ନୂଆଦିଲ୍ଲୀ: ଇସ୍ରାଏଲର ନେତାନ୍ୟାହୁ ସରକାରଙ୍କ ଦ୍ୱାରା ଧାର୍ମିକ ଛାତ୍ରଙ୍କ ପାଇଁ ସାମରିକ ଛାଡ ସମାପ୍ତ କରିବା ଯୋଜନା ବିରୋଧରେ ରବିବାର ହଜାର ହଜାର ଇହୂଦୀ ନ୍ୟୁୟର୍କରେ ପ୍ରଦର୍ଶନ କରିଥିଲେ। ଜାତିସଂଘ ମୁଖ୍ୟାଳୟ ନିକଟରେ ଅବସ୍ଥିତ ଇସ୍ରାଏଲୀ କନସୁଲେଟ୍ ବାହାରେ ଏହି ପ୍ରତିବାଦ କରାଯାଇଥିଲା। ଏଥିରେ ବିଶେଷକରି ନ୍ୟୁୟର୍କ ଏବଂ ଏହାର ଉପକଣ୍ଠରୁ ବହୁ ସଂଖ୍ୟକ ଇହୂଦୀ ସଦସ୍ୟ ଅଂଶଗ୍ରହଣ କରିଥିଲେ। ପ୍ରତିବାଦକାରୀମାନେ କହିଛନ୍ତି ଯେ ଇସ୍ରାଏଲୀ ସରକାରଙ୍କ ଏହି ନିଷ୍ପତ୍ତି ସେମାନଙ୍କ ବିଶ୍ୱାସ ଏବଂ ଧାର୍ମିକ ଶିକ୍ଷା ଉପରେ ସିଧାସଳଖ ଆକ୍ରମଣ।

ଏହି ପ୍ରଦର୍ଶନ ସତମାର ସମ୍ପ୍ରଦାୟର ଦୁଇଜଣ ପ୍ରଭାବଶାଳୀ କିନ୍ତୁ ପ୍ରତିଦ୍ୱନ୍ଦ୍ୱୀ ଧାର୍ମିକ ନେତା (ଗ୍ରାଣ୍ଡ ରାବିସ୍)ଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଏହାଛଡା ଇହୂଦୀ ସଂଗଠନଗୁଡ଼ିକର ଏକ ଗୋଷ୍ଠୀ, ଆମେରିକା ଏବଂ କାନାଡାର କେନ୍ଦ୍ରୀୟ ରାବିନିକାଲ୍ କଂଗ୍ରେସ ଦ୍ୱାରା ଏହି ପ୍ରତିବାଦ ଆୟୋଜିତ କରାଯାଇଥିଲା।

ଧାର୍ମିକ ଇହୂଦୀମାନେ ଏନେଇ ଯୁକ୍ତି ଦେଇ କହିଛନ୍ତି ଯେ ବଳପୂର୍ବକ ସାମରିକ ନିଯୁକ୍ତି ସେମାନଙ୍କ ଧାର୍ମିକ ଶିକ୍ଷା ଏବଂ ପରମ୍ପରାକୁ ବ୍ୟାହତ କରିବ। ଏହି ସମୟରେ, ଇସ୍ରାଏଲର ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ଛାଡ଼ ଦେଶରେ ଅସମାନତା ସୃଷ୍ଟି କରୁଛି। ବିଶେଷକରି ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ବିବାଦ ବୃଦ୍ଧି ପାଇବାରେ ଲାଗିଛି। ଇସ୍ରାଏଲର ସୁପ୍ରିମକୋର୍ଟ ଗତ ବର୍ଷ ସରକାରଙ୍କୁ ଧାର୍ମିକ ଇହୂଦୀ ପୁରୁଷମାନଙ୍କୁ ସେନାରେ ନିଯୁକ୍ତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ପ୍ରତିବାଦ ବଢିବାରେ ଲାଗିଛି। 1948 ମସିହାରେ ଇସ୍ରାଏଲର ସୃଷ୍ଟି ହେବା ପରଠାରୁ ଏହି ବିଶେଷ ଧାର୍ମୀକ ଗୋଷ୍ଠୀକୁ ଏହି ଛାଡ଼ ପ୍ରଦାନ କରାଯାଇଛି।

ଏହି ସମୟରେ, ସତମାର ସମ୍ପ୍ରଦାୟର ନେତା ରାବି ମୋଇଶୋ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ଏତେ ଅଧିକ ସମର୍ଥନ ଆଶା କରିନଥିଲେ। କିନ୍ତୁ ଲୋକଙ୍କ ଏନେଇ ଚିନ୍ତା ଏବଂ ଅସନ୍ତୋଷ ଏବେ ସ୍ପଷ୍ଟ ହେବାରେ ଲାଗିଛି। ସେ ଆମେରିକା ଏବଂ ନ୍ୟୁୟର୍କ ସରକାରଙ୍କୁ ସେମାନଙ୍କ ଧର୍ମ ବଞ୍ଚିବା ଏବଂ ପିଲାମାନଙ୍କୁ ତୋରା (ଇହୂଦୀ ଧର୍ମଗ୍ରନ୍ଥ) ଶିକ୍ଷା ଦେବାର ସ୍ୱାଧୀନତା ପାଇଁ କୃତଜ୍ଞତା ମଧ୍ୟ ପ୍ରକାଶ କରିଥିଲେ।