ଭୁବନେଶ୍ୱର,୧୫/୧୦ : ଧଉଳି ଶାନ୍ତିସ୍ତୂପର ଶାନ୍ତ ବାତାବରଣରେ ବସା ବାନ୍ଧିଥିଲେ ହଜାର ହଜାର ବାଦୁଡ଼ି । ସେମାନଙ୍କ କିଚିରିମିଚିରି ରାବରେ ସ୍ତୂପ ପାଦଦେଶ ଗୁଞ୍ଜରିତ ହେଉଥିଲା । ମୁଖ୍ୟସ୍ତୂପର ତଳପାର୍ଶ୍ୱ ଛାତ ତଳେ ସେମାନେ ରହୁଥିଲେ । ଦିନତମାମ ବିଶ୍ରାମ ନେଉଥିଲେ । ସନ୍ଧ୍ୟା ହେଲେ ଦଳ ଦଳ ହୋଇ ବାହାରି ଚାରିଆଡ଼େ ଖେଦି ଯାଉଥିଲେ । ଧଉଳି ପାହାଡ଼ ବଣଜଙ୍ଗଲରେ ଫଳ, କୋଳି, ପୋକଜୋକ ଖାଇ ଭୋର ବେଳେ ଫେରି ଆସୁଥିଲେ । କୋଭିଡ୍ କାଳରେ ସେମାନଙ୍କ ସଂଖ୍ୟା ଆହୁରି ବଢ଼ି ଯାଇଥିଲା । ମଣିଷ ସମାଗମ ନଥିବାରୁ ସେମାନଙ୍କ ଅହେତୁକ ଭାମେ ବଂଶ ବୃଦ୍ଧି ହୋଇଥିଲା । ହେଲେ ପ୍ରକୃତିର ଏହି ଅନନ୍ୟ ଦୃଶ୍ୟ ଆଉ ଦେଖିବାକୁ ମିଳୁନି । କୁଆଡ଼େ ଗଲେ ସେମାନେ? କାହିଁକି ପଳାଇଲେ? ଏହା ପଛରେ ରହିଛି ଜୀବଜନ୍ତୁଙ୍କ ପ୍ରତି ମଣିଷର ନିଷ୍ଠୁରତାର କଥା ।
ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନା ମୁତାବକ, କୋଭିଡ୍ କଟକଣା ପରେ ଧଉଳି ପାହାଡ଼କୁ ସ୍ଥାନୀୟ ଓ ବାହାର ଲୋକଙ୍କ ସୁଅ ଛୁଟିଲା । ୨ ବର୍ଷ କାଳ ବନ୍ଦ ହେବା ଫଳରେ ଶାନ୍ତିସ୍ତୂପ ଛାତ ତଳେ ବାଦୁଡ଼ି ମାନଙ୍କ ମଳ ଭର୍ତ୍ତି ହୋଇ ଯାଇଥିଲା । ଛାତ ତଳଟି ନିଚ୍ଛାଟିଆ ସ୍ଥାନ ହୋଇଥିବାରୁ ସେଠାରେ ମଦ୍ୟପ ଓ ନିଶାଡ଼ିଙ୍କ ଆଡ୍ଡା ଜମେ । ବାଦୁଡ଼ିଙ୍କ ମଳରେ ସେ ସ୍ଥାନଟି ଦୁର୍ଗନ୍ଧମୟ ହୋଇ ଉଠିଥିଲା । ତେଣୁ ମଦୁଆମାନେ ବାଦୁଡ଼ିଙ୍କୁ ସେଠାରୁ ବିତାଡ଼ିତ କରିବା ଲାଗି ଯୋଜନା କଲେ । ବାଦୁଡ଼ି ରହୁଥିବା ଛାତ ତଳେ ଟାୟାର ଗଦାଇ ନିଆଁ ଲଗାଇ ଦେଲେ । ହୁ ହୁ ହୋଇ ନିଆଁ ଜଳିବା ଫଳରେ ବିକଳରେ ବଡ଼ ବଡ଼ ବାଦୁଡ଼ି ଉଡ଼ି ପଳାଇଲେ । କିନ୍ତୁ ଛୁଆ ଓ ଛୋଟ ବାଦୁଡ଼ିଗୁଡ଼ିକ ନିଆଁରେ ଖସି ପୋଡ଼ି ପାଉଁଶ ହୋଇଗଲେ । ସେହିଦିନ ଠାରୁ ବାଦୁଡ଼ି ଆଉ ଫେରିନାହାନ୍ତି । ଛାତରେ କେବଳ ଟାୟାର ଧୂଆଁର କଳାଦାଗ ବଞ୍ଚି ରହିଛି ।