ପୁରୀ,୩୦/୧୦: ଶୁକ୍ରବାର ଅଁଳାନବମୀ । ବର୍ଷକ ପରେ ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ କରିବେ ଭକ୍ତ । ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼ ଜମିବ । ଭିଡ଼କୁ  ନଜରରେ ରଖି ପୁରୀ ପୁଲିସ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ  କରିଛି । ଟ୍ରାଫିକ ନିୟନ୍ତ୍ରଣ ଲାଗି ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇଛି । ଚାରିଚକିଆ ହାଲୁକା ଯାନ, ଭାରିଯାନ ଓ  ଦୁଇଚକିଆ ପାଇଁ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ପ୍ରସ୍ତୁତ କରାଯାଇଛି ।  ଏସବୁ ଗାଡ଼ି ଭିଡ଼ରେ ନ ପଶି ପାର୍କିଂ ସ୍ଥଳୀକୁ ଯିବ ।

ପୁଲିସ ମାର୍ଗଦର୍ଶିକା ମୁତାବକ, ଭୁବନେଶ୍ୱର ପଟୁ ଆସୁଥିବା  ସମସ୍ତ ଚାରିଚକିଆ ହାଲୁକାଯାନ ସାକ୍ଷୀଗୋପାଳ କଲେଜ ଛକ  ଦେଇ କୋଠ ଉପର, ବିଏସ୍‌ଏନ୍‌ଏଲ୍‌ ପଡ଼ିଆରେ ପାର୍କିଂ  କରିବେ ଓ ସମାନ ମାର୍ଗ ଦେଇ ଫେରିବେ । ସାକ୍ଷୀଗୋପାଳ  ବଜାର ଦେଇ ଆସୁଥିବା ସମସ୍ତ ଚାରିଚକିଆ ହାଲୁକା ଯାନ  ରେଲୱେ ଲେଭଲ କ୍ରସିଂ ପାଖ ପାର୍କିଂରେ ରହିବେ ଓ ମହାମାୟା  ସାହି ଦେଇ (ରିଲାଏନ୍ସ ମାର୍ଟ ପାଖରେ) ଜାତୀୟ ରାଜପଥରେ  ପ୍ରବେଶ କରି ଫେରିବେ। ଅଳଗୁମ ପଟୁ ଆସୁଥିବା ସମସ୍ତ  ଭାରିଯାନ ରାଜପଥକୁ ଆସିବାକୁ ଚାହୁଁଥିଲେ ବନପୁର ଛକରୁ  ବୀରରାମଚନ୍ଦ୍ରପୁର ଦେଇ କାଦୁଆ ଛକରେ ଜାତୀୟ ରାଜପଥରେ  ପ୍ରବେଶ କରିବେ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ଟ୍ରାଫିକ  ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଶୁକ୍ରବାର ସମସ୍ତ ଭାରିଯାନକୁ  କେବଳ ସାକ୍ଷୀଗୋପାଳ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଅନୁମତି ଦିଆଯିବ ।

ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ଦୁଇଚକିଆ  ଯାନ ସାକ୍ଷୀଗୋପାଳ କଲେଜ ଛକ-ବାସୁକେରା ଗାଁ ଦେଇ  ଶୌଚାଳୟ କ୍ୟାମ୍ପସ୍‌ରେ ପାର୍କିଂ କରିବେ । ଏଠାରୁ ସମାନ  ମାର୍ଗ ଦେଇ ଫେରିବ । ସାକ୍ଷୀଗୋପାଳ ବଜାର ଦେଇ ଆସୁଥିବା  ସମସ୍ତ ଦୁଇଚକିଆ ଯାନ ରେଲୱେ ଲେଭଲ କ୍ରସିଂ ପାଖ  ପାର୍କିଂରେ ରହିବେ । ଦର୍ଶନ ସରି ମହାମାୟା ସାହି ଦେଇ  ଫେରିବେ । ଅନ୍ୟପକ୍ଷରେ ଅଳଗୁମ ପଟୁ ଆସୁଥିବା ସମସ୍ତ  ଦୁଇଚକିଆ ଯାନ ସିଧବକୁଳ ପାର୍କିଂରେ ରଖି ସମାନ ରାସ୍ତାରେ  ଫେରିବେ । ଅଳଗୁମ ପଟୁ ଆସୁଥିବା ସମସ୍ତ ଦୁଇଚକିଆ  ଯାନ ଯଦି ବଜାରକୁ ଆସିବାକୁ ଚାହିଁବେ ସାରୁଗାଡ଼ିଆ  ଛକରୁ କଟି ମାଣିତିରିସାହି ହୋଇ ସେନାପତି ସାହି ଓ ମଠ  ସାହି ହୋଇ ମଉନେଇ ମନ୍ଦିର ପାଖରେ ବାହାରି ବଜାରକୁ  ଆସିବେ । ଏହି ଗାଡ଼ି ସମାନ ମାର୍ଗ ଦେଇ ଫେରିବେ ।

ଏହାସହ ପୁରୀ ପୁଲିସ ୨୪ଘଣ୍ଟିଆ ହେଲ୍ପଲାଇନ  ନମ୍ବର ଜାରି କରିଛି । ଭକ୍ତମାନେ କୌଣସି ସମସ୍ୟାର  ସମ୍ମୁଖୀନ ହେଲେ ୧୧୨ କିମ୍ବା ୯୪୩୮୯୧୬୩୪୮ ନଚେତ୍‌  ୬୩୭୦୯୬୭୧୦୦ରେ ଯୋଗାଯୋଗ କରିବେ । ପୁରୀ ପୁଲିସ  ଟ୍ରାଫିକ ମାର୍ଗଦର୍ଶିକା ସମ୍ପର୍କିତ ଏକ ଏଆଇ (ଆର୍ଟିଫିସିଆଲ  ଇଣ୍ଟେଲିଜେନ୍ସ) ଭିଡିଓ ଏହାର ସମସ୍ତ ସୋସିଆଲ ମିଡିଆ  ଆକାଉଣ୍ଟରେ ଛାଡ଼ିଛି । ଯେଉଁଥିରେ ମାନଚିତ୍ର ସହ ଗାଡ଼ି  କେଉଁଠି ରଖିବେ ଓ କେମିତି ଯିବେ ବୁଝାଇ କୁହାଯାଇଛି ।