ଭୁବନେଶ୍ୱର, ୭/୧୧ : ବେଆଇନ୍‌ ଭାବେ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ଗାଡିକୁ ଟ୍ରାଫିକ ପୁଲିସ୍‌ କ୍ରେନ ଲଗାଇ ଟାଣି ନେଉଛି । ସଡ଼କ ସୁରକ୍ଷାର ଅନ୍ୟ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ଚେକିଂ କରୁନାହିଁ । କିନ୍ତୁ ଏହି ଗାଡି ଟଣା ଚେକିଂରେ ପୁଲିସ ଭରପୁର ମନ ଦେଉଛି । ଏଥିରୁ ଘରୋଇ ସଂସ୍ଥା ମାଲେମାଲ ହେଉଛନ୍ତି । ଜରିମାନା ବାବଦକୁ ରାଜକୋଷକୁ ଯେତିକି ପାଉଣା ଆସୁଛି, ତା’ଠୁ ଅଧିକ ଘରୋଇ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି । ଗୋଟିଏ ଚାରି ଚକିଆ ଯାନ ବେଆଇନ୍‌ ପାର୍କିଂରୁ ଟାଣିକି ଟ୍ରାଫିକ୍‌ ଥାନାକୁ ଆଣିଲେ, ଗାଡି ମାଲିକଙ୍କୁ ୧୨୦୦ ଟଙ୍କାର ଜରିମାନା ଗଣିବାକୁ ପଡୁଛି । ସେଥିରୁ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବାବଦକୁ ଜରିମାନା ଆକାରରେ ମାତ୍ର ୫୦୦ ଟଙ୍କା କଟାଯାଉଛି । ବାକି ୭୦୦ ଟଙ୍କା ଗାଡି ଟଣା ହେବା ବାବଦକୁ ସମ୍ପୃକ୍ତ କ୍ରେନ୍‌ ମାଲିକଙ୍କୁ ଭଡ଼ା ଦିଆଯାଉଛି । ଟ୍ରାଫିକ୍‌ ପୁଲିସ ଓ ଘରୋଇ ସଂସ୍ଥାର ସଲାସୁତରାରେ ଏହି କାରସାଦି ବଢ଼ିବାରେ ଲାଗିଛି ।

ସବୁଠାରୁ ବଡ଼ କଥା ହେଲା, ଯଦି କୌଣସି ଗାଡ଼ି ମାଲିକ ଥାନାକୁ ଯାଇ ପୁଲିସ୍‌କୁ ଚାପ ପକାଉଛି, ପୁଲିସ ଜରିମାନା ଟଙ୍କା ମାଫ୍‌ କରିଦେଉଛି । ଗାଡି ମାଲିକଙ୍କ ନାଁରେ ୫୦୦ ଟଙ୍କାର ଇ-ଚାଲାଣ କାଟୁଛି । ହେଲେ, ଘରୋଇ ଗାଡି ବାବଦକୁ ଭଡ଼ା ନଦେଲେ, ଗାଡି ଛାଡୁନାହାନ୍ତି । ଏହି ବେଆଇନ ପାର୍କିଂ ଚେକିଂ ଟ୍ରାଫିକ୍‌ ଥାନା-୨ ପକ୍ଷରୁ ଖଣ୍ଡଗିରିରୁ ପାତ୍ରପଡ଼ା ଯାଏ ଦିନରାତି ଚାଲୁଛି । ରାଜମହଲ-ଏଜି ଛକ, ଜନପଥ, ପ୍ରଦର୍ଶନୀ ପଡିଆ ସାମ୍ନା ରାସ୍ତା ଓ କଟକ ରୋଡରେ ବେଆଇନ୍‌ ପାର୍କିଂ ଦେଖିବା ମାତ୍ରେ ଟ୍ରାଫିକ୍‌ ଥାନା-୧ ପୁଲିସ କ୍ରେନ୍‌ ଲଗାଇ ଗାଡି ଟାଣି ନେଉଛନ୍ତି । ଅନ୍ୟପଟେ ସହରରେ ଦୀର୍ଘ ମାସ ହେଲାଣି ଅନ୍ୟାନ୍ୟ ଚେକିଂ ଏକରକମର ଉଭେଇ ଗଲାଣି । ଦ୍ରୁତଗତି, ବୀପରିତ ଦିଗ ଓ ବିନା ହେଲମେଟ୍‌ରେ ଗାଡି ଚାଳନା ଢ଼େର ବଢ଼ିଗଲାଣି । ତଥାପି ଟ୍ରାଫିକ୍‌ ପୁଲିସର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ରାସ୍ତାକୁ ଓହ୍ଲାଉ ନାହାନ୍ତି । ଗଛ ତଳେ ବସି ମୋବାଇଲ୍‌ ଖେଳାଇ ଡ୍ୟୁଟି ସମୟ କାଟି ଦେଉଛନ୍ତି । ରାଜଧାନୀରେ ପୁଲିସ୍‌ ପକ୍ଷରୁ ରାସ୍ତାକଡ଼ରୁ ଗାଡି ଉଠାଇବା ନେଇ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ଏନେଇ ଗାଡି ମାଲିକ ଓ ଟ୍ରାଫିକ ପୁଲିସ୍‌ ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଚାଲିଛି ।