ଯାଜପୁର, ୬/୧୧ : ବୈତରଣୀ ନଦୀ ଗାରଡେଶ୍ୱର ଘାଟରେ ଅଘଟଣ। ଗାଧୋଇବା ବେଳେ ବୁଡ଼ିଗଲେ ୩ ପିଲା। ଦୁଇ ନାବାଳକ ଉଦ୍ଧାର ଜଣେ ନାବାଳିକା ନିଖୋଜ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି।
ସୂଚନାନୁଯାୟୀ, ଯାଜପୁର ଟାଉନ ଥାନା ବିରଜାପୁର ଗ୍ରାମର ରଶ୍ମି ରଂଜନ ମିଶ୍ରଙ୍କ ଝିଅ ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରୀତି ପ୍ରଜ୍ଞା ମିଶ୍ର (୧୨ ବର୍ଷ) ମାମୁଁ ଘର ଗାରଡ଼େଶ୍ୱର ବୁଲିବାକୁ ଯାଇଥିଲେ। ଗୁରୁବାର ଦିନ ପ୍ରାୟ ୧୧ଟା ବେଳେ ପ୍ରୀତିପ୍ରଜ୍ଞା ଓ ମାମୁ ଘରର ଅନ୍ୟ ଦୁଇଜଣଙ୍କ ସହ ନିକଟରେ ଥିବା ବୈତରଣୀ ନଦୀର ଗାରଡ଼େଶ୍ୱର ଘାଟକୁ ଗାଧେଇବାକୁ ଯାଇଥିଲେ। ଗାଧେଇବା ବେଳେ ନଦୀ ସ୍ରୋତରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରିଥିବା ବେଳେ ପ୍ରୀତି ପ୍ରଜ୍ଞା ନିଖୋଜ ଅଛନ୍ତି। ଖବର ପାଇ ଯାଜପୁର ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏଯାବତ୍ ତାଙ୍କର ପତ୍ତା ମିଳି ନାହିଁ।