ନୂଆଦିଲ୍ଲୀ,୦୩/୦୯: ୫ ଦିନର ଅନଶନ । ଦାବି ପୂରଣ ପାଇଁ ଆନ୍ଦୋଳନ ଶେଷରେ ସମାପ୍ତ ହୋଇଛି । ଆଖିରେ ବିଜୟର ଲୁହ । ଅସରନ୍ତି ଖୁସି । ମରାଠା ସଂରକ୍ଷଣ ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ୫ ଦିନ ଧରି ଚଳାଇଥିବା ଅନଶନ ଶେଷ କରିଛନ୍ତି । ସରକାର ଦାବି ମାନିବା ପରେ ଆନ୍ଦୋଳନ ବନ୍ଦ ହୋଇଛି । ଏହାପରେ ଭାବବିହ୍ବଳ ହୋଇ ପଡିଥିଲେ ଆନ୍ଦୋଳନ ନେତା ମନୋଜ ଜରାଙ୍ଗେ । ସେ କହିଛନ୍ତି ଆଜି ଆମ ପାଇଁ ଦୀପାବଳି । ଆମେ ଯାହା ଚାହୁଁଥିଲୁ ଆମକୁ ମିଳିଛି । ଆମର ବିଜୟ ହୋଇଛି ବୋଲି ସେ କହିଛନ୍ତି ।

ଅନଶନ ଭାଙ୍ଗିବା ପରେ ସାଥୀ ସେମାନଙ୍କୁ ଜୁସ୍ ପିଆଇଥିଲେ । ଏହି ସମୟରେ ସେ ଭାବ ବିହ୍ୱଳ ହୋଇ ପଡିଥିଲେ । ସେ କହିଛନ୍ତି, ଆମର ବିଜୟ ହୋଇଛି । ଆଜି ଆମ ପାଇଁ ଦୀପାବଳି । ଆମେ ଯାହା ଚାହୁଁଥିଲୁ ଆମକୁ ମିଲିଛି । ଯଦି ସରକାର ସଂରକ୍ଷଣ ଦାବି ଉପରେ ଆଦେଶନାମା ଜାରି କରିଦିଅନ୍ତି ତେବେ ସେ ରାତିରେ ହିଁ ମୁମ୍ବାଇ ଛାଡ଼ି ଦେବେ ବୋଲି କହିଛନ୍ତି । ସରକାର ଦାବି ରଖିବାକୁ ରାଜି ହେବା ପରେ ସମସ୍ତ ଆନ୍ଦୋଳନକାରୀ ବାଣ ଫୁଠାଇ ଉତ୍ସବ ପାଳିଥିବା ଦେଖିବାକୁ ମିଳିଥିଲା ।

ଜରାଙ୍ଗେ ଅନଶନରେ ଦାବି ରଖିଥିଲେ ଯେ, ମରାଠା ସଂରକ୍ଷଣ ଆନ୍ଦୋଳନ ସହ ଜଡ଼ିତ ପ୍ରଦର୍ଶନକାରୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରାଯାଉ, ଆନ୍ଦୋଳନବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳୁ ଏବଂ ସରକାର ୨ ମାସ ଭିତରେ ସରକାରୀ ଆଦେଶନାମା ଜାରି କରି କୁହନ୍ତୁ ଯେ ମରାଠା ଏବଂ କୁମ୍ଭୀ ଗୋଟିଏ ସମୁଦାୟର । ମହାରାଷ୍ଟ୍ର ମନ୍ତ୍ରୀ ରାଧାକୃଷ୍ଣ ଭିଖେ ପାଟିଲ  ଜରାଙ୍ଗେଙ୍କୁ ଭେଟିଥିଲେ । ଜରାଙ୍ଗେଙ୍କ ଦାବି ଉପରେ ତାଙ୍କ ସହ ଚର୍ଚ୍ଚା କରିଥିଲେ । ବିକ୍ଷୋଭବେଳେ ମୃତକଙ୍କ ପରିବାରକୁ ଯୋଗ୍ୟତା ଆଧାରରେ ସରକାରୀ ଚାକିରି ଏବଂ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପାଟିଲ କହିଛନ୍ତି ।

କ'ଣ ହାଇଦ୍ରାବାଦ​​​​​​​ ରାଜପତ୍ର ? ମରାଠା ନେତା ମନୋଜ ଜରାଙ୍ଗେ ପାଟିଲଙ୍କ ଦାବିକୁ ମହାରାଷ୍ଟ୍ର ସରକାର ମାନି ନେଇଛନ୍ତି । ହାଇଦ୍ରାବାଦ ରାଜପତ୍ର କାର୍ଯ୍ୟକାରୀ କରିବାକୁ ରାଜି ହୋଇଛନ୍ତି । ଏହି ରାଜପତ୍ରରେ ମରାଠାଙ୍କୁ କୁନବି ସମ୍ପ୍ରଦାୟର ବୋଲି କୁହାଯାଇଛି । ମନୋଜ ଜରାଙ୍ଗେ କହିଛନ୍ତି ମରାଠା ଓ କୁନବି ବରାବର । ତେଣୁ ମରାଠା ସମାଜକୁ କୁନବି ଜାତିର ପ୍ରମାଣପତ୍ର ଦେଇ ସଂରକ୍ଷଣ ଦିଆଯାଉ । ମହାରାଷ୍ଟ୍ର ସରକାର କୁନବି-ମରାଠା ପରିଚୟର ପ୍ରମାଣ ଭାବରେ 'ହାଇଦ୍ରାବାଦ ଗେଜେଟ୍'କୁମାନ୍ୟତା ଦେବାକୁ ରାଜି ହୋଇଛନ୍ତି । ତତ୍କାଳୀନ ନିଜାମଙ୍କ ଦ୍ୱାରା ୧୯୧୮ରେ ଏହା ଜାରି ହୋଇଥିଲା । ମରଠାୱାଡା ଅଞ୍ଚଳର ଜନସଂଖ୍ୟା, ଜାତି ଏବଂ ସମ୍ପ୍ରଦାୟ, ବୃତ୍ତି, କୃଷି ଇତ୍ୟାଦି ସହିତ ଜଡିତ ସମସ୍ତ ରେକର୍ଡ 'ହାଇଦ୍ରାବାଦ ଗେଜେଟ୍'ର ଅଂଶ ଥିଲା।

ଅନ୍ୟପକ୍ଷରେ ବମ୍ବେ ହାଇକୋର୍ଟ ଜରାଙ୍ଗେଙ୍କୁ ଅନଶନ ସ୍ଥଳୀ ଆଜାଦ ମଇଦାନରେ ଆଜି (ବୁଧବାର) ସକାଳ ପର୍ଯ୍ୟନ୍ତ ରହିବା ଲାଗି ଅନୁମତି ଦେଇଛନ୍ତି । ଏହା ପୂର୍ବରୁ ହାଇକୋର୍ଟ ତାଙ୍କୁ ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ମଇଦାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି । ପ୍ରଶାସନ କାହିଁକି ଅଦାଲତଙ୍କ ଆଦେଶକୁ ଲାଗୁ କଲେ ନାହିଁ ଏବଂ କାହିଁକି ଜବରଦସ୍ତି ମଇଦାନ ଖାଲି କରାଯିବା ଲାଗି ପଦକ୍ଷେପ ନିଆଗଲା ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ବୁଧବାର ସୁଦ୍ଧା ସ୍ଥିତି ସ୍ୱାଭାବିକ ନ ହେଲେ ଅଦାଲତ ବଡ଼ ଆଦେଶ ଜାରି କରିବେ ବୋଲି ଚେତାବନୀ ଦେଇଛନ୍ତି ।