ନୂଆଦିଲ୍ଲୀ ୨୯/୦୯: ତେଲୁଗୁ ସୁପରଷ୍ଟାର ଜୁନିଅର ଏନ୍‌ଟିଆର୍‌ ଏବେ ପୁଣି ଚର୍ଚ୍ଚାରେ । ରିଲିଜ୍‌ର ଠିକ୍‌ ବର୍ଷକ ପରେ ତାଙ୍କର ସୁପରହିଟ୍‌ ଫିଲ୍ମ ଦେବରାର ସିକ୍ୱେଲ ସଂପର୍କରେ ନିର୍ମାତାମାନେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ମୂଳ ଆକ୍ସନ୍‌ ଡ୍ରାମାରେ ଜୁନିଅର ଏନ୍‌ଟିଆର୍‌ଙ୍କୁ ଉଭୟ ପିତା, ପୁତ୍ର ଭୂମିକାରେ ଦେଖିବାକୁ ମିଳିଥିଲା । ଦର୍ଶକମାନେ ତାଙ୍କର ଅଭିନୟକୁ ବେଶ୍‌ ପ୍ରଶଂସା କରିଥିଲେ ।

ସେହିପରି ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର, ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌, ପ୍ରକାଶ ରାଜ୍‌ ପ୍ରମୁଖ ସେଥିରେ ନଜର ଆସିଥିଲେ । ତାହା ତେଲୁଗୁ, ତାମିଲ, ମାଲାୟଲମ୍‌, କନ୍ନଡ ଓ ହିନ୍ଦୀ ଭାଷାରେ ଗତବର୍ଷ ସେପ୍ଟେମ୍ବର ୨୭ରେ ରିଲିଜ୍‌ ହୋଇଥିଲା । ତେବେ ରିଲିଜ୍‌ର ତୁରନ୍ତ ପରେ ଏହାର କାହାଣୀ ଅସଂପୂର୍ଣ୍ଣ ଥିବା କୁହାଯିବା ସହ ସିକ୍ୱେଲ ସଂପର୍କରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସିକ୍ୱେଲରେ ଜୁନିଅର ଏନ୍‌ଟିଆର୍‌ ପୁଣି ଦ୍ୱୈତ ଭୂମିକାରେ ନଜର ଆସିବେ । କୋରାଟାଲା ଶିବା ମଧ୍ୟ ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ । ତେବେ ଅନ୍ୟ କଳାକାରମାନଙ୍କ ସଂପର୍କରେ କିଛି ତଥ୍ୟ ସାମ୍ନାକୁ ଆସିନାହିଁ । ମୂଳ ଫିଲ୍ମର ପ୍ରମୁଖ କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି ।